ଓଡିଶା

odisha

ETV Bharat / state

କାହିଁକି ଚାଲି ପାରୁନି ଗୃହ ? କାରଣ କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ - ODISHA ASSEMBLY BUDGET SESSION

ବାରମ୍ବାର ଗୃହ ଆରମ୍ଭରୁ ହେଉଛି ହଟ୍ଟଗୋଳ । ବିରୋଧୀ ନାରାବାଜି ଦେବା ସହିତ ଗୃହ ମଧ୍ୟଭାଗକୁ ଚାଲିଆସୁଛନ୍ତି । ଉପୁଜିଛି ଗୃହ କାର୍ଯ୍ୟରେ ବାଧା ।

ODISHA ASSEMBLY BUDGET SESSION
ODISHA ASSEMBLY BUDGET SESSION (ETV Bharat Odisha)

By ETV Bharat Odisha Team

Published : Feb 15, 2025, 3:23 PM IST

ଭୁବନେଶ୍ୱର:ଚାଲି ପାରୁନି ଗୃହ । ବିରୋଧୀଙ୍କ ହଟଗୋଳ ଯୋଗୁଁ ପ୍ରଶ୍ନକାଳ ବ୍ୟାହତ । ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ପ୍ରତିବାଦ ପ୍ରଦର୍ଶନ । ଗୃହ ମଧ୍ଯ ଭାଗରେ ନାରାବାଜି । ବିଜେଡି ଚାଷୀ ସମସ୍ୟା ନେଇ ହଟଗୋଳ କରୁଛି । ସେପଟେ କଂଗ୍ରେସର ମଧ୍ୟ ସମାନ ଆଭିମୁଖ୍ୟ । କଂଗ୍ରେସ ମଧ୍ୟ ଆଇନ ଶୃଙ୍ଖଳା ନେଇ ଅସନ୍ତୋଷ ବ୍ୟକ୍ତ କରିଛି । ଫଳରେ ବାଚସ୍ପତି ଗୃହକୁ ମୁଲତବି ପରେ ମୁଲତବି ଘୋଷଣା କରୁଛନ୍ତି ।


ଦୁଇ ଦିନ ଧରି ସମାନ ସ୍ଥିତି । ଆଜି ମଧ୍ୟ ଆରମ୍ଭରୁ ଚାଲି ପାରିଲା ନାହିଁ ଗୃହ । ଉଭୟ ବିଜେଡି କଂଗ୍ରେସ ସଦସ୍ୟଙ୍କ ପ୍ରତିବାଦ ଯୋଗୁଁ ଗୃହରେ ଆଲୋଚନା ବାଧାପ୍ରାପ୍ତ ହେଉଛି । ସେପଟେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଆଲୋଚନା ମଧ୍ୟ ହୋଇପାରିଲା ନାହିଁ । ଆଜି ଆଇନ ,ପୂର୍ତ୍ତ, ପର୍ଯ୍ୟଟନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନକାଳ ଆଲୋଚନା ହୋଇପାରିଲା ନାହିଁ । ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଗୃହରେ ଆଲୋଚନା ହୁଏ, ସମସ୍ୟାର ସମାଧାନ ବାହାରେ । ହେଲେ ବିରୋଧୀଙ୍କ ହଟଗୋଳ ଯୋଗୁଁ ଗୃହ ଆରମ୍ଭରୁ ମୁଲତବୀ ହେଉଛି ।



ଅଦିନିଆ ବର୍ଷାରେ ଫସଲ ଧୋଇଯିବା ଫଳରେ ଚାଷୀ ହନ୍ତସନ୍ତ ପ୍ରସଙ୍ଗକୁ ଆୟୁଧ କରି ବିଜୁ ଜନତା ଦଳ ଅଭିଯୋଗ ଆଣି ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା ପଦର୍ଶନ କରିଥିଲେ । ରାଜ୍ୟ ସରକାର କ୍ଷମତାରେ ଆସିବା ପୂର୍ବରୁ ପ୍ରତିଶୃତି ଦେଇଥିଲେ ମଣ୍ଡିରେ କଟନୀ ଛଟନୀ ହେବ ନାହିଁ, କିନ୍ତୁ ପ୍ରତି ମଣ୍ଡିରେ ଏବେ ଚାଷୀ କାନ୍ଦୁଛି, ବ୍ୟାପକ କଟନୀ ଛଟନୀ ହେଉଛି ସେଥିପାଇଁ କଂଗ୍ରେସ ମଧ୍ୟ ଗୃହରେ ଚାଷୀ ସମସ୍ୟା ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ପ୍ରତିବାଦ କରିଥିଲା ।

ଏହା ବି ପଢନ୍ତୁ- ଚାଷୀ ଓ ଆଇନଶୃଙ୍ଖଳା ନେଇ ବିଧାନସଭା ହୁଲୁସ୍ତୁଲ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ - ODISHA ASSEMBLY ADJOURNED



ଆଜି ବିଜେଡି ପକ୍ଷରୁ ଏକ ଟିମ ରାଜ୍ୟପାଳଙ୍କୁ ଭେଟି ଚାଷ ଓ ଚାଷୀ ଅବ୍ୟବସ୍ଥା ନେଇ ଫେରାଦ ହେଉଛି । "କଟନୀ ଛଟନୀ ବନ୍ଦ ହେଉ ,ଚାଷୀ ର ସମସ୍ତ ଧାନ ଉଠୁ ,ମିଲର ଏବଂ ସରକାରଙ୍କ ଭିତରେ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ଆଜି ପ୍ରଭାବିତ । ରାଜ୍ୟରେ ଚାଷୀ ମୃତ୍ୟୁ ହେଉଛି । ତେଣୁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡି ଆଜି ଭେଟିବାକୁ ଯାଉଛୁ," ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ଆମେ ଚାଷୀ ଆଲୋଚନା କରିବାକୁ ଗତ କାଲିଠାରୁ କହୁଛୁ ହେଲେ ବାଚସ୍ପତି ଶୁଣୁନାହାନ୍ତି । 55 ମିନିଟରେ ଚାଷୀ ପ୍ରସଙ୍ଗ ଆଲୋଚନା ହୋଇପାରିବ ନାହିଁ । ତେଣୁ ଆମେ ଅଧିକ ସମୟ ଚାହୁଁଛୁ ହେଲେ ସରକାର ଚୁପ, ତେଣୁ ଏହାର ପ୍ରତିବାଦ କରି ଆମେ ରାଜ୍ୟପାଳଙ୍କୁ ଭେଟିବାକୁ ଯାଉଛୁ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ ।


କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କଡ଼ାମ କହିଛନ୍ତି, "ସରକାରଙ୍କ ଖାଁମ ଖିଆଲି ମନୋଭାବ ଯୋଗୁଁ ଚାଷୀ ଆଜି ହନ୍ତସନ୍ତ । ସବୁ ମଣ୍ଡିରେ ବ୍ୟାପକ କଟନୀ ଛଟନୀ ହେଉଛି । ସରକାର ଏହାକୁ ବନ୍ଦ କରି ପାରୁନାହାନ୍ତି ତେଣୁ ଏହାର ପ୍ରତିବାଦ କରି ଆଜି ଗୃହରେ ଆମେ ସ୍ୱର ଉଠାଇ ଥିଲୁ ।"


ସେପଟେ ସରକାରୀ ଦଳ ଏହାକୁ ନାପସନ୍ଦ କରିଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, "ବିରୋଧୀ ଭୟଭୀତ ଓ ପଳାୟନ ପନ୍ଥୀ । ସେମାନେ କେବେ ବିରୋଧି ଦଳରେ ବସି ନଥିଲେ, ତେଣୁ ବିରୋଧୀ ଦଳ କାର୍ଯ୍ୟ ନିର୍ବାହ କରି ପାରୁ ନାହାନ୍ତି । ପ୍ରଶ୍ନ ଉତ୍ତର କାଳ ବହୁତ ଗୁରୁତ୍ୱପୂର୍ଣ୍ଣ, ଯାହାକୁ ରାଜ୍ୟବାସୀ ଜାଣିବାର ମାଧ୍ୟମ । ବିରୋଧୀ ସରକାରୀ ଦଳର ଉତ୍ତର ଶୁଣିବାକୁ ସାହସ ରଖି ନାହାନ୍ତି । ଗତକାଲି କଂଗ୍ରେସ କଟନୀ ଛଟନୀ ନେଇ ଦେଇଥିବା ମୂଲତବି ପ୍ରସ୍ତାବକୁ ଗ୍ରହଣ କରାଯାଇଥିଲା ହେଲେ କାହିଁକି ଆଲୋଚନାକୁ କଂଗ୍ରେସ କି ବିଜେଡି ଆସୁ ନାହାଁନ୍ତି ? ଯେଉଁ 100 ଟଙ୍କା ବୋନସ କଥା ବିଜେଡି ସରକାର ଘୋଷଣା କରିଥିଲା, ତାହା ଦେଲା ନାହିଁ । ବିଜେପି 3100 ଟଙ୍କା ଦେଲା, ବିରୋଧୀଙ୍କ କୁମ୍ଭୀର କାନ୍ଦଣା ବନ୍ଦ ହେଉ । ଲୋକେ ଦେଖୁଛନ୍ତି ଯେ ସେମାନେ ବିଗତ ଦିନରେ କେମିତି ପ୍ରତାରିତ ହୋଇଛନ୍ତି । ବିଜେଡି ଓ କଂଗ୍ରେସର ଡବଲ ଷ୍ଟାଣ୍ଡାର୍ଡ । ବିଜେଡି ମୋସନ ପାଇଁ କହୁଛି, କଂଗ୍ରେସ ମୂଲତବି ପାଇଁ ଦାବି କରି ପରେ ଉଭୟ ଦଳ ମିଶି ଯାଉଛନ୍ତି ।"

ABOUT THE AUTHOR

...view details