ଭୁବନେଶ୍ବର: ଆଗାମୀ ୫ ବର୍ଷରେ ଓଡିଶାରେ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ । ଉତ୍କର୍ଷ ଓଡିଶା ମେକ ଇନ ଓଡିଶା କନକ୍ଳେଭରେ ଯୋଗ ଦେବା ପାଇଁ ଓଡିଶା ଆସିବାକୁ ଆଗ୍ରହ ଦେଖାଇଛନ୍ତି ଅନେକ କମ୍ପାନୀ । ଆଇଟିଇଏସରେ ଓଡ଼ିଆ ଯୁବକ କିପରି ଅଧିକ ରୋଜଗାର ପାଇବେ ସେ ଦିଗରେ ଆଲୋଚନା ହୋଇଥିବା ନେଇ ସିଙ୍ଗାପୁରରେ ରୋଡ଼ ସୋ' ପରେ ଆଜି ଓଡିଶା ଫେରି ଏହି ସୂଚନା ଦେଇଛନ୍ତି ରାଜ୍ୟ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ।
ସିଙ୍ଗାପୁରରେ ଶିଳ୍ପ ମୁଖ୍ୟଙ୍କ ସହ ଆଲୋଚନା:
SAMPAD SWAIN (ETV Bharat Odisha) ସିଙ୍ଗାପୁର ଗସ୍ତରୁ ଓଡ଼ିଶା ଫେରିଛନ୍ତି ଶିଳ୍ପମନ୍ତ୍ରୀସମ୍ପଦ ସ୍ୱାଇଁ। ଏନେଇ ଶିଳ୍ପମନ୍ତ୍ରୀ କହିଛନ୍ତି, "ସିଙ୍ଗାପୁର ଗସ୍ତ ଫଳପ୍ରଦ ହୋଇଛି । ସିଙ୍ଗାପୁରରେ ବିଭିନ୍ନ ସେକ୍ଟରର ଶିଳ୍ପ ମୁଖ୍ୟମାନଙ୍କ ସହ ଆଲୋଚନା ହୋଇଛି । ସେଠାରେ ପେଟ୍ରୋ କେମିକାଲ ବୁଲି ଦେଖିଲୁ । ସେଠାରେ ପେଟ୍ରୋଲିୟମ ସେକ୍ଟରରେ କେମିତି ଅତ୍ୟାଧୁନିକ କାର୍ଯ୍ୟ କରାଯାଇଛି । ପୋର୍ଟ ଗୁଡିକରେ ବିଶ୍ୱର ସବୁଠାରୁ ବଡ଼ କାର୍ଗୋ ଆସୁଛି ତାକୁ ଦେଖିଲୁ । ପେଟ୍ରୋଲିୟମ ସେକ୍ଟରରେ ଓଡ଼ିଶାର ପର୍ଯ୍ୟାପ୍ତ ପରିମାଣ ବିକାଶ ପାଇଁ ସୁବିଧା ଥିବାରୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ, କିଭଳି ପେଟ୍ରୋ କେମିକାଲ ସେକ୍ଟରରେ ଯେଉଁ ଭିତ୍ତିଭୂମି ଅଛି ତାର ବିକାଶ ପାଇଁ ସୁବିଧା ଅଛି । ପାରାଦ୍ବୀପରେ ଏହି ସୁବିଧା ଅଛି । ଏହା ଉପରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।"
ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାର ଅଭିବୃଦ୍ଧି ଯାତ୍ରାକୁ ସମୃଦ୍ଧ କରିବାକୁ ସିଙ୍ଗାପୁର ଗସ୍ତ ବଡ଼ ସୁଯୋଗ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଏହା ମଧ୍ୟ ପଢ଼ନ୍ତୁ...ସିଙ୍ଗାପୁରର ନିବେଶକଙ୍କୁ ଓଡିଶା ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ମୋହନ
୫ ବର୍ଷ ଭିତରେ ୫ ଲକ୍ଷ କୋଟି ପୁଞ୍ଜି:
ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଆହୁରି କହିଛନ୍ତି, "ଓଡ଼ିଶାର ପୁଞ୍ଜି ନିବେଶ କରିବା ପାଇଁ ଆମେ ନିବେଶକମାନଙ୍କ ସହିତ ଆଲୋଚନା କଲୁ । ଓଡ଼ିଶାର ଯେଉଁ ଭିତ୍ତିଭୂମି ଅଛି ସେ ବାବଦରେ ଆମେ ଆଲୋଚନା କରିଛୁ । ସେଠାରେ ସରକାର ଏବଂ ଶିଳ୍ପପତିମାନଙ୍କ ସହିତ ଆଲୋଚନା ହୋଇଛି । ସେଠିକାର ଡେପୁଟି ମିନିଷ୍ଟର, ଟ୍ରାନ୍ସପୋର୍ଟ, ଇଣ୍ଡଷ୍ଟ୍ରି ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛୁ । ସେମି-କଣ୍ଡକ୍ଟର ଇଣ୍ଡଷ୍ଟ୍ରି ଦେଖିଲୁ । ସ୍କିଲ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ପାଇଁ କେମିତି ସୁବିଧା ହେବ । ଓଡ଼ିଶାର ଯୁବକ ଯୁବତୀମାନଙ୍କୁ ସେମି-କଣ୍ଡକ୍ଟର ଉପରେ ନିଯୁକ୍ତି ହେବା । ITESରେ ଓଡ଼ିଆ ଯୁବକ କିପରି ଅଧିକ ରୋଜଗାର ପାଇବେ ସେ ଦିଗରେ ଆଲୋଚନା ହୋଇଛି । ଓଡିଶାର ଭିତ୍ତିଭୂମି ନେଇ ସେମାନଙ୍କୁ ଅବଗତ କରିବା ସହ ସବୁ ସହାୟତା ଯୋଗାଇ ଦେବାକୁ କହିଛୁ । ଆମର ଲକ୍ଷ୍ୟ ଅଛି ଓଡ଼ିଶାରେ ଅଧିକରୁ ଅଧିକ କେମିତି ପୁଞ୍ଜି ନିବେଶ ହେବ । ଆଗକୁ ଯେଉଁ ଉତ୍କର୍ଷ ଓଡିଶା ମେକ ଇନ ଓଡିଶା କନକ୍ଳେଭରେ ଯୋଗ ଦେବା ପାଇଁ ଆମେ ଅନେକ କମ୍ପାନୀକୁ ନିମନ୍ତ୍ରଣ କରିଛୁ । ଓଡ଼ିଶାରେ ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ଘଟିବ । ୫ ବର୍ଷ ଭିତରେ ୫ ଲକ୍ଷ କୋଟି ପୁଞ୍ଜି ନେଇ ସରକାର କାର୍ଯ୍ୟ କରୁଛନ୍ତି ।"
ଇଟିଭି ଭାରତ, ଭୁବନେଶ୍ବର