ଭୁବନେଶ୍ବର: ନିଆରା ଢଙ୍ଗରେ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ ଜଣାଉଛନ୍ତି ବିଶିଷ୍ଟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପ୍ରବାସୀ ଭାରତୀୟ ଦିବସରେ ସୁଦର୍ଶନ ଓ ଟିମ ପ୍ରସ୍ତୁତ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏକ ବିଶାଳ ବାଲୁକା ଚିତ୍ରକଳା । ଏହା ମାଧ୍ୟମରେ ପ୍ରବାସୀଙ୍କୁ ମହାପ୍ରଭୁଙ୍କ ଦେଶକୁ ସ୍ୱାଗତ କରୁଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
ଜଗନ୍ନାଥ ଦେଶକୁ ପ୍ରବାସୀଙ୍କୁ ସ୍ବାଗତ :
ଜନତା ମୈଦାନରେ ଶୋଭା ପାଉଛି ମହାପ୍ରଭୁଙ୍କ ବାଲୁକା ପ୍ରତିକୃତି । ମହାପ୍ରଭୁଙ୍କ ବଡ଼ ସିଂହାର ବେଶକୁ ବାଲୁକା ଚିତ୍ରକଳାରେ ସ୍ଥାନ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ସହଯୋଗରେ ଏହି ବିଶାଳ ବାଲୁକା ଚିତ୍ର କଳା ନିର୍ମାଣ କରିଛନ୍ତି ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏହି ସୁନ୍ଦର ବାଲୁକା ଚିତ୍ରକଳା ଦେଖିବାକୁ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ବେଶ ଭିଡ ଜମିଛି । ଏହି ବାଲୁକା ଚିତ୍ରକଳାରେ ହଜାର ହଜାର ସଂଖ୍ୟାରେ ଫୁଲ ସଜାଯାଇଛି । ଯାହାକି ବେଶ ଆକର୍ଷଣୀୟ ହେଇଛି ।
ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, "ପ୍ରତ୍ୟେକ ଓଡ଼ିଆଙ୍କ ଲାଗି ସୌଭାଗ୍ୟର ଦିନ । ଓଡ଼ିଶାରେ ପ୍ରଥମ ଥର ଲାଗି ପ୍ରବାସୀ ଭାରତୀୟ ଦିବସ ଆୟୋଜନ ହେଉଛି । ଯେହେତୁ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ଭୁବନେଶ୍ୱରରେ ଆୟୋଜନ ହେଉଛି, ଆମକୁ ଏକ ବଡ଼ ସୁଯୋଗ ମିଳିଛି । ବାଲୁକା ଚିତ୍ରକଳା ମାଧ୍ୟମରେ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରିବାକୁ ସୁଯୋଗ ମିଳିଛି । ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଛନ୍ତି, ତାଙ୍କୁ ସ୍ବାଗତ କରିବା ଲାଗି ବାଲୁକା ଚିତ୍ର କଳା ପ୍ରସ୍ତୁତ ହୋଇଛି । ଆମେ ଏଠାରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ଓଡିଶା ଆସିଛନ୍ତି, ସବୁବେଳେ ଜୟ ଜଗନ୍ନାଥ କହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ମହାପ୍ରଭୁଙ୍କୁ ସେ ସ୍ମରଣ କରନ୍ତି ।"
ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି, "ଲାଇଭ ସାଇଜର ଇମେଜ ଜରିଆରେ ଆମେ ପ୍ରଦର୍ଶିତ କରିଛୁ । ମହାପ୍ରଭୁଙ୍କ ବଡ଼ ସିଂହାର ବେଶକୁ ବାଲୁକା ଚିତ୍ରକଳା ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି। ସମସ୍ତଙ୍କୁ ଜୟ ଜଗନ୍ନାଥ କହି ସ୍ୱାଗତ କରାଯାଉଛି । ଏହାକୁ ନିର୍ମାଣ କରିବା ଲାଗି 4 ଦିନ ସମୟ ଲାଗିଛି । ଟନ ଟନ ବାଲିର ବ୍ୟବହାର ହୋଇଛି । ଏହାର ଆକଳନ ହୋଇନାହିଁ । ବିଭିନ୍ନ ଦେଶକୁ ଯାଇ ବାଲୁକା କଳା ପ୍ରଦର୍ଶନ କରେ । ସବୁବେଳେ ଓ ସବୁଠାରେ ପ୍ରବାସୀ ଭାରତୀୟ ମହାପ୍ରଭୁଙ୍କ ଲାଗି ଆନୁଗତ୍ୟ ପ୍ରଦର୍ଶନ କରନ୍ତି । ଏହା ଆମ ପାଇଁ ଗର୍ବର କଥା । ଏଭଳି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଆମେ ଆୟୋଜନ କରିବା ମଧ୍ୟ ଗର୍ବର କଥା । ପ୍ରବାସୀ ଭାରତୀୟ ଏକ ନିଆରା ଅନୁଭୂତି ନେଇ ଯିବେ ବୋଲି ବିଶ୍ଵାସ କରୁଛି । ମହାପ୍ରଭୁ ନିଜକୁ ନିର୍ମାଣ କରନ୍ତି । ଆମେ ନିମିତ୍ତ ମାତ୍ର ।"
ବଡ଼ସିଂହାର ବେଶ ହେଉଛି ପୁଷ୍ପ ବେଶ:
ଶ୍ରୀମନ୍ଦିରର ସ୍ୱତ୍ବଲିପି ମୁତାବକ ଶ୍ରୀବିଗ୍ରହମାନଙ୍କ ବଡ଼ ସିଂହାର ବେଶ ହୋଇଥାଏ । ଜଗନ୍ନାଥ ମନ୍ଦିରରେ ବହୁ ପ୍ରାଚୀନ କାଳରୁ ଠାକୁରମାନେ ଦୈନନ୍ଦିନ ପ୍ରଥମେ ବସ୍ତ୍ର ଶୃଙ୍ଗାର, ଦ୍ୱିତୀୟରେ ଭୂଷଣ ଶୃଙ୍ଗାର ଓ ଶୟନ କାଳରେ ପୁଷ୍ପ ଶୃଙ୍ଗାରରେ ଭୂଷିତ ହୋଇଥାନ୍ତି । ବଡ଼ସିଂହାର ବେଶ ହେଉଛି ପୁଷ୍ପ ବେଶ । ନାନାଦି ପୁଷ୍ପାଳଙ୍କାରରେ ବିମଣ୍ଡିତ ଶ୍ରୀଜୀଉମାନଙ୍କ ଏହି ଆକର୍ଷଣୀୟ ବେଶ ମନଲୋଭା ।
ବଡ଼ସିଂହାର ବେଶ ଇତିହାସ:
ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀରୁ ଏହି ମନୋରମ ପୁଷ୍ପ ଶୃଙ୍ଗାର ବା ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇ ଆସୁଥିବା ଜଣାଯାଏ । ଏହି ପବିତ୍ର ପୁଷ୍ପ ବେଶ ପ୍ରତ୍ୟେହ ରାତ୍ରରେ ଶ୍ରୀଜୀଉମାନଙ୍କ ଚନ୍ଦନଲାଗି ନୀତି ପରେ ହୋଇଥାଏ । ଶ୍ରୀମନ୍ଦିର ସ୍ୱତ୍ବଲିପି ଅନୁସାରେ ରାତ୍ର ୧୦ଟା ୩୦ ମିନିଟ ସମୟରେ ବଡ଼ସିଂହାର ବେଶ ହେବାର ନିୟମ ରହିଛି । ଏହି ବେଶ ପାଇଁ ଶ୍ରୀରାମ ଦାସ ମଠ ପୁଷ୍ପରେ ନିର୍ମିତ କରପଲ୍ଲବ, କୁଣ୍ଡଳ ଓ ତଡ଼ଗି ଯୋଗାଏ । ଏମାର ମଠ ଫୁଲର ଚନ୍ଦ୍ରିକା ଯୋଗାଏ । ଏହି ପୁଷ୍ପ ଅଳଙ୍କାର ଯୋଗାଇବା ସକାଶେ ଉକ୍ତ ଦୁଇ ମଠ ଖଞ୍ଜା ଜମି ଭୋଗ କରନ୍ତି । ଚାଙ୍ଗଡ଼ା ଘରୁ ଚାଙ୍ଗଡ଼ା ମେକାପ ବାରଲାଗି ପାଟ ଯୋଗାଏ । ଏହି ପାଟରେ ଗୀତ ଗୋବିନ୍ଦ ଶ୍ଲୋକ ବୁଣାଯାଇଥାଏ । କବି ଜୟଦେବଙ୍କ ସମୟରେ ଗୀତଗୋବିନ୍ଦର ପ୍ରଚଳନ ହୋଇ ପରବର୍ତ୍ତୀ ସମୟରେ ଗୀତଗୋବିନ୍ଦ ଖଣ୍ଡୁଆ ବଡ଼ସିଂହାର ବେଶରେ ଠାକୁରଙ୍କୁ ଲାଗିହେଲା ।
ବଡ଼ସିଂହାର ବେଶରେ ଆଭୂଷଣ :
ବଡ଼ସିଂହାର ବେଶରେ ଠାକୁରମାନେ ଖଣ୍ଡୁଆ, ପହରଣ, ଫୁଟା, ଶ୍ରୀକାପଡ଼ା, ସୂତା ଲୁଗା ଇତ୍ୟାଦି ପାରମ୍ପାରିକ ବସ୍ତ୍ରମାନ ପରିଧାନ କରିଥାନ୍ତି । ସୂଚନଯୋଗ୍ୟ ଯେ, ନୀଳଧଡ଼ିଯୁକ୍ତ ଧଳା ଶିରକପଡା ବଳଭଦ୍ରଙ୍କୁ, ହଳଦିଆ ରଙ୍ଗ ଧଡିର ଶିରକପଡ଼ା ପ୍ରଭୁ ଜଗନ୍ନାଥଙ୍କୁ ଓ ନାଲିଧଡିଆ ଧଳା ଶିରକପଡ଼ା ମା' ସୁଭଦ୍ରାଙ୍କୁ ଲାଗି ହୋଇଥାଏ । ଉକ୍ତ ବେଶରେ ଠାକୁରମାନେ ଲାଗି ହେଇଥିବା ବିଭିନ୍ନ ପୁଷ୍ପ ଅଳଙ୍କାର ମଧ୍ୟରେ ମୁଖ୍ୟତଃ ଗଭା, ଚନ୍ଦ୍ରିକା, ଅଳକା, ତିଳକ, ଝୁମ୍ଫା, ନାକୁଆସି, ଦଅଣା, ଅଧରମାଳ, ମକରକୁଣ୍ଡଳ, ଶ୍ରୀପୟର ମାଳା, ହୃଦୟପଦକ, କୌସ୍ତୁଭ ପଦକ, କରପଲ୍ଲବ ଆଦି ପ୍ରଧାନ ।
ଏହା ବି ପଢନ୍ତୁ...ପ୍ରବାସୀ ଭାରତୀୟ ମହାକୁମ୍ଭ ଆରମ୍ଭ, ମୁଖ୍ୟମନ୍ତ୍ରୀଙ୍କ ସମେତ ବୈଦେଶିକ ମନ୍ତ୍ରୀ ଉପସ୍ଥିତ
ଏହା ବି ପଢନ୍ତୁ...ଆସିଲେଣି ପ୍ରବାସୀ, ଚିନ୍ତା ବଢାଉଛି ନୂଆ ଭାଇରସ୍: କେନ୍ଦ୍ରର ସତର୍କତା ସହ ହେବ ଆୟୋଜନ
ଏହା ମଧ୍ୟ ପଢନ୍ତୁ...ଆସିବେ ଅତିଥି: ରଙ୍ଗୀନ ଆଲୁଅରେ ଝଲସୁଛି ପୁରୀ, କାଲିଠୁ ବିଚ୍ ଫେଷ୍ଟିଭାଲ - PRAVASI BHARATIYA DIVAS
ବଡ଼ସିଂହାର ବେଶ ପରେ ହୁଏ ଠାକୁରଙ୍କ ବଡ଼ସିଂହାର ଭୋଗ :
ବଡ଼ସିଂହାର ବେଶ ହେଉଛି ବିଶେଷ ମାନସିକତା, ଭାବାବସ୍ଥା ତଥା ପ୍ରକୃତିର ପ୍ରତିଫଳନ । ପୌରାଣିକ କଥା ଅନୁଯାୟୀ ଅତିବଡ଼ି ଜଗନ୍ନାଥ ଦାସ ଗୋସ୍ୱାମୀ ପ୍ରତିଦିନ ମହାପ୍ରଭୁଙ୍କ ବଡ଼ସିଂହାର ବେଶ ଦର୍ଶନ କରିବା ପରେ ଶୟନ କରୁଥିଲେ । ବଡ଼ସିଂହାର ବେଶ ପରେ ପରେ ଠାକୁରମାନଙ୍କ ବଡ଼ସିଂହାର ଭୋଗ ହୁଏ । ଏହି ବେଶରେ ଠାକୁରମାନଙ୍କ ପହୁଡ଼ ବା ଶୟନ ନୀତି ସମ୍ପାଦିତ ହୋଇଥାଏ ।
ଇଟିଭି ଭାରତ, ଭୁବନେଶ୍ବର