ଭୁବନେଶ୍ୱର: ୩ ବର୍ଷ ଭିତରେ ସୃଷ୍ଟି ହେବ ୨୫ ଲକ୍ଷ ଲକ୍ଷପତି ଦିଦି । ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମାସକୁ ଏକ ଲକ୍ଷ ଟଙ୍କା ରୋଜଗାର କରିବେ ସେନେଇ ବ୍ୟବସ୍ଥା କରିବେ ରାଜ୍ୟ ସରକାର । ଆଉମଧ୍ୟ ସୁଭଦ୍ରା ହିତାଧିକାରୀଙ୍କ ଝିଅ ବିବାହ ପାଇଁ ଆର୍ଥିକ ସହାୟତା ଯୋଗାଇବେ ସରକାର । ଶନିବାର ସୁଭଦ୍ରା ଶକ୍ତି ମେଳା ଉଦଘାଟନ ଅବସରରେ ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ସୁଭଦ୍ରା ମହିଳା ଶକ୍ତି ମେଳା ଉଦଘାଟିତ:
ରାଜଧାନୀ ଭୁବନେଶ୍ୱରର ଜନତା ମୈଦାନଠାରେ ଶନିବାର 'ସୁଭଦ୍ରା ଶକ୍ତି ମେଳା' କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ନିଜର ଉତ୍ପାଦ ବିକ୍ରି ପାଇଁ ଦୀର୍ଘମିଆଦୀ ବଜାର ଯୋଗାଇଦେବା ସହ ଏକ ବଡ ବଜାର ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ମେଳାର ଉଦଘାଟନ କରାଯାଇଛି । ପ୍ରଥମ ଥର ପାଇଁ ଏଭଳି ମେଳାର ଆୟୋଜନ କରାଯାଇଛି । ୩ହଜାରରୁ ଊର୍ଦ୍ଧ୍ବ ମହିଳା ଏଥିରେ ସାମିଲ ହୋଇଥିବା ବେଳେ ୩୦୦ରୁ ଅଧିକ ଷ୍ଟଲ ପ୍ରଦର୍ଶନୀ ହୋଇଥିଲା ।
୯ ଦିନ ଧରି ଚାଲିବ ମେଳା:
ଏହି ମେଳା ଫେବୃଆରୀ ୨୨ରୁ ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ ୨ ଅର୍ଥାତ ୯ ଦିନ ପର୍ଯ୍ୟନ୍ତ ଚାଲିବ । ପ୍ରଦର୍ଶନୀରେ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ଏବଂ ଅର୍ଗାନିକ୍ ଉତ୍ପାଦ ପ୍ରଦର୍ଶିତ ହେଉଛି । ଯାହା ଦର୍ଶକମାନଙ୍କୁ ମିଶନ ଶକ୍ତି ମହିଳାମାନଙ୍କର ସୃଜନଶୀଳତା, ଦକ୍ଷତା ଏବଂ ଉଦ୍ୟୋଗିତା ଦେଖିବାର ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
'ସୁଭଦ୍ରା ଶକ୍ତି ମେଳା, ମହିଳା ସଶକ୍ତିକରଣ ପ୍ରତି ଓଡ଼ିଶା ସରକାରଙ୍କ ପ୍ରତିବଦ୍ଧତାର ପ୍ରତିଫଳନ':
ଉପମୁଖ୍ୟମନ୍ତ୍ରୀ ଆଉମଧ୍ୟ କହିଛନ୍ତି,"ସୁଭଦ୍ରା ଶକ୍ତି ମେଳା ୨୦୨୫ ମହିଳା ସଶକ୍ତିକରଣ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପ୍ରତି ଓଡ଼ିଶା ସରକାରଙ୍କ ପ୍ରତିବଦ୍ଧତାର ପ୍ରତିଫଳନ । ହସ୍ତଶିଳ୍ପ, ଟେରାକୋଟା, ବାଉଁଶ ଶିଳ୍ପ, ହସ୍ତତନ୍ତ ଏବଂ ଘରୋଇ ଆବଶ୍ୟକୀୟ ସାମଗ୍ରୀଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ଏବଂ ୱେଲନେସ୍ ଉତ୍ପାଦ, ଜୈବିକ ଖାଦ୍ୟ ସାମଗ୍ରୀ, ମସଲା, ମିଷ୍ଟାନ୍ନ ଏବଂ ମିଲେଟ୍-ଭିଭିକ ବ୍ୟଞ୍ଜନ ପର୍ଯ୍ୟନ୍ତ, ଉଚ୍ଚ ଗୁଣବତ୍ତା ଏବଂ ଦୀର୍ଘସ୍ଥାୟୀ ଉତ୍ପାଦଗୁଡ଼ିକ ବିକ୍ରି ହେଉଛି । ଏହି ମେଳା ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କୁ କ୍ରେତା, ବ୍ୟବସାୟ ଏବଂ ବଜାର ସହିତ ସଂଯୋଗ କରିବ, ଯାହା ସେମାନଙ୍କର ବ୍ୟବସାୟ ସମ୍ପ୍ରସାରଣ କରିବା ସହ, ଆର୍ଥିକ ଅଭିବୃଦ୍ଧି ଏବଂ ନେଟୱାକିଂ ସୁଯୋଗ ପାଇଁ ଦ୍ବାର ଖୋଲିବ । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏକାସଙ୍ଗେ ୪ଟିି ସ୍ଥାନରେ ଅର୍ଥାତ୍ ପୁରୀ, ମାଲକାନଗିରି, ସମ୍ୱଲପୁର ଏବଂ ବଲାଙ୍ଗିରରେ ଆଞ୍ଚଳିକ ମେଳାର ମଧ୍ଯ ଆୟୋଜନ ହେବ ।"
ଅନ୍ୟପଟେ ପ୍ରତିଦିନ ଏହି ମେଳାରେ ଓଡ଼ିଶୀ ନୃତ୍ୟ, କଥକ, ମେଲୋଡି ନାଇଟ, ଯୋଡି ଶଙ୍ଖ ନୃତ୍ୟ, ଛଉ, ଗୋଟିପୁଅ, ଦାସକାଠିଆ, ଲୋକନୃତ୍ୟ ,ମାହାରୀ, ରଣପା ଓ ସମ୍ବଲପୁରୀ ଭଳି ବିଭିନ୍ନ ପାରମ୍ପରିକ ନୃତ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ।
୩ ବର୍ଷ ଭିତରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ଲକ୍ଷ୍ୟ:
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି," ଏଣିକି ସୁଧ ଟଙ୍କା ଫେରିପାଇବେ ସ୍ୱୟଂ ଏହି ଗୋଷ୍ଠୀ । ଏହି ମେଳା ଆମ ଓଡ଼ିଶାର ମା ଭଉଣୀଙ୍କର ସଫଳତାର କାହାଣୀ । ଆଉ ସେମାନଙ୍କ ଦକ୍ଷତାର ନିଦର୍ଶନ । ୩ ବର୍ଷ ଭିତରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହେବ । ମାସକୁ ଏକ ଲକ୍ଷ ଟଙ୍କା ରୋଜଗାର କିଭଳି କରିବେ ସରକାର ସେନେଇ ବ୍ୟବସ୍ଥା କରିବେ । ସୁଭଦ୍ରା ପ୍ଲାଟଫାର୍ମରେ ଅନେକ ଯୋଜନା ଆରମ୍ଭ ହେଉଥିବା ବେଳେ କିଶୋରୀ ସୁଭଦ୍ରା ଯୋଜନା, ସୁଭଦ୍ରା ସଞ୍ଚୟ, ସୁଭଦ୍ରା ସଖୀ, ସୁଭଦ୍ରା ସଂଘ, ସୁଭଦ୍ରା କଲ ସେଣ୍ଟର ଓ ସୁଯୋଗ୍ୟ ସୁଭଦ୍ରା ଭଳି ଯୋଜନା ହେବ ।"
ସୁଭଦ୍ରା ହିତାଧିକାରୀ ଝିଅମାନଙ୍କୁ ବିବାହ କରାଇବେ ସରକାର:
ମୁଖ୍ୟମନ୍ତ୍ରୀ ଆଉମଧ୍ୟ କହିଛନ୍ତି," ବହୁ ଗରିବ ପରିବାର ଅଛନ୍ତି ଯେଉଁମାନେ ଝିଅ ବାହାଘର କରେଇବାରେ ଅକ୍ଷମ । ବିବାହ ପାଇଁ ଅର୍ଥ ସେମାନଙ୍କ ପାଇଁ ବାଧକ ହୋଇଥାଏ । ତେଣୁ ସେମାନଙ୍କ ବିବାହ କଷ୍ଟ ଦୂର କରିବା ପାଇଁ ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ବ୍ୟବସ୍ଥା କରାଯାଇଛି । ଏହି ଯୋଜନାରେ ସୁଭଦ୍ରା ହିତାଧିକାରୀଙ୍କ ଝିଅ ବିବାହ ସରକାର କରିବେ । ଏକ ସାମୁହିକ ବିବାହର ଭବ୍ୟ ଆୟୋଜନ ହେବ । ବାଜା ବାଜିବ, ରୋଷଣୀ ଆସିବ, ଭୋଜି ହେବ, ଝିଅଙ୍କୁ ଉପହାର ଦିଆଯିବ, ସେହିପରି ବିବାହ ପରେ ଝିଅକୁ ଯଥା ରୀତିନୀତିରେ ବିଦା କରିବାର ବ୍ୟବସ୍ଥା ରହିବ। ବିବାହର ଆୟୋଜନଠାରୁ ଝିଅ ବିଦା ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା ରାଜ୍ୟ ସରକାର କରିବେ ।"
ସ୍ଵୟଂ ସହାୟକ ମହିଳା ଗୋଷ୍ଠୀମାନଙ୍କୁ ସୁଧ ଟଙ୍କା ଛାଡ:
ସେ ଆଉମଧ୍ୟ କହିଛନ୍ତି, " ଓଡ଼ିଶା ଜୀବିକା ମିଶନ ଦ୍ବାରା ସବୁ କ୍ଷେତ୍ରରେ ସୁବିଧା ଯୋଗାଇ ଦିଆଯାଉଛି । ମହିଳାମାନଙ୍କୁ ଉଦ୍ୟୋଗୀ କରିବା ପାଇଁ ସବୁ ସୁବିଧା ଯୋଗାଇଦେବା ସରକାରଙ୍କ ଲକ୍ଷ୍ୟ । ଉଦ୍ୟୋଗୀ ମହିଳା ଗାଁ ସହର ଅତିକ୍ରମ କରି ଏବେ ଆନ୍ତର୍ଜାତୀୟ ସ୍ତରରେ ନା କରିବେ । ପ୍ରତି ମାସରେ ୧୦ ହଜାରରୁ ଅଧିକ ଟଙ୍କା ଯେମିତି ଘରକୁ ଆଣି ପାରିବେ ସେଥିପାଇଁ ଆଜିର ଏହି କାର୍ଯ୍ୟକ୍ରମ । ପୂର୍ବ ସରକାରଙ୍କ ଭୁଲକୁ ସୁଧାରି ଆମ ସରକାର ବକେୟା ଦରମା ଏବଂ ଦୀର୍ଘଦିନ ଧରି ଥିବା ଦାବିଗୁଡ଼ିକ ପୂରଣ ପାଇଁ ଲକ୍ଷପତି ଦିଦି ସ୍କିମ୍ ଆରମ୍ଭ କରିଛି । GPLFମାନଙ୍କୁ ପ୍ରଦାନ କରାଯାଉଥିବା ୩୫ ଲକ୍ଷ ଇନଭେଷ୍ଟ ଫଣ୍ଡକୁ ୬୦ ଲକ୍ଷ ଟଙ୍କା କରାଯାଇଛି । ଏହା ସହିତ ରାଜ୍ୟରେ ସ୍ଵୟଂ ସହାୟକ ମହିଳା ଗୋଷ୍ଠୀମାନେ ଯେପରି ଅଧିକ ସୁବିଧା ପାଇବେ ସେମାନଙ୍କ ସୁଧ ଛାଡ କରାଯିବ । ବ୍ୟାଙ୍କମାନଙ୍କୁ ଦେଉଥିବା ସୁଧ ମହିଳାଙ୍କୁ ଫେରିପାଇବେ । ୩୦୦ କୋଟି ଟଙ୍କା ସୁଧ ଫେରାଯିବ । ଅନ୍ତର୍ଜାତୀୟ ମହିଳା ଦିବସରେ ଦ୍ୱିତୀୟ କିସ୍ତି ହିସାବରେ ୫୦୦୦ ସୁଭଦ୍ରା ଟଙ୍କା ଦିଆଯିବ । ୫୦୦ ବିଲିଅନ ଡଲାରର ସ୍ବପ୍ନ ଦେଖିଛି ଓଡ଼ିଶା ମହିଳା । ଯାହାକି ଓଡ଼ିଶାର ସଶକ୍ତିକରଣ କ୍ଷେତ୍ରରେ କାର୍ଯ୍ୟକାରୀ କରାଯିବ ।"
ଇଟିଭି ଭାରତ, ଭୁବନେଶ୍ୱର