ଭୁବନେଶ୍ବର: ଆଜି(ମଙ୍ଗଳବାର) ଠାରୁ ଆରମ୍ଭ ହେବାକୁ ଯାଉଛି ଓଡିଶାର ଶିଳ୍ପ ମହାକୁମ୍ଭ ଉତ୍କର୍ଷ ଓଡିଶା: ମେକ ଇନ ଓଡିଶା 2025 । କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରୁ ଓଡିଶା 5 ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ଆଶା ରଖିଥିବାବେଳେ ସାମିଲ ହେବେ ବଡ଼ ବଡ଼ ଶିଳ୍ପପତି । ପ୍ରସ୍ତୁତି ଚୂଡାନ୍ତ ହୋଇଥିବାବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ଲାଗି ପଦକ୍ଷେପ ନେଉଛି କମିଶନରେଟ ପୋଲିସ ।
- ଦୁଇ ଦିନ ଉତ୍କର୍ଷ ଓଡିଶା
ଭୁବନେଶ୍ୱର ଜନତା ମଇଦାନରେ ଜାନୁଆରୀ 28 ଓ 29 ଦୁଇଦିନ ଧରି ଉତ୍କର୍ଷ ଓଡିଶା: ମେକ ଇନ ଓଡିଶା କନକ୍ଲେଭ-2025 । ସୁଦୃଢ ଅର୍ଥନୈତିକ ଓ ଶିଳ୍ପ ଭିତ୍ତିଭୂମି ପ୍ରସ୍ତୁତ କରିବାରେ କାର୍ଯ୍ୟକ୍ରମ ମାଇଲଖୁଣ୍ଟ ସାବ୍ୟସ୍ତ କରିବାକୁ ଯୋଜନା କରିଛନ୍ତି ଓଡିଶା ସରକାର। ଦେଶର ଶ୍ରେଷ୍ଠ 5ଟି ଅର୍ଥନୀତି ରାଜ୍ୟ ମଧ୍ୟରେ ଓଡ଼ିଶାର ସ୍ଥାନ ପାଇବାର ଲକ୍ଷ୍ୟ ନେଇ ଆୟୋଜନ ହେଉଛି କାର୍ଯ୍ୟକ୍ରମ । ଶ୍ରମିକ, କୃଷକଙ୍କ ପରି ସାଧାରଣ ଲୋକଙ୍କ ପାଇଁ ମଧ୍ୟ ବିପୁଳ ସୁଯୋଗ ସୃଷ୍ଟି କରିବା ସହ କାର୍ଯ୍ୟକ୍ରମ ସବୁ ଦୃଷ୍ଟିକୋଣରୁ ଐତିହାସିକ କରିବା ଲାଗି ପଡିଛନ୍ତି ସରକାର । ଗତ 4 ମାସ ହେବ ବିଭିନ୍ନ ସ୍ଥାନରେ ନିବେଶକ ସମ୍ମିଳନୀ ଓ ରୋଡ଼ ସୋ କରିଛନ୍ତି ସରକାର । ଦିଲ୍ଲୀ, ମୁମ୍ବାଇ ଓ ପରେ ସିଙ୍ଗାପୁରରେ ଶିଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଚଳିତ ଇନଭେଷ୍ଟର୍ସ ମିଟ୍ରେ 5 ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ଆସିବାର ଆଶା ରଖିଛନ୍ତି ସରକାର । ଯାହା ଫଳରେ ରାଜ୍ୟରେ 3.5 ଲକ୍ଷରୁ ଅଧିକ ନିଯୁକ୍ତି ସମ୍ଭାବନା ମଧ୍ୟ ସୃଷ୍ଟି ହୋଇପାରିବ । ଏହି କାର୍ଯ୍ୟକ୍ରମରେ 100ରୁ ଅଧିକ ନିବେଶକ ଚୁକ୍ତି ସ୍ବାକ୍ଷର କରିବାର ସମ୍ଭାବନା ରହିଛି ।
- 7 ହଜାରରୁ ଊର୍ଦ୍ଧ୍ବ ଶିଳ୍ପପତି ପଞ୍ଜିକରଣ କରିଛନ୍ତି
ମେକ ଇନ ଓଡ଼ିଶା 2025 କାର୍ଯ୍ୟକ୍ରମ ପାଇଁ ୱେବସାଇଟ ଜରିଆରେ ପାଖାପାଖି 7500 ଜଣ ଶିଳ୍ପ ପ୍ରତିନିଧି ନାଁ ପଞ୍ଜିକରଣ କରିଛନ୍ତି । ଏହି ଶିଳ୍ପ ମହାକୁମ୍ଭରେ 16 ଟି ଦେଶର କୁଟନୈତିଜ୍ଞ ଏବଂ ପ୍ରତିନିଧି ଯୋଗ ଦେବେ । ଶିଳ୍ପପତି ଏସ୍ ଏଲ ମିତଲ, ଓମ ମଙ୍ଗଲମ ବିର୍ଲା, ଅନୀଲ ଅଗ୍ରୱାଲ, ହିତେଶ ଯୋଶୀ, ଟି ବି ନରେନ୍ଦ୍ରନ, କରଣ ଆଦାନୀ, ନବୀନ ଜିନ୍ଦଲ, ସଜ୍ଜନ ଜିନ୍ଦଲ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଚଳିତ ଥର ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଆଇଟି, ଅକ୍ଷୟ ଶକ୍ତି, ବୟନ, କେମିକାଲ, ଫୁଡ ପ୍ରସେସିଂ ଭଳି ୫ଟି କ୍ଷେତ୍ରକୁ ଫୋକସ କ୍ଷେତ୍ର ଭାବେ ଚୟନ କରାଯାଇଛି । ସେହିପରି ଅଷ୍ଟ୍ରେଲିଆ, ମ୍ୟାଲେସିଆ, ଜାପାନ, ଜର୍ମାନୀ, ପୋଲାଣ୍ଡ, କ୍ୟୁବା ଭଳି 12ଟି ରାଷ୍ଟ୍ର 'କଣ୍ଟ୍ରି ଅଫ ଫୋକସ' ରହିବାକୁ ନିମନ୍ତ୍ରଣ ହୋଇଛନ୍ତି । ଆସନ୍ତାକାଲି ପୂର୍ବାହ୍ନ 11 ଟାରେ ଉଦଘାଟନ ହେବ ଉତ୍କର୍ଷ ଓଡ଼ିଶା କନକ୍ଲେଭ । କନକ୍ଲେଭର 2 ଦିନରେ ବିଭିନ୍ନ କ୍ଷେତ୍ର ପାଇଁ ଅନୁଷ୍ଠିତ ହେବ 15ଟି ସ୍ଵତନ୍ତ୍ର ଅଧିବେଶନ । ପ୍ରଥମ ଦିନରେ 5ଟି ଓ ଦ୍ଵିତୀୟ ଦିନରେ 10ଟି ଅଧିବେଶନ ଅନୁଷ୍ଠିତ ହେବ । ଜାନୁଆରୀ 28-29 ଦୁଇ ଦିନ ଧରି 4ଟି ପ୍ଲେନାରି ସେସନ, 16ଟି ସେକ୍ଟରାଲ ସେସନ ଓ 4ଟି ଗୋଲଟେବୁଲ ବୈଠକ ରହିଛି ।
- ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି
ଷ୍ଟାର୍ଟ ଅପ ଓଡ଼ିଶା, ସ୍କିଲ ଇନ ଓଡ଼ିଶା ଏବଂ ୱେମେନ ଓଡ଼ିଶା ବା ସୁଭଦ୍ରା ଯୋଜନା ଜରିଆରେ ସଶକ୍ତିକରଣ ବିଷୟରେ ଆଲୋଚନା ହେବ । ମହିଳାଙ୍କ ସମ୍ପର୍କିତ ରାଉଣ୍ଡ ଟେବୁଲ, ସିଇଓ ରାଉଣ୍ଡ ଟେବୁଲ, ଏଡିଟରସ ରାଉଣ୍ଡ ଟେବୁଲ ଜରିଆରେ ଶିଳ୍ପ ଉଦ୍ୟଗୀ ସହ ଜ୍ଞାନର ଆଦାନ ପ୍ରଦାନ କରାଯିବ । କାର୍ଯ୍ୟକ୍ରମ ପାଇଁ ଜନତା ମଇଦାନ ଓ ଭୁବନେଶ୍ୱର ସହରକୁ ସଜାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟକ୍ରମର ଉଦଘାଟନ କରିବାକୁ ଆସୁଛନ୍ତି । ନୂଆ ସରକାର ଆସିବା ପରେ ପ୍ରଧାନମନ୍ତ୍ରୀଙ୍କ ଏହା ପଞ୍ଚମ ଓଡିଶା ଗସ୍ତ । ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ କାର୍ଯ୍ୟକ୍ରମରେ ଯୋଗ ଦେବେ । 28 ଓ 29 ତାରିଖରେ କେବଳ ଶିଳ୍ପ ପ୍ରତିନିଧିଙ୍କ ଲାଗି କାର୍ଯ୍ୟକ୍ରମ ରହିଛି । 30 ତାରିଖରେ ସାଧାରଣ ଲୋକଙ୍କ ଲାଗି ଖୋଲାଯିବ । ସଂସ୍କୃତି ବିଭାଗ ଦ୍ଵାରା ବିଶିଷ୍ଟ ନୃତ୍ୟ ଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ନୃତ୍ୟ ପ୍ରଦର୍ଶନ ହେବ ।
ଏହା ମଧ୍ୟ ପଢନ୍ତୁ ସର୍କସ ଖୋଜୁଛି ଅସ୍ତିତ୍ବ, ଦୁର୍ଦ୍ଦିନରେ କଳାକାର, ଚିନ୍ତାରେ ମାଲିକ
ଏହା ମଧ୍ୟ ପଢନ୍ତୁ ଉତ୍ତରାଖଣ୍ଡରେ ଲାଗୁ ହେଲା UCC, ଦେଶରେ ପ୍ରଥମ ରାଜ୍ୟ
- 7 ମାସରେ 159 ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ
ନୂଆ ସରକାର ଆସିବାର 7 ମାସ ମଧ୍ୟରେ 159ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ମୋହନ ସରକାର । ଏଥିରେ 2 ଲକ୍ଷ 75 ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଓଡ଼ିଶାକୁ ଆସିଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି 2 ଲକ୍ଷ 15 ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ନିକଟରେ ସିଙ୍ଗାପୁର ସହିତ ଓଡିଶା ସରକାର ସବୁଜ ଶକ୍ତି, ଶିଳ୍ପ ଭିତ୍ତିଭୂମି ଏବଂ ଦକ୍ଷତା କ୍ଷେତ୍ରରେ 8ଟି ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି । ଏହି ବୁଝାମଣାପତ୍ର ଓଡିଶାକୁ ବିଶ୍ୱ ବ୍ୟାବସାୟିକ କେନ୍ଦ୍ରରେ ପରିଣତ କରିବାରେ ସହାୟକ ହେବ ବୋଲି ସରକାର ଆଶାବାଦୀ ଅଛନ୍ତି । 2036 ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ, ଶିଳ୍ପୋନ୍ନତ ତଥା ଅନ୍ତର୍ଭୁକ୍ତୀକରଣ ରାଜ୍ୟରେ ପରିଣତ କରିବା ଲକ୍ଷ୍ୟ ରଖିଛନ୍ତି ସରକାର । ଦୀର୍ଘସ୍ଥାୟୀ ଅଭିବୃଦ୍ଧି, ନୂତନ ନିଯୁକ୍ତି ସୃଷ୍ଟି ଏବଂ ଆର୍ଥିକ ଲାଭ ସମସ୍ତଙ୍କ ପାଖରେ ପହଁଚେଇବାକୁ ସରକାର ଗୁରୁତ୍ୱ ଦେଉଛନ୍ତି । ଓଡିଶା ସରକାରଙ୍କ ପକ୍ଷରୁ ଆୟୋଜିତ ହେଉଥିବା ଶିଳ୍ପ ମହାକୁମ୍ଭର ଏହା ଚତୁର୍ଥ ଏଡିସନ ।
- ସରକାର ବଦଳିଲା ନାଁ ବି ବଦଳିଲା
ବିଜେଡି ସରକାର ସମୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ 3ଟି ଶିଳ୍ପ ମହାକୁମ୍ଭ ଆୟୋଜନ ହୋଇଛି । 2016, 2018 ଓ 2022ରେ ଏହା ଆୟୋଜନ ହୋଇଥିଲା । 2020 ଏଡିସନ କୋଭିଡ଼ ପାଇଁ ବନ୍ଦ ରହିଥିଲା । ବିଜେଡି ସରକାର ସମୟରେ ଶିଳ୍ପ ମହାକୁମ୍ଭ ନାଁ ମେକ ଇନ ଓଡ଼ିଶା ଥିଲା । ସରକାର ବଦଳିବା ପରେ ଏହା ଉତ୍କର୍ଷ ଓଡିଶା : ମେକ ଇନ ଓଡିଶା ହୋଇଛି । 2016ରୁ ମେକ ଇନ ଓଡ଼ିଶା କନକ୍ଲେଭରେ 18 ହଜାର 500 ଜଣ ସାମିଲ ହୋଇଥିବାବେଳେ ପ୍ରାୟ 2 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ମିଳିଥିଲା । ସେହିପରି 2018 କନକ୍ଲେଭକୁ 45 ହଜାର ଶିଳ୍ପପତି ସାମିଲ ହୋଇଥିବାବେଳେ 4 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ମିଳିଥିଲା । 2022ର ତୃତୀୟ ସଂସ୍କରଣରେ ପାଖାପାଖି 10 ଲକ୍ଷ 30 ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା । ବିଜେଡି ସରକାରରୁ ଯିବା ଭିତରେ 3 ସଂସ୍କରଣ ମିଶେଇ ପ୍ରାୟ 60 ପ୍ରତିଶତ ପ୍ରକଳ୍ପ ଗ୍ରାଉଣ୍ଡେଡ ହୋଇଛି । ଗ୍ରାଉଣ୍ଡିଙ୍ଗରେ ସାରା ଭାରତରେ 1 ନମ୍ବର ଥିଲା ଓଡିଶା।
- ଆରବିଆଇ ରିପୋର୍ଟରେ ଓଡିଶା ତୃତୀୟ
ବିଗତ ବର୍ଷ ଆରବିଆଇ ରିପୋର୍ଟ ଅନୁଯାୟୀ ପୁଞ୍ଜିନିବେଶ କ୍ଷେତ୍ରରେ ଜାତୀୟ ସ୍ତରରେ ଓଡିଶା ତୃତୀୟ ସ୍ଥାନରେ ରହିଥିଲା । ସିଏମଆଇ ଓ ସିଆଇଆଇ ରିପୋର୍ଟରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଥିଲା । ବିଗତ 7ରୁ 8 ବର୍ଷ ଭିତରେ ଓଡ଼ିଶାର ରପ୍ତାନୀ ପରିମାଣ ପାଖାପାଖି ଦୁଇ ଗୁଣ ହୋଇଛି । ଗତ ଦୁଇ ଦଶନ୍ଧି ମଧ୍ୟରେ ସିମେଣ୍ଟ ଉତ୍ପାଦନ 22 ଗୁଣା ବୃଦ୍ଧି ହୋଇଛି । ଷ୍ଟିଲ ଉତ୍ପାଦନରେ ପ୍ରାୟ 15 ଗୁଣା ବୃଦ୍ଧି ହୋଇଛି । ବନ୍ଦର ପରିଚାଳନା କ୍ଷମତା 20 ମେଟ୍ରିକ ଟନରୁ ବୃଦ୍ଧି ପାଇ 176 ମେଟ୍ରିକ ଟନରେ ପହଞ୍ଚିଛି । କାର୍ଯ୍ୟକ୍ରମକୁ ଉଦଘାଟନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 10.35 ମିନିଟରେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି । 10.40ରେ ଭୁବନେଶ୍ବର ବିମାନବନ୍ଦରରୁ ବାହାରି 10.55ରେ ପ୍ରଧାନମନ୍ତ୍ରୀ ଜନତା ମଇଦାନରେ ପହଞ୍ଚିବେ । ପୂର୍ବାହ୍ନ 11 ଟାରେ ଉତ୍କର୍ଷ ଓଡ଼ିଶା - ମେକ ଇନ ଓଡିଶା କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । ସାଢ଼େ 12 ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । 12.35ରେ ଜନତା ମଇଦାନରୁ ବାହାରି 12.55ରେ ଡେହେରାଡୁନ ଫେରିଯିବେ ।