ଭୁବନେଶ୍ବର: ଆସନ୍ତା 22 ତାରିଖରୁ ଆରମ୍ଭ ହେବାକୁ ଯାଉଛି ସପ୍ତଦଶ ବିଧାନସଭାର ବଜେଟ ଅଧିବେଶନ । ଏହି ଅଧିବେଶନରେ ମୋହନ ସରକାର ପ୍ରଥମ ବଜେଟ ଆଣିବାକୁ ଯାଉଛନ୍ତି । ନୂଆ ସରକାରକୁ ସଶକ୍ତ ବିରୋଧୀ ଥିବାରୁ ଏ ଅଧିବେଶନ ରୋଚକ ହେବ । ଏବେ ଠାରୁ ଏନେଇ ଉଷ୍ମତା ବାରି ହୋଇପଡିଲାଣି । ରାଜ୍ୟପାଳଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହେବା ସହ 25 ତାରିଖରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ବଜେଟ ଆଗତ କରିବେ । ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି ଯେ, ଓଡିଶା ବିଧାନସଭାର ସପ୍ତଦଶ ଅଧିବେଶନ ଆସନ୍ତା 22 ତାରିଖରୁ ଆରମ୍ଭ ହେବ । ମୋଟ 27 କାର୍ଯ୍ୟ ଦିବସ ରହିଛି । ସେପ୍ଟେମ୍ବର 13 ତାରିଖ ପର୍ଯ୍ୟନ୍ତ ବିଧାନସଭାର କାର୍ଯ୍ୟ ଅବଧି ରହିଛି । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଧାନସଭା ଅଧିବେଶନର ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ରହିବ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ବିଧାନସଭା ଲାଗି ପ୍ରସ୍ତୁତି ଚାଲିଛି । ରାଜ୍ୟପାଳଙ୍କ ପକ୍ଷରୁ ଅନୁମତି ପତ୍ର ମିଳିଛି । ସେଥିପାଇଁ ପ୍ରସ୍ତୁତି କାର୍ଯ୍ୟକ୍ରମ ଚାଲିଛି । ବଜେଟର ପ୍ରାକ ପ୍ରସ୍ତୁତି ଚାଲିଛି । ବଜେଟକୁ ନେଇ ସ୍ୱତନ୍ତ୍ର ଭାବେ ପଦକ୍ଷେପ ନିଆଯାଉଛି । ଏହାର ରୂପରେଖ ପ୍ରସ୍ତୁତି ହେଉଛି। ଚୂଡାନ୍ତ ହେଲେ ଏନେଇ ବିସ୍ତୃତ ସୂଚନା ପ୍ରଦାନ କରାଯିବ ।"