ଭୁବନେଶ୍ବର:ରାଜ୍ୟର ଟିକା ଭଣ୍ଡାରକୁ ମିଳିଲା ISO ପ୍ରମାଣପତ୍ର । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଟିକା ଭଣ୍ଡାରକୁ ମିଳିଛି ମାନ୍ୟତା । ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମ ଅଧୀନରେ ଟିକାର ଗୁଣବତ୍ତା ଓ ପରିଚାଳନା ପାଇଁ ରାଜ୍ୟ ଟିକା ଭଣ୍ଡାର ଦେଶର ପ୍ରଥମ ଟିକା ଭଣ୍ଡାର ଭାବେ ISO 9001:2015 ପ୍ରମାଣପତ୍ର ପାଇଛି । ତେବେ ବର୍ଷକୁ ୨. ୩୬ କୋଟି ଟିକାର ଉପଯୁକ୍ତ ସଂରକ୍ଷଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହାସହ ପ୍ରତିବର୍ଷ ୯.୪ ଲକ୍ଷ ଗର୍ଭବତୀ ମହିଳାଙ୍କୁ ଟୀକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି ।
ଓଡ଼ିଶା ଟିକା ଭଣ୍ଡାରକୁ ISO ପ୍ରମାଣପତ୍ର (ETV Bharat Odisha)
ଦେଶର ପ୍ରଥମ ଟିକା ଭଣ୍ଡାର ମାନ୍ୟତା:
ବିଶେଷ ଭାବରେ ଟିକାର ଉପଯୁକ୍ତ ସଂରକ୍ଷଣ, କୋଲ୍ଡ ଚେନ୍ ପରିଚାଳନା, ଯୋଗାଣ ଶୃଙ୍ଖଳ ପରିଚାଳନା, ଅନଲାଇନ ସଫ୍ଟୱୟାର ଜରିଆରେ କମ୍ପ୍ୟୁଟରରେ ରେକର୍ଡ, ପ୍ରତ୍ୟେହ ଦୁଇ ଥର ତାପମାତ୍ରା ପରୀକ୍ଷା ଦ୍ୱାରା ଟୀକାର ମାନ ବଜାୟ ରଖିବା ଓ ଶୂନ୍ୟ ଅପଚୟ ପରି ମାନକ ଗୁଡ଼ିକ ପାଇଁ ରାଜ୍ୟ ଟିକା ଭଣ୍ଡାରକୁ ଏହି ପ୍ରମାଣପତ୍ର ମିଳିଛି । ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ନିରନ୍ତର ପ୍ରୟାସ ଓ ଉତ୍ସର୍ଗୀକୃତ ସେବା ମନୋଭାବ ଯୋଗୁଁ ଏହି ସଫଳତା ମିଳିପାରିଛି । ଏହାସହ ସଠିକ କୋଲ୍ଡ ଚେନ୍ ବ୍ୟବସ୍ଥା ଏବଂ ଟିକାର ଉପଯୁକ୍ତ ପରିବହନ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ।
ଓଡ଼ିଶା ଟିକା ଭଣ୍ଡାରକୁ ISO ପ୍ରମାଣପତ୍ର (ETV Bharat Odisha)
ରାଜ୍ୟରେ ଟିକା ଭଣ୍ଡାରର ସ୍ଥିତି:
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଲିଥିବା ସୂଚନା ଅନୁସାରେ, ହିତାଧିକାରୀଙ୍କ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ଅନୁମୋଦିତ ତାପମାତ୍ରାରେ ଟିକାକୁ ସୁରକ୍ଷିତ ରଖିବା ପାଇଁ ଓଡ଼ିଶାରେ ଟିକା ଭଣ୍ଡାର, ୯ ଟି ଆଞ୍ଚଳିକ ଏବଂ ୩୨ ଟି ଜିଲ୍ଲା ଟିକା ଭଣ୍ଡାର ସମେତ ୧୨୬୩ ଟି କୋଲଡ ଚେନ କେନ୍ଦ୍ର ରହିଛି । ସମସ୍ତ ଟିକାର ଦୈନନ୍ଦିନ ଯୋଗାଣ ଶୃଙ୍ଖଳ ଓ ଗୁଣବତ୍ତାର ପରିଚାଳନା ପାଇଁ ସମସ୍ତ ଟିକା ଭଣ୍ଡାରରେ ଉତ୍ତମ ତାଲିମପ୍ରାପ୍ତ କର୍ମଚାରୀ ନିୟୋଜିତ ଅଛନ୍ତି ।
ଓଡ଼ିଶା ଟିକା ଭଣ୍ଡାର (ETV Bharat Odisha) ପ୍ରତିବର୍ଷ ୨. ୩୬ କୋଟି ଟିକାର ଉପଯୁକ୍ତ ସଂରକ୍ଷଣ ପାଇଁ ଲକ୍ଷ୍ୟ:
ପ୍ରତିବର୍ଷ ୯. ୪ ଲକ୍ଷ ଗର୍ଭବତୀ ମହିଳା, ୭. ୯ ଲକ୍ଷ ନବଜାତ ଓ ୨୮ ଲକ୍ଷ କିଶୋର- କିଶୋରୀଙ୍କ ଟୀକାକରଣ ଲକ୍ଷ୍ୟ ପୂରଣ ପାଇଁ ଟିକା ଭଣ୍ଡାରଗୁଡ଼ିକ ୨ .୩୬ କୋଟି ଟିକାର ଉପଯୁକ୍ତ ସଂରକ୍ଷଣ ଏବଂ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଏହାକୁ ସୁରକ୍ଷିତ ଭାବେ ପହଞ୍ଚାଇବା ପାଇଁ ଯତ୍ନବାନ ରହିଛି ସ୍ୱାସ୍ଥ୍ୟ ବିଭାଗ । ପୂର୍ବରୁ ରାଜ୍ୟର ୭ ଟି ଆଞ୍ଚଳିକ ଏବଂ ୨୨ ଟି ଜିଲ୍ଲା ଟିକା ଭଣ୍ଡାର ISO 9001:2015 ପ୍ରମାଣପତ୍ର ପାଇସାରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର