ଓଡିଶା

odisha

ETV Bharat / state

ଜନ୍ମମାଟି ରାଇକଳାରେ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ: ବାଣ ଫୁଟାଇଲେ,ବାଜା ବଜାଇଲେ - CM MOHAN VISIT KENDUJHAR

ଜନ୍ମମାଟି କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସାନ୍ତାଳି ସମାଜ ବିଧି ଅନୁସାରେ ଗାଁ ଲୋକଙ୍କ ସହ ମିଶି ଦୀପାବଳି ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

chief minister mohan charan majhi
chief minister mohan charan majhi (ETV Bharat Odisha)

By ETV Bharat Odisha Team

Published : Oct 31, 2024, 5:40 PM IST

Updated : Oct 31, 2024, 9:18 PM IST

କେନ୍ଦୁଝର: ଜନ୍ମମାଟି କେନ୍ଦୁଝର ରାଇକଳାରେ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ଗାଁ ଲୋକଙ୍କ ସହ ମିଳିମିଶି ଦୀପାବଳି ପାଳିଛନ୍ତି ମୁଖ୍ୟମନ୍ତ୍ରୀ । ପାରମ୍ପରିକ ଭାବରେ ପିଠା ଖାଇ ବାଣ ଫୁଟାଇ ଧୁମଧାମରେ ପୈତୃକ ଗାଁରେ ଦୀପାବଳି ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨ ଦିନିଆ କେନ୍ଦୁଝର ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ଆଜି ପ୍ରଥମ ଦିନରେ ଜନ୍ମମାଟି ରାଇକଳା ନିଜ ଘରେ ପହଞ୍ଚି ସାନ୍ତାଳି ସମାଜ ବିଧି ଅନୁସାରେ ଦୀପାବଳି ପାଳନ କରିବା ସହ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସାନ୍ତାଳି ସମାଜ ବିଧି ଅନୁସାରେ ଗାଁ ଲୋକଙ୍କ ସହ ମିଶି ବାଜା ବଜାଇ ବାଣ ଫୁଟାଇ ଦୀପାବଳି ପାଳିଛନ୍ତି ।

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ (ETV Bharat Odisha)

କେମିତି ଦୀପାବଳି ପାଳନ କଲେ ମୁଖ୍ୟମନ୍ତ୍ରୀ:

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ଆମ ଗାଁ ରାଇକଳାରେ ପାଳନ କରାଯାଉଥିବା ଦୀପାବଳି ପର୍ବକୁ ବନ୍ଦଣା ପର୍ବ କୁହାଯାଏ । ଏଥିରେ ଗୋଠାଣ ପୂଜା କରାଯାଏ । ଆମ ସାହିରେ କରାଯାଉଥିବା ଏହି ପୂଜାପାଠରେ ଯୋଗ ଦେବାପାଇଁ ମୁଁ ସ୍ବତନ୍ତ୍ର ଭାବରେ ଆସିଛି । ଯେହେତୁ ଛୋଟବେଳୁ ମୁଁ ଏହି ପୂଜାରେ ସବୁବେଳେ ସାମିଲ ହୁଏ, ଏ ପୂଜାକୁ ମୁଁ ଭୁଲିପାରିନାହିଁ । ତେଣୁ ଏଥିରେ ସାମିଲ ହେବାକୁ ଆସିଛି । ଆମ ଗାଁରେ ଲୋକମାନେ ମାଦଳ ବଜାଇବେ, ଗୀତଗାଇ ନାଚିବେ, ଘରକୁ ଘର ବୁଲିବେ । ଏହାକୁ ଧିଙ୍ଗ୍‌ୱାନି ନାଚ କୁହାଯାଏ । ଏହି ନାଚ ଗୀତରେ ମୁଁ ସାମିଲ ହେବି । ଏ ପର୍ବରେ ଓଡ଼ିଆ ଅସ୍ମିତାର କଥା ଅଛି । କେନ୍ଦୁଝର ସହରରେ ଧୁମଧାମରେ କାଳୀପୂଜା ହୁଏ । ମୁଁ ସେସବୁ ଯାଗାକୁ ଯାଇ ମା' କାଳୀଙ୍କୁ ଦର୍ଶନ କରିବି । ଆମ ଘରେ କାଲି ଗୋବର୍ଦ୍ଧନ ପୂଜା ହେବ । ଏହାକୁ ଗୁହାଳ ପୂଜା ବି କୁହାଯାଏ । ଆମେ ତାକୁ ପାଳନ କରିବୁ । କାଳୀ ପୂଜାକୁ ଆମ ସାନ୍ତାଳି ସମାଜରେ ସହରାଇ ପରବ କୁହାଯାଏ । ଏହାକୁ ବି ପାଳନ କରିବୁ ।"

chief minister mohan charan majhi (ETV Bharat Odisha)

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ:

ଆଜି ଦିନ ୧.୧୦ରେ ରାଇସୁଆଁ ଏୟାର ଷ୍ଟ୍ରିପ୍‌ (Air Strip)ରେ ସ୍ଵତନ୍ତ୍ର ବିମାନ ଯୋଗେ ପହଞ୍ଚିଥିଲେ । ସେଠାର ସ୍ଥାନୀୟ ଲୋକେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ସର୍କିଟ ହାଉସ (Circuit House)ରେ ପହଞ୍ଚିଥିଲେ । ଏହାପରେ ସର୍କିଟ୍ ହାଉସରୁ ୨ଟା ୩୦ ମିନିଟ୍ ସମୟରେ ସଡ଼କ ପଥରେ ମୁଖ୍ୟମନ୍ତ୍ରୀ ନିଜ ଗାଁ ରାଇକଳାରେ ପହଞ୍ଚିଛନ୍ତି । ସେଠାରେ ମୁଖ୍ୟମନ୍ତ୍ରୀ ନିଜ ଘରେ ସମୟ ବିତାଇବା ପରେ ରାତି ୯ଟାରେ ସେଠାରୁ ବାହାରି ସଡ଼କ ପଥରେ କେନ୍ଦୁଝର ସର୍କିଟ୍ ହାଉସରେ ପହଞ୍ଚିବେ । ସେଠାରେ ରାତ୍ରୀ ଯାପନ ପରେ ଆସନ୍ତାକାଲି (ଶୁକ୍ରବାର) ସକାଳ ୮ଟା ୩୦ ମିନିଟରେ ପୁନର୍ବାର ନିଜ ଗାଁ ରାଇକଳାରେ ୯ଟା ସମୟରେ ପହଞ୍ଚିବେ । ସେଠାରେ ଘରୋଇ କାର୍ଯ୍ୟକ୍ରମରେ ଯୋଗଦେଇ ରାଇକଳାରୁ ଦିନ ୨ଟାରେ ବାହାରି କେନ୍ଦୁଝର ସର୍କିଟ୍ ହାଉସରେ ୨ଟା ୩୦ ମିନିଟରେ ପହଞ୍ଚିବେ । ମୁଖ୍ୟମନ୍ତ୍ରୀ ପୁନର୍ବାର ୩ଟା ୪୦ ମିନିଟରେ ସେଠାରୁ ବାହାରି ରାଇସୁଆଁ ଏଆର ଷ୍ଟ୍ରିପରେ ପହଞ୍ଚି ବିମାନ ଯୋଗେ ଭୁବନେଶ୍ୱର ଫେରିଯିବେ ।

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ରାଜଧାନୀ ଫୁଟପାଥରୁ ଦୀପ କିଣିଲେ ମୁଖ୍ୟମନ୍ତ୍ରୀ, ପୁରୁଣା ସ୍ମୃତିକୁ କଲେ ତାଜା

ଏହା ମଧ୍ୟ ପଢ଼ନ୍ତୁ...ଜନ୍ମମାଟିରେ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ, ସକାଳୁ କେନ୍ଦୁଝର ଗସ୍ତ କରିବେ ମୋହନ

ଏହା ମଧ୍ୟ ପଢ଼ନ୍ତୁ...ହସିବ ଜନ୍ମମାଟି କେନ୍ଦୁଝର, ନିଜ ଜିଲ୍ଲାକୁ ବଡ଼ ଭେଟିଦେଲେ ମୁଖ୍ୟମନ୍ତ୍ରୀ ମୋହନ - CM MOHAN LAUNCHES PROJECTS

ଦଶହରାରେ ଜନ୍ମମାଟି ଗସ୍ତ:

ଗତ ଦଶହରା ସମୟରେ ମଧ୍ୟ ଜନ୍ମମାଟି ଗସ୍ତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଇକଳା ସ୍ଥିତ ନିଜ ବାସଭବନରେ ପହଞ୍ଚି ମା' ଦୁର୍ଗାଙ୍କ ଆରାଧନା କରିଥିଲେ ।ଗସ୍ତର ପ୍ରଥମ ଦିନରେ ବାମପାର ସ୍ଥିତ ସାଇ ମନ୍ଦିରରେ ଠାକୁର ଦର୍ଶନ କରିବା ପରେ ସେଠାରୁ ନିଉ କଲୋନୀ ସ୍ଥିତ ଦୁର୍ଗା ମଣ୍ଡପକୁ ଯାଇ ମା’ ଦୁର୍ଗାଙ୍କୁ ଦର୍ଶନ କରି ଆଶିଷ ଲାଭ କରିଥିଲେ । ପରେ ପୂଜା କମିଟି ସଦସ୍ୟଙ୍କ ସହ କିଛି ସମୟ ଆଲୋଚନା କରିଥିଲେ । ଏହା ପର ଦିନ ଭୁବନେଶ୍ବର ଫେରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

chief minister mohan charan majhi (ETV Bharat Odisha)

ଇଟିଭି ଭାରତ, କେନ୍ଦୁଝର

Last Updated : Oct 31, 2024, 9:18 PM IST

ABOUT THE AUTHOR

...view details