କୋରାପୁଟ:ନାମାଙ୍କନ ଭରିଲେ ଦକ୍ଷିଣର ହେବିୱେଟ୍ । କୋରାପୁଟଲୋକସଭା ପ୍ରାର୍ଥୀ କାଳୀ ରାମ ମାଝୀଙ୍କ ସମେତ କୋରାପୁଟ ନିର୍ବାଚନ ମଣ୍ଡଳୀର ରଘୁରାମ ମାଛ, ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର କୈଳାଶ କୁଲେସିକା ଓ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀ ପାଇଁ ଚୈତନ୍ୟ ନନ୍ଦିବାଲି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
କୋରାପୁଟ ଗୁଣ୍ଡିଚା ମନ୍ଦିର ଠାରୁ ଏକ ବିରାଟ ରାଲିରେ ନିଜ ଦଳୀୟ ସମର୍ଥକଙ୍କ ସହିତ ଆସି ଜିଲ୍ଲାପାଳଙ୍କ ନିକଟରେ ବିଜେପି ସାଂସଦ ପ୍ରାର୍ଥୀ, ପଟ୍ଟାଙ୍ଗି ଓ କୋରାପୁଟ ନିର୍ବାଚନ ମଣ୍ଡଳୀ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ମୋଦି ସରକାରଙ୍କ ଗ୍ୟାରେଣ୍ଟି କାର୍ଡ ଓ ନବୀନ ସରକାରଙ୍କ ଦୁର୍ନୀତିକୁ ନେଇ ନିର୍ବାଚନ ମଇଦାନକୁ ଓଲ୍ହାଇବ ବୋଲି ବିଜେପି ସାଂସଦ ପ୍ରାର୍ଥୀ କାଳିରାମ ମାଝୀ କହିଛନ୍ତି ।
ଅନ୍ୟପଟେ ଲକ୍ଷ୍ମୀପୁର ବିଜେପି ବିଧାୟକ ପ୍ରାର୍ଥୀ କୈଳାଶ କୁଲେସିକା ବିଜେଡ଼ି ସରକାରଙ୍କ ଉପରେ ବର୍ଷିବା ସହିତ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ଏଥର ପଦ୍ମ ଫୁଟିବ ବୋଲି କହିଛନ୍ତି । ସେପଟେ ବିଜେପିରେ ଅନେକ ବର୍ଷ ଧରି ସଂଗଠନ କରି ଆସୁଥିବା ନେତାଙ୍କୁ ବିଜେପି ଅଣଦେଖା କରି ଆମଦାନୀ ନେତାଙ୍କ ଉପରେ ଭରସା କରି ପ୍ରାର୍ଥୀ କରିଥିବାରୁ ଅନେକ ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି । ଗୋଟେ ପଟେ ଅସନ୍ତୁଷ୍ଟ ନେତାଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାବେଳେ ଏହାକୁ କିପରି ବିଜେପି ମ୍ୟାନେଜ କରି ନିର୍ବାଚନ ବୈତରଣୀ ପାରି ହେଉଛି । ତାହା ସମସ୍ତଙ୍କ ନଜର ।