ବୌଦ୍ଧ:କଣ୍ଟାମାଳରେ ସରଗରମ ହୋଇଛି ରାଜନୀତି । ଗଡ ଦଖଲ ପାଇଁ ବିଜେଡି ପ୍ରାର୍ଥୀଙ୍କ ଜୋରଦାର ପ୍ରୟାସ ଆରମ୍ଭ କରିଥିବାବେଳେ ବିରେଧୀ ମଧ୍ୟ କଡ଼ା ଟକ୍କର ଦେଉଥିବା ଦେଖିବାକୁ ମିଳିଛି । ଦୁଇ ଦୁଇ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିବା ବିଜେଡିର ମହୀଧର ରଣା ତୃତୀୟ କ୍ଷମତା ହାସଲ ପାଇଁ ଭରପୁର ଉଦ୍ୟମ ଚଳାଇଛନ୍ତି । ଲଗାତାର ତିନିଥର ଏହି ଆସନକୁ ବିଜେଡି ହାତେଇ ଥିବାବେଳେ ଚଳିତ ନିର୍ବାଚନରେ କଡ଼ା ଟକ୍କର ଦେଉଛି ବିଜେପି ।
ବୌଦ୍ଧଜିଲ୍ଲାର ଦୁଇ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ମାନଙ୍କ ପ୍ରଚାର ଅଭିଯାନ ଜୋରଦାର ଚାଲିଛି । ନିଜ ନିଜ ସପକ୍ଷରେ ଜନମତ ସୃଷ୍ଟି ଉଦ୍ଦେଶ୍ୟରେ ପ୍ରାର୍ଥୀମାନେ ଭୋଟରଙ୍କ ନିକଟରେ ପହଞ୍ଚିବା ସହିତ ଭୋଟ ଭିକ୍ଷା କରୁଛନ୍ତି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ୨୦୦୯ ମସିହାରେ ଗଠିତ ହେବା ଠାରୁ ଏହା ବିଜେଡି ଦଳର କବଜ୍ଜାରେ ରହିଛି । ବିଜେଡି ଗଡ଼ ଭାବରେ ପରିଚିତ କଣ୍ଟାମାଳ ଆସନ ପାଇଁ ଚଳିତ ନିର୍ବାଚନରେ ଦୁଇ ଦୁଇଥର ବିଧାୟକ ଭାବରେ ନିର୍ବାଚିତ ମହୀଧର ତୃତୀୟ ଥର ପାଇଁ ଦଳ ଭରସା କରି ଟିକଟ ଦେଇଛି । ସେପଟେ ଚଳିତ ନିର୍ବାଚନରେ ବିଜେପି ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗଙ୍କ ଶକ୍ତି ବୃଦ୍ଧି ହେଉଥିବା ଚର୍ଚ୍ଚା ହେଉଛି ।
ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ନେଇ ଭୋଟରଙ୍କ ନିକଟରେ ପହଞ୍ଚି ଭୋଟ ଭିକ୍ଷା କରୁଛନ୍ତି ବିଜେଡି ପ୍ରାର୍ଥୀ ମହୀଧର । ଆଜି (ରବିବାର) ଦିନ ବିଜେଡି ପକ୍ଷରୁ ବାଉଁଶୁଣୀ ଠାରେ ଏକ ମହିଳାଙ୍କ ସ୍ବତନ୍ତ୍ର ସମାବେଶ ସହିତ ସନ୍ଧ୍ୟାରେରେ ଛାତ୍ର ଯୁବବର୍ଗଙ୍କୁ ନେଇ ସମାବେଶର ଆୟୋଜନ କରାଯାଇଥିଲା । ସେପଟେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ସଭାରେ ଉପସ୍ଥିତ ଥିବା ସମସ୍ତ ସମର୍ଥକଙ୍କୁ ଶ୍ରୀଜଗନ୍ନାଥଙ୍କ ଶୁଖିଲା ଭୋଗ ପ୍ରଦାନ କରି ବିଜେଡି ସପକ୍ଷରେ ମତଦାନ ପାଇଁ ବିଧାୟକ ପ୍ରାର୍ଥୀ ଅପିଲ କରିଥିଲେ ।