ଫେବୃଆରୀ ୫ରୁ ବିଧାନସଭା ଅଧିବେଶନ, ୪ରେ ସର୍ବଦଳୀୟ ବୈଠକ ଭୁବନେଶ୍ବର: ଆସନ୍ତା ଫେବୃଆରୀ ୫ରୁ ଆରମ୍ଭ ହେବାକୁ ଯାଉଛି ଷୋଡ଼ଶ ବିଧାନସଭାର ଶେଷ ଅଧିବେଶନ । ଫେବୃଆରୀ ୫ରୁ ୧୩ ପର୍ଯ୍ୟନ୍ତ ଅଧିବେଶନ ଚାଲିବାକୁ ଥିବା ବେଳେ ମୋଟ ୭ଟି କାର୍ଯ୍ୟ ଦିବସ ରହିଛି । ବିଧାନସଭାର ଶେଷ ଅଧିବେଶନକୁ ସୁରୁଖୁରୁରେ ଶେଷ କରିବା ଲାଗି ବାଚସ୍ପତି ପ୍ରମିଳା ମଲ୍ଲିକ ଡାକିଛନ୍ତି ସର୍ବଦଳୀୟ ବୈଠକ । ବିଧାନସଭାରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ଫେବୃଆରୀ ୪ ତାରିଖ ସନ୍ଧ୍ୟା ୬.୩୦ଟାରେ ବସିବ ଏହି ସର୍ବଦଳୀୟ ବୈଠକ ।
ଷୋଡ଼ଶ ବିଧାନସଭାର ଶେଷ ଅଧିବେଶନରେ କାମଚଳା ବଜେଟ ଅଧିବେଶନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଚଳିତ ଅଧିବେଶନ । ଶେଷ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ଲାଗି ବାଚସ୍ପତି ପ୍ରମିଳା ମଲ୍ଲିକ ଡାକିଛନ୍ତି ସର୍ବ ଦଳୀୟ ବୈଠକ । ରବିବାର ଅର୍ଥାତ ୪ ତାରିଖ ସନ୍ଧ୍ୟା ସାଢେ ୬ଟାରେ ବିଧାନସଭାରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ବସିବ ଏହି ସର୍ବଦଳୀୟ ବୈଠକ ।
ଏହା ବି ପଢନ୍ତୁ- ଫେବ୍ରୁଆରୀ ୫ରୁ ବିଧାନସଭା ବଜେଟ ଅଧିବେଶନ, ୮ରେ କାମଚଳା ବଜେଟ
ସେହିପରି ୫ ତାରିଖ ପୂର୍ବାହ୍ନ ୧୦.୧୫ରେ ବସିବ ବିଜେଡିର ବିଧାୟକ ଦଳ ବୈଠକ । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବସିବ ଏହି ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଏ ନେଇ ସୂଚନା ଦେଇଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ସେ କହିଛନ୍ତି, "ଆମେ ଆଶା କରୁଛୁ ବିରୋଧୀ ଗଠନ ମୂଳକ ସହଯୋଗ ଓ ପରାମର୍ଶ ଦେବେ । ସାଧାରଣ ଲୋକଙ୍କ ସମସ୍ୟା ସମ୍ପର୍କିତ ଆଲୋଚନା କରିବେ । ବିରୋଧୀଙ୍କ ପ୍ରଶ୍ନର ସଠିକ ଢଙ୍ଗରେ ଆଲୋଚନାକୁ ନେବାକୁ ସରକାର ପ୍ରସ୍ତୁତ ମଧ୍ୟ ଅଛନ୍ତି ।"
କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି, "ଶେଷ ଅଧିବେଶନର ପ୍ରଥମ ଦୁଇ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଅଣାଯିବ । ଆଲୋଚନା ପାଇଁ ସର୍ବମୋଟ 4 ଦିନ ଅଛି । କୌଣସି ବିଲ୍ ଆସିନାହିଁ । ସ୍ୱଳ୍ପ ସମୟରେ ବହୁତ ପ୍ରସଙ୍ଗ ରହିଛି । ସରକାରୀ ଟଙ୍କାରେ ରାଜନୀତି, ଦୁର୍ନୀତି ଚରମ ସୀମାରେ ପହଁଚିଛି । ଜଗନ୍ନାଥଙ୍କ ନାଁରେ ଟଙ୍କା, ଚାଉଳ ଅଣାଯାଇଛି, ଯାହାର ହିସାବ ନାହିଁ । ଗୋଟେ ଦଳ ଜଗନ୍ନାଥ ଓ ଅନ୍ୟ ଦଳ ଶ୍ରୀରାମଙ୍କ ସାହାରା ନେଉଛନ୍ତି ।"
ବିଧାନସଭା ବିଜ୍ଞପ୍ତି ଅନୁସାରେ ଚଳିତ ଅଧିବେଶନରେ ରହିଛି ୭ କାର୍ଯ୍ୟ ଦିବସ । ଫେବୃଆରୀ ୫ ତାରିଖରେ ରାଜ୍ୟପାଳ ରଘୁବର ଦାସ ରଖିବେ ଅଭିଭାଷଣ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ୬ ଓ ୭ ତାରିଖରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ । ଫେବ୍ରୁଆରୀ ୮ରେ କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ । ୯ ତାରିଖରେ ବଜେଟ ଉପରେ ଆଲୋଚନା ହେବ । ୧୦ ଓ ୧୧ ଛୁଟି ରହିଛି । ୧୩ ତାରିଖ ଚଳିତ ଅଧିବେଶନର ଶେଷ ଦିବସ ରହିଛି ।
ଇଟିଭି ଭାରତ, ଭୁବନେଶ୍ବର