ପୁରୀ/ବ୍ରହ୍ମପୁର/ବାଲେଶ୍ୱର/କେନ୍ଦୁଝର:ଅଟଳବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀ ଅବସରରେ ସାରା ରାଜ୍ୟରେ ପାଳନ ହୋଇଯାଇଛି ସୁଶାସନ ଦିବସ ।ପୁରୀର ସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସାମିଲ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଓ ବିଧାୟକମାନେ ଯୋଗ ଦେଇଛନ୍ତି ।
ପୁରୀରେ ସୁଶାସନ ଦିବସ ପାଳିତ:
ପୁରୀର ସଂସ୍କୃତି ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀ ଅବସରରେ ସୁଶାସନ ଦିବସ ପାଳିତ ହୋଇଯାଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ପୁରୀ ସାଂସଦ ସମ୍ବିତ ପାତ୍ର, ପୁରୀ ବିଧାୟକ ସୁନିଲ୍ କୁମାର ମହାନ୍ତି, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ସତ୍ୟବାଦୀ ବିଧାୟକ ଓମପ୍ରକାଶ ମିଶ୍ରଙ୍କ ସହ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏବଂ ଏସପି ବିନୀତ ଅଗ୍ରୱାଲ ଅତିଥି ଭାବରେ ଯୋଗ ଦେଇଥିଲେ।
ମହାବାତ୍ୟା ପରେ ଓଡ଼ିଶାକୁ ନୂଆରୂପ ଦେଇଥିଲେ ବାଜପେୟୀ:
ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି," ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜଣେ ସଚ୍ଚା ଦେଶପ୍ରେମୀ ଥିଲେ । ଦେଶର ଉନ୍ନତି ସହ ସମାଜର ଉନ୍ନତି ପାଇଁ ସେ ସବୁବେଳେ ଉଦ୍ୟମ କରୁଥିଲେ । ସେ ପ୍ରଧାନମନ୍ତ୍ରୀ ଥିବା ସମୟରେ ଓଡ଼ିଶାର ଅନେକ ବିକାଶ ହୋଇଥିଲା । ମହାବାତ୍ୟା ପରେ ଓଡ଼ିଶାକୁ ଅଟଳ ବିହାରୀ ବାଜପେୟୀ ଏକ ନୂଆରୂପ ଦେଇଥିଲେ । ଓଡ଼ିଶା ଲୋକଙ୍କ ସ୍ବାସ୍ଥ୍ୟ ସେବା ପାଇଁ ଭୁବନେଶ୍ୱରରେ ଏମ୍ସ ପ୍ରତିଷ୍ଠା ସହ ପାରାଦ୍ବୀପରେ ଅଏଲ୍ ରିଫାଇନାରୀ ପ୍ରତିଷ୍ଠା କରିଥିଲେ। ସେହିପରି ଓଡିଶାକୁ ସ୍ବର୍ଣ୍ଣ ଚତୁର୍ଭୁଜ ଜାତୀୟ ରାଜପଥ ପ୍ରକଳ୍ପରେ ସାମିଲ୍ କରିବା ସହ ଗରିବ ଲୋକଙ୍କ କଲ୍ୟାଣ ପାଇଁ ମହିଳାମାନଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ କରି ମହିଳା ଗୋଷ୍ଠୀ ମାଧ୍ୟମରେ ସ୍ବାବଲମ୍ବୀ କରାଇଥିଲେ । ପ୍ରତ୍ୟେକ ଗ୍ରାମକୁ ପକ୍କା ସଡ଼କର ବ୍ୟବସ୍ଥା କରାଇଥିଲେ । ଗାଁର ଉନ୍ନତି ହେଲେ ହିଁ ଦେଶର ଉନ୍ନତି ହେବ ତାହା ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା । ଏଣୁ ତାଙ୍କରି କଥାକୁ ଦେଶରେ ବିଜେପି ସରକାର ଅନୁସରଣ କରୁଥିବାବେଳେ ଗରିବ ଲୋକଙ୍କ ପାଖରେ କିଭଳି ସହଜରେ ସରକାରଙ୍କ ସୁଶାସନ ପହଞ୍ଚି ପାରିବ ସେଦିଗରେ ସରକାର କାର୍ଯ୍ୟ କରିବ ।"
ବାଜପେୟୀଙ୍କ ଜନ୍ମଜୟନ୍ତୀରେ ବ୍ରହ୍ମପୁରରେ ପ୍ରତିମୂର୍ତ୍ତି ଉନ୍ମୋଚିତ:
ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଶତବାର୍ଷିକ ସମାରୋହରେ ବ୍ରହ୍ମପୁର ସହରରେ ଉନ୍ମୋଚିତ ହୋଇଛି ବାଜପେୟୀଙ୍କ ପ୍ରତିମୂର୍ତ୍ତି । ବ୍ରହ୍ମପୁର ମହାନଗର ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ ପରିସରରେ ଏହି ପ୍ରତିମୂର୍ତ୍ତିର ଉନ୍ମୋଚନ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର, ଛତ୍ରପୁର ବିଧାୟକ କୃଷ୍ଣ ନାୟକ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡାଙ୍କ ସମେତ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।
ବାଲେଶ୍ୱରରେ ବାଜପେୟୀଙ୍କ 100ତମ ଜନ୍ମ ଜୟନ୍ତୀ ପାଳିତ:
ବାଲେଶ୍ୱର ସହରର ଗାନ୍ଧିସ୍ମୃତି ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ 100ତମ ଜନ୍ମ ଜୟନ୍ତୀ ଏବଂ ସୁଶାସନ ଦିବସ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବରୁ ସ୍କୁଲ ଓ କଲେଜ ସ୍ତରୀୟ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।