ପୁରୀ: ବ୍ରହ୍ମଗିରିକୁ ନେଇ ବଢୁଛି ଚର୍ଚ୍ଚା । ନିର୍ବାଚନ ଯେତେ ପାଖାଉଛି ସେତେ ତାତି ବଢୁଛି । ବ୍ରହ୍ମଗିରି ଦଖଲ ପାଇଁ ସବୁ ଦଳ ମୈଦାନରେ ବଳ କଷୁଛନ୍ତି । ଚାଲିଛି ରାଜନୀତି , ପ୍ରସ୍ତୁତି ରଣନୀତି । ସବୁଦଳ କଷୁଛନ୍ତି ବିଜୟ ଅଙ୍କ । ବିକାଶ, ଜନସମସ୍ୟା, ଦୁର୍ନୀତି ହେବ ଅସ୍ତ୍ର । ଗାଁ ମୁହାଁ ରାଜନେତା । ସଭାସମିତି ବୈଠକରେ ଗର୍ଜୁଛି ଗାଁ । ଜିନ୍ଦାବାଦ ନାରାରେ ପ୍ରକମ୍ପିତ ହେଉଛି ପରିବେଶ । ବ୍ରହ୍ମଗିରିବାସୀ ବି ଆରମ୍ଭ କରିଛନ୍ତି ହିସାବ କିତାବ । କାହାକୁ ଦେବ ଭୋଟ? କିଏ ହେବେ ତାଙ୍କ ପ୍ରତିନିଧୀ ? ଗାଁରେ ବସୁଛି ସଭା। ନିଷ୍ପତ୍ତି ନେଉଛନ୍ତି ଗାଁ ମୁଖିଆ । ପ୍ରସ୍ତୁତ ହେଉଛି ସମସ୍ୟାର ତାଲିକା । ନିର୍ବାଚନ ବିଗୁଲ ବାଜିନଥିଲେ ବି ପୁଣି ଥରେ ବ୍ରହ୍ମଗିରି ଦଖଲ ପାଇଁ ବିଜେଡି ଦମ ଲଗାଇଥିବା ବେଳେ, ବିଜେପି କ୍ଷମତା ବଜାୟ ରଖିବା ପାଇଁ ଉଦ୍ୟମ କରୁଛି । ଏପଟେ କଂଗ୍ରେସ ଦୁଇ ଦଶନ୍ଧୀ ପରେ ପୁଣି ଥରେ ବ୍ରହ୍ମଗିରିରେ ବିଜୟ ବାନା ଉଡାଇବାକୁ ଆଶା ବାନ୍ଧିଛି । ହେଲେ ପ୍ରାର୍ଥୀତ୍ବକୁ ନେଇ କୌଣସି ଦଳରେ ଛିଣ୍ଡି ନାହିଁ ଅଙ୍କ ।
ଅଧିକ ପଢନ୍ତୁ- ମର୍ଯ୍ୟାଦା ସମ୍ପନ୍ନ ସମ୍ବଲପୁରର କିଏ ହେବେ ପରବର୍ତ୍ତୀ ବିଧାୟକ; ସବୁ ଦଳର ପ୍ରାର୍ଥୀ ଅସ୍ପଷ୍ଟ
ଏହି ଚର୍ଚ୍ଚା ଆଲୋଚନା ଲଢେଇ ମଧ୍ୟରେ ବିଜେପି ଟିକେଟ ଆଶାୟୀରେ ଥିବା ଦିବଂଗତ ଲଳାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ରଙ୍କୁ ନେଇ ବଢୁଛି ବ୍ରହ୍ମଗିରିରେ ଚର୍ଚ୍ଚା । ପୁରା ବ୍ରହ୍ମଗିରିରେ ଉପାସନା ସଂଗଠନର ଶକ୍ତି ବୃଦ୍ଧି କରୁଥିବା ବେଳେ ସମସ୍ତ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ଲୋକଙ୍କ ସୁଖ ଦୁଃଖରେ ମିଶୁଛନ୍ତି । ଦଳୀୟ ନେତା କର୍ମୀଙ୍କୁ ନେଇ ବୈଠକ କରୁଛନ୍ତି । ଏପରି ସ୍ଥିତିରେ ବ୍ରହ୍ମଗିରିବାସୀଙ୍କ ମନରେ ମଧ୍ୟ ସଂଶୟ ପ୍ରାର୍ଥୀ ହେବେ କି ଉପାସନା ? କାରଣ ଏବେ ଉପାସନାଙ୍କ ଦାଦା ତଥା ଦିବଂଗତ ଲଳାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବ୍ରହ୍ମଗିରିର ବିଧାୟକ ଅଛନ୍ତି । ହେଲେ କିଛି ଦିନ ହେଲେ ବିଧାୟକ ଲଳିତେନ୍ଦୁ ନିର୍ବାଚନ ମଣ୍ଡଳୀରେ ନିଷ୍କ୍ରିୟ ହୋଇଥିବା ବେଳେ ଝିଆରୀ ଉପାସନା କିନ୍ତୁ ବେଶ ସକ୍ରିୟ ହୋଇପଡିଛନ୍ତି । ଉପାସନାଙ୍କ ଏହି ସକ୍ରିୟତା ପଛରେ ଦାଦା ତଥା ବିଧାୟକ ଲଳିତେନ୍ଦୁଙ୍କ ପୂର୍ଣ୍ଣ ସମର୍ଥନ ଥିବା ଚର୍ଚ୍ଚା ହେଉଛି । ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି ଆଗାମୀ ନିର୍ବାଚନରେ ବ୍ରହ୍ମଗିରି ବିଜେପି ପ୍ରାର୍ଥୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ନୁହେଁ ଉପାସନା ମହାପାତ୍ର ହୋଇପାରନ୍ତି । କାରଣ କଂଗ୍ରେସ ଟିକେଟରେ ହ୍ୟାଟ୍ରିକ ବିଧାୟକ ହୋଇଥିବା ଲଳାଟେନ୍ଦୁଙ୍କ ନିଧନ ପରେ ତାଙ୍କ ପରିବାର ପୁରା ସଂଗଠନକୁ ଧରି ଗତ 2019 ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ହେଲେ ସେତେବେଳ କୌଣସି କାରଣରୁ ଉପାସନା ନିର୍ବାଚନ ଲଢିନଥିଲେ । ତାଙ୍କ ବଦଳରେ ଦାଦା ଲଳିତେନ୍ଦୁ ପ୍ରାର୍ଥୀ ହୋଇ ବିଧାନସଭା ପହଞ୍ଚିଥିଲେ । ଏବେ ଚର୍ଚ୍ଚା ହେଉଛି ଉପସାନଙ୍କୁ ବ୍ରହ୍ମଗିରି ଦାୟିତ୍ବ ଦେଇପାରନ୍ତି ବିଧାୟକ ଲଳିତେନ୍ଦୁ । ଯଦି ଏହା ହୁଏ ସମ୍ଭବତଃ ବ୍ରହ୍ମଗିରି ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର ହୋଇପାରନ୍ତି ।
କଣ କହୁଛନ୍ତି ଉପାସନା ମହାପାତ୍ର:- ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଆଶା ରଖିଥିବା ବିଜେପି ନେତ୍ରୀ ଉପାସନା ମହାପାତ୍ର କହିଛନ୍ତି, ‘‘ସେ ଆଗାମୀ ନିର୍ବାଚନରେ ଲଢ଼ିବେ। ବ୍ରହ୍ମଗିରିବାସୀଙ୍କ ସମସ୍ୟା ସମାଧାନ କରିବା ଏବଂ ଏକ ବିକସିତ ବ୍ରହ୍ମଗିରି ଗଠନ ତାଙ୍କର ଲକ୍ଷ୍ୟ । ବ୍ରହ୍ମଗିରି ବାସୀଙ୍କ ଭାଇ ଲୁଲୁ ମହାପାତ୍ରଙ୍କ ଝିଅ ସେ। ଏଣୁ ତାଙ୍କ ପ୍ରତି ବ୍ରହ୍ମଗିରି ବାସୀଙ୍କ ବିପୁଳ ସ୍ନେହ ଶ୍ରଦ୍ଧା ରହିଛି। ତେଣୁ ସେବା କରିବାର ସୁଯୋଗ ଦେବେ ଜନତା ।’’ ସେହିପରି ବିଧାଯକ ଲଳିତେନ୍ଦୁ ମହାପାତ୍ର କହିଛନ୍ତି ଯେ ଉପାସନା ବିଜେପିର ସଦସ୍ୟା। ସେ ତାଙ୍କ କ୍ୟାରିଅର ପାଇଁ କାର୍ଯ୍ୟ କରୁଛନ୍ତି। ସେ ନିର୍ବାଚନ ଲଢ଼ିବେ କି ନାହିଁ ତାହା ଗଣମାଧ୍ୟମରେ କହିବା ଉଚିତ ନୁହେଁ। ବିଜେପି ଏକ ରାଷ୍ଟ୍ରୀୟ ଦଳ । ଦଳ ନିଷ୍ପତ୍ତି ନେବ କିଏ ନିର୍ବାଚନ ଲଢିବ । କିନ୍ତୁ ତାଙ୍କ ନିଷ୍ପତ୍ତି ସେ ଦଳୀୟ ନେତୃତ୍ବକୁ ଜଣାଇ ଦେଇଛନ୍ତି ।
ଅଧିକ ପଢନ୍ତୁ- ନିମାପଡ଼ା ବିଧାନସଭା କ୍ଷେତ୍ରରେ ରାଜନୈତିକ ତାତି, ପୁଣି ସମୀର ନା ହେବ ପରିବର୍ତ୍ତନ ?
ସେପଟେ ଗତ 2019 ନିର୍ବାଚନ ପରାସ୍ତ ହୋଇଥିବା ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସ ବର୍ମା ଏବେ ପୁଣି ଥରେ ବ୍ରହ୍ମଗିରି ମୈଦାନରେ ସକ୍ରିୟ ଅଛନ୍ତି। ବିଜେଡି ପ୍ରାର୍ଥୀ କିଏ ହେବ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ସଞ୍ଜୟ ପୁଣି ଥରେ ପ୍ରାର୍ଥୀ ହେବାକୁ ଆଶା ରଖିଛନ୍ତି । ଏଥିପାଇଁ ସଂଗଠନକୁ ସଜାଡିବା ସହ ଗାଁ ଗାଁ ବୁଲୁଛନ୍ତି । ସରକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଉଛନ୍ତି। ଏହାସହ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଯୋରଦାର କରିଛନ୍ତି । ହେଲେ ସଞ୍ଜୟଙ୍କ ରାସ୍ତାରେ ଏବେ ଦଳୀୟ ନେତା କୈଳାଶ ପରିଡା ସଂକଟ ଭାବେ ଉଭା ହୋଇଛନ୍ତି । 28 ନମ୍ବର ଜୋନର ଜିଲା ପରିଷଦ ସଭ୍ୟ କୈଳାସ ପରିଡା ବ୍ରହ୍ମଗିରି ଓ କୃଷ୍ଣ ପ୍ରସାଦ ଅଞ୍ଚଳରେ ସଭା ସମିତି କରି ନିଜର ସଙ୍ଗଠନ ଦୃଢ କରୁଥିବା ବେଳେ ନିଜର ଶକ୍ତି ପ୍ରଦର୍ଶନ ମଧ୍ୟ ଜାରି ରଖିଛନ୍ତି। ଏପରିକ ସେ ବ୍ରହ୍ମଗିରିରୁ ନିର୍ବାଚନ ଲଢିବାକୁ ଇଛୁକ ଥିବା ସ୍ପଷ୍ଟ ଭାବେ କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସଞ୍ଜୟ ସତ୍ୟବାଦୀରୁ ନିର୍ବାଚନ ଲଢିବା ପାଇଁ ମନବଳାଇଥିବା ଚର୍ଚ୍ଚା ହେଉଛି । ଏଥିପାଇଁ ସତ୍ୟବାଦୀରେ ସଂଗଠନ ଆରମ୍ଭ କରିଥିବା ଆଲୋଚନା ହେଉଛି ।
କଣ କହୁଛନ୍ତି ସଞ୍ଜୟ ଓ କୈଳାଶ:- ନିଜ ପ୍ରାର୍ଥୀତ୍ବକୁ ନେଇ ସଞ୍ଜୟ ଦାସବର୍ମା କହିଛନ୍ତି, ‘‘ବ୍ରହ୍ମଗିରିରେ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ବିପୁଳ ସଫଳତା ମିଳିଛି । ବିଜେଡିର ସଙ୍ଗଠନ ଦୃଢ଼ ରହିଛି। ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ଯୋଜନା କରିଛନ୍ତି। ଏଣୁ ଆଗାମୀ ନିର୍ବାଚନରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀବାସୀ ବିଜେଡିକୁ ସମର୍ଥନ ଦେବେ।’’ ସେହିପରି ଟିକେଟ ଆଶାୟୀ କୈଳାଶ ପରିଡା କହିଛନ୍ତି ଦଳ ତାଙ୍କୁ ସୁଯୋଗ ଦେଲେ ବିଜେଡି ପୁଣି ଥରେ ବ୍ରହ୍ମଗିରିରେ ବିଜୟୀ ହେବ। ଦଳ ତାଙ୍କୁ ସୁଯୋଗ ଦେବ ବୋଲି ସେ ଆଶା ରଖିଛନ୍ତି ।