ଭୁବନେଶ୍ବର:ଆଉ ଦୁଇ ଦିନ ପରେ ରାଜ୍ୟରେ ସରକାର ଗଢ଼ିବ ଭାରତୀୟ ଜନତା ପାର୍ଟି । ବିଜେପିର ନୂଆ ମୁଖ୍ୟମନ୍ତ୍ରୀ ହେବା ପରେ ରାଜ୍ୟ ରଣନୀତିର ବିଭିନ୍ନ ସମୀକରଣ ବଦଳିବ । 51 ଜଣ ବିଧାୟକଙ୍କୁ ନେଇ ବିଜୁ ଜନତା ଦଳ ପ୍ରମୁଖ ବିରୋଧୀ ଦଳ ଭାବେ ଦାୟିତ୍ୱ ନିର୍ବାହ କରିବାକୁ ସଜବାଜ ହେଉଥିବା ବେଳେ 14ଟି ଆସନ ପାଇ କଂଗ୍ରେସ ମଧ୍ୟ ଦାୟିତ୍ବବାନ ବିରୋଧୀ ଦଳର ଭୂମିକା ତୁଲାଇବ । ତେବେ ବିରୋଧୀ ଦଳର କିଏ ହେବେ ମଙ୍ଗୁଆଳ, କାହା ହାତରେ ରହିବ କ୍ଷମତା, କିଏ ହେବେ ବିରୋଧୀ ଦଳ ନେତା ।
କଂଗ୍ରେସର ବିଧାୟକ ଦଳ ନେତା ଭାବେ କାହାକୁ ଘୋଷଣା କରିବ AICC । ତାକୁ ନେଇ ଲାଗି ରହିଛି ସସପେନ୍ସ । 3 ଦିନ ହେବ ଦିଲ୍ଲୀରେ ଡେରା ପକାଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଅଜୟ କୁମାର ଏବଂ ବିଧାୟକ ତାରା ବାହିନୀପତି, ବିଧାୟକ ରମେଶ ଜେନା ଏବଂ ବିଧାୟକ ସି ରାଜେନ ଏକ୍କା । ବରିଷ୍ଠତା ଭିତ୍ତିରେ କଂଗ୍ରେସ ବିଧାୟକ ଦଳ ନେତା ଦୌଡ଼ରେ ତାରା ବାହିନୀପତି, ରାମ କାଡାମ ଏବଂ ସି ରାଜେନ ଏକ୍କା ରହିଛନ୍ତି ।
ସପ୍ତଦଶ ବିଧାନସଭାରେ ବିଜେଡି 51 ସିଟ୍ ପାଇଁ ପ୍ରମୁଖ ବିରୋଧୀ ଦଳ ଭାବେ ଉଭା ହୋଇଛି । ବିଜେଡି ମୁଖ୍ୟ ବିରୋଧୀ ଦଳ ହୋଇଥିବାରୁ ବିଜେଡି ପକ୍ଷରୁ କିଏ ହେବ ବିରୋଧୀ ଦଳ ନେତା ସେ ନେଇ ଚାଲିଛି ବିଚାର ବିମର୍ଷ । ସେପଟେ କଂଗ୍ରେସ ମଧ୍ୟ 14ଜଣ ବିଧାୟକଙ୍କୁ ନେଇ ଏକ ସଶକ୍ତ ବିରୋଧୀ ଦଳ ଭାବେ ଉଭା ହୋଇଛି । କିଏ ହେବ କଂଗ୍ରେସର ବିଧାୟକ ଦଳର ନେତା ତାକୁ ନେଇ ଜାରି ରହିଛି ଆଲୋଚନା ।
ବିଧାୟକ ତାରା ବାହିନୀପତି ‘ଇଟିଭି ଭାରତ’କୁ ସୂଚନା ଦେଇ କହିଛନ୍ତି,"ଦଳର ଶ୍ରେଷ୍ଠ ନେତୃତ୍ୱ ଯାହାକୁ ଚାହିଁବେ ତାକୁ ବିଧାୟକ ଦଳର ନେତା ବାଛିବେ । ମୁଁ 5 ଥରର ବିଧାୟକ ମୁଁ ଦଳର ଜଣେ ବରିଷ୍ଠ ନେତା ଅନୁଭୂତି ବରିଷ୍ଠତା ଭିତ୍ତିରେ ମୋତେ ଦାୟିତ୍ୱ ଦେବା ନେଇ ଆଶା ରଖିଛି । ମୋର ବହୁ ବର୍ଷ ଧରି ଅଭିଜ୍ଞତା ରହିଛି । ବିଭିନ୍ନ ସମୟରେ ଦଳକୁ ପ୍ରତିନିଧିତ୍ୱ କରିଛି । ରାଜ୍ୟର ବିଭିନ୍ନ ସମସ୍ୟା ନେଇ ସରକାରଙ୍କୁ ଘେରିଛୁ । ଦିଲ୍ଲୀରେ ବିଧାୟକ ରାଜେନ ଏକା, ବିଧାୟକ ରମେଶ ଜେନା AICCରେ ବିଭିନ୍ନ ନେତାଙ୍କୁ ଭେଟିଛୁ । "