ଢେଙ୍କାନାଳ: ସରଗରମ ଢେଙ୍କାନାଳ ରାଜନୀତି । ନାମାଙ୍କନ ଭରିଲେ ଢେଙ୍କାନାଳ ବିଧାନସଭା ଆସନର ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ର । ନିଜର ଶହ ଶହ ସମର୍ଥକଙ୍କ ସହ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଚଳିତ ନିର୍ବାଚନରେ ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଉପରେ ବିଜେପି ଭରସା କରିଛି । ଆଜି ଦଳୀୟ କର୍ମୀଙ୍କ ସହିତ ଢେଙ୍କାନାଳ ଉପଜିଲ୍ଲାପାଳଙ୍କ ପାଖରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଚଳିତ ନିର୍ବାଚନରେ ସେ ନିଶ୍ଚୟ ବିଜୟୀ ହେବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ପ୍ରଥମେ ଢେଙ୍କାନାଳର ଆରାଧ୍ୟ ପ୍ରଭୁ ବଳରାମ ଜୀଉଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ଉପଜିଲ୍ଲାପାଳଙ୍କ ପାଖରେ ପହଞ୍ଚିଥିଲେ କୃଷ୍ଣଚନ୍ଦ୍ର । ଚଳିତ ନିର୍ବାଚନରେ ପରିବର୍ତ୍ତନର ସ୍ୱର ଓ ମୋଦିଙ୍କ ଗ୍ୟାରେଣ୍ଟି ହିଁ ତାଙ୍କୁ ବିଜୟ କରାଇବ ବୋଲି ସେ କହିଛନ୍ତି ।ଏହି ଅବସରରେ କୃଷ୍ଣଚନ୍ଦ୍ର କହିଛନ୍ତି ଯେ, ଢେଙ୍କାନାଳରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ଟ୍ରାଫିକ ସମସ୍ୟାକୁ ନେଇ ଭୋଟରଙ୍କୁ ଆକୃଷ୍ଟ କରାଯିବ । ସେ ବିଜୟୀ ହେଲେ ଢେଙ୍କାନାଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ମେଡିକାଲ କଲେଜ, ଶୀତଳ ଭଣ୍ଡାର ସ୍ଥାପନ ,ବନ୍ଦ ରହିଥିବା ଶିଳ୍ପ କାରଖାନା ପୁନରୁଦ୍ଧାର ସାଙ୍ଗକୁ ସ୍ଥାନୀୟ ବେକାରୀଙ୍କୁ ନିଯୁକ୍ତି ଆଦି ଦିଗରେ ସେ ଗୁରୁତ୍ୱ ଦେବେ । ଏହି ଅବସରରେ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ବିଜେପିର ପର୍ଯ୍ୟବେକ୍ଷକ ତଥା ରାଜସ୍ଥାନ ସରକାରଙ୍କ ଆଇନମନ୍ତ୍ରୀ ଜେ ଆର୍ ପଟେଲ ଉପସ୍ଥିତ ରହିଥିଲେ ।