ଓଡିଶା

odisha

ETV Bharat / state

ଆଜି ପ୍ରଥମ ପର୍ଯ୍ୟାୟ ଭୋଟ, ୨୮ ବିଧାନସଭା ଆସନରେ ନେତା ବାଛୁଛନ୍ତି ଜନତା - Odisha Assembly election 2024 - ODISHA ASSEMBLY ELECTION 2024

Odisha Assembly election 2024: ଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ । ୪ ଲୋକସଭା ଆସନ ସହ ୨୮ ବିଧାନସଭା ଆସନରେ ହେବ ଭୋଟ ଗ୍ରହଣ । ନେତା ବାଛିବେ ୬୨ ଲକ୍ଷ ୮୭ ହଜାର ମତଦାତା । ଅଧିକ ପଢନ୍ତୁ

ଆଜି ପ୍ରଥମ ପର୍ଯ୍ୟାୟ ଭୋଟ, ୨୮ ବିଧାନସଭା ଆସନରେ ନେତା ବାଛିବେ ଜନତା
ଆଜି ପ୍ରଥମ ପର୍ଯ୍ୟାୟ ଭୋଟ, ୨୮ ବିଧାନସଭା ଆସନରେ ନେତା ବାଛିବେ ଜନତା (ETV Bharat Odisha)

By ETV Bharat Odisha Team

Published : May 13, 2024, 6:52 AM IST

ଭୁବନେଶ୍ବର: ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଭୋଟ ଦେଉଛି ଓଡ଼ିଶା । ୪ ଲୋକସଭା ଆସନ ଯଥା କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଲୋକସଭା ଆସନ ଏବଂ ଏହା ଅଧୀନସ୍ଥ ୨୮ଟି ବିଧାନସଭା ଆସନରେ ହେଉଛି ମତଦାନ । ୪ ଲୋକସଭା ଆସନରେ ୩୭ ଜଣ ପ୍ରାର୍ଥୀ ଥିବାବେଳେ ୨୮ଟି ବିଧାନସଭା ଆସନରେ ୨୪୩ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମୋଟ ୬୨ ଲକ୍ଷ ୮୭ ହଜାର ୨୨୨ ଜଣ ମତଦାତା । ଏଥିପାଇଁ ମୋଟ ୭୩୦୩ଟି ମତଦାନ କେନ୍ଦ୍ର କରାଯାଇଛି । ମାଓ ପ୍ରବଣ ଇଲାକାରେ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୪ଟାରେ ସରିବ । ଅନ୍ୟ ସ୍ଥାନରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ କରାଯିବ ।

ଆଜି ପ୍ରଥମ ପର୍ଯ୍ୟାୟ ଭୋଟ, ୨୮ ବିଧାନସଭା ଆସନରେ ନେତା ବାଛିବେ ଜନତା (ETV Bharat Odisha)


ଆଜି ନୂଆପଡା, ଖଡିଆଳ, ଲାଞ୍ଜିଗଡ, ଧର୍ମଗଡ, ଜୁନାଗଡ, ଭବାନୀପାଟଣା, ନର୍ଲା, ଉମରକୋଟ, ଝରିଗାଁ, ଡାବୁଗାଁ, କୋଟପାଟ, ମାଲକାନଗିରି, ଚିତ୍ରକୋଣ୍ଡା, ବ୍ରହ୍ମପୁର, ଛତ୍ରପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି, ଗୁଣୁପୁର, ବିଷମକଟକ, ରାୟଗଡା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟାଙ୍ଗି ବିଧାନସଭା ଆସନରେ ମତଦାନ ହେଉଛି ।



ଆଜି ଅନେକ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା: ପ୍ରଥମ ପର୍ଯ୍ୟାୟରେ ଅନେକ ହେଭିୱେଟ ନେତାଙ୍କ ଭାଗ୍ୟ ଇଭିଏମ ମେସିନରେ ସିଲ୍ ହେବ । ଯେମିତିକି ପିସିସି ସଭାପତି ଶରତ ପଟ୍ଟନାୟକ, ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ, ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ସିଦ୍ଧାନ୍ତ ମହାପାତ୍ର, ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରଦୀପ ପାଣିଗ୍ରାହୀ, ରାଜପରିବାରର ରାଣୀ ମାଳବିକା ଦେବୀ, ସାଂସଦ ରମେଶ ମାଝୀ, ପ୍ରଦୀପ ମାଝୀ, ବଳଭଦ୍ର ମାଝୀ ।



ହାଇପ୍ରୋଫାଇଲ ବିଧାନସଭା ଆସନ:

ପ୍ରଥମ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ୨୮ ବିଧାନସଭା ଆସନ ମଧ୍ୟରୁ କିଛି ଆସନରେ ପ୍ରତିଦ୍ବନ୍ଦିତା କରୁଛନ୍ତି ୩ ପ୍ରମୁଖ ଦଳର ଟାଣୁଆ ନେତା । ଏହି ଆସନଗୁଡିକ ହେଲା ନୂଆପଡା, ଝରିଗାଁ, ଜୁନାଗଡ, ନର୍ଲା, ଦିଗପହଣ୍ଡି, ଜୟପୁର ।

ନୂଆପଡା ଆସନ ଏବେ ବିଜେଡି ଦଖଲରେ ରହିଛି । ଏଠାରେ ରାଜେନ୍ଦ୍ର ଢୋଲକିଆ ବିଧାୟକ ରହିଥିବା ବେଳେ ଚଳିତ ନିର୍ବାଚନରେ ମଧ୍ୟ ପୁଣିଥରେ ତାଙ୍କୁ ଭରସା କରିଛି ବିଜେଡି । ନୂଆପଡାରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କଡା ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିବ । କାରଣ ଢୋଲକିଆଙ୍କ ସହ ମୁହାଁମୁହିଁ ହେବେ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ବିଜେପିର ଅଭିନନ୍ଦନ ପଣ୍ଡା ।



ଝରିଗାଁ ଆସନରେ ବର୍ତ୍ତମାନ ବିଜେଡିର ପ୍ରକାଶ ମାଝୀ ବିଧାୟକ ଥିବାବେଳେ ଏଥର ପ୍ରକାଶଙ୍କ ବଦଳରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କୁ ପ୍ରାର୍ଥୀ କରିଛି ବିଜେଡି । ବିଜେପିର ନରସିଂହ ଭତ୍ରା ଏବଂ କଂଗ୍ରେସର ହରବତୀ ଗୋଣ୍ଡ ଏଠୁ ପ୍ରତିଦ୍ବନ୍ଦିତା କରୁଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ପୁଣିଥରେ ଜୁନାଗଡରୁ ଲଢୁଛନ୍ତି । ଏଠି ବିଜେପି ମନୋଜ କୁମାର ମେହେର ଏବଂ କଂଗ୍ରେସ ତୁଳେଶ୍ବର ନାୟକଙ୍କୁ କ୍ୟାପଟେନଙ୍କ ବିପକ୍ଷରେ ପ୍ରାର୍ଥୀ କରିଛନ୍ତି ।


ନର୍ଲା ଆସନରେ କଂଗ୍ରେସର ଟାଣୁଆ ନେତା ଭକ୍ତ ଚରଣ ଦାସ ପ୍ରାର୍ଥୀ ହୋଇଥିବାବେଳେ ବିଜେଡିରୁ ମନୋରମା ମହାନ୍ତିଙ୍କୁ ପ୍ରତିଦ୍ବନ୍ଦିତା କରୁଛନ୍ତି ।
ଦିଗପହଣ୍ଡିରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର ଏବଂ ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର ମଧ୍ୟରେ ଲଢେଇ ହେଉଛି ।

ଆଜି ପ୍ରଥମ ପର୍ଯ୍ୟାୟରେ କୋରାପୁଟର ଜୟପୁର ଆସନରେ ପଡିବ ଭୋଟ । ଏହି ଆସନ ବରିଷ୍ଠ କଂଗ୍ରେସ ନେତା ତାରା ବାହାନୀପତିଙ୍କ ଦଖଲରେ ଥିବାବେଳେ ଚଳିତ ଥର ତାରାଙ୍କୁ ଟକ୍କର ଦେବାକୁ ବିଜେଡି ଦଳର ବରିଷ୍ଠ ନେତା ରବୀନ୍ଦ୍ର ନନ୍ଦଙ୍କ ପତ୍ନୀ ଇନ୍ଦିରା ନନ୍ଦଙ୍କୁ ପ୍ରାର୍ଥୀ କରିଛି ।

2019ରେ କେଉଁ ଦଳକୁ କେତେ:-

ଗତ 2019 ନିର୍ବାଚନରେ ଏହି 28 ବିଧାନସଭା ଆସନରୁ ବିଜେଡି 20 ଆସନ କବ୍‌ଜା କରିଥିଲା । ସେହିପରି ବିଜେପି ମାତ୍ର 4ଟି ଆସନ ଏବଂ କଂଗ୍ରେସ 3ଟି ଆସନରେ ସନ୍ତୁଷ୍ଟ ହୋଇଥିଲା । ଆଉ ଗୋଟିଏ ଆସନରେ ସ୍ବାଧୀନ ପ୍ରାର୍ଥୀ ବାଜିମାତ୍ କରିଥିଲେ । 2024 ନିର୍ବାଚନରେ ବିଜେଡି ସେହିସବୁ ଆସନରେ ନିଜର ବିଜୟଧାରା ବଜାୟ ରଖିପାରିବ ନା ବିଜେପି, କଂଗ୍ରେସର ରଣନୀତି କାମ ଦେବ ତାହା ଜୁନ 4 ଫଳାଫଳରେ ଜଣାପଡିବ ।



ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details