ଭଦ୍ରକ: ଆଜିକୁ ପ୍ରାୟ ୬୦ ବର୍ଷ ହେଲା ପାକିସ୍ତାନ ଜେଲରେ ସଜ୍ଜା କାଟୁଛନ୍ତି ଓଡ଼ିଆ ଯବାନ ଆନନ୍ଦ ପତ୍ରୀ । ୧୯୬୫ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧରେ ସାମିଲ ହୋଇଥିଲେ । ସେବେ ଠାରୁ ପାକିସ୍ତାନର ଲାହୋର ଜେଲରେ ସେ ଯୁଦ୍ଧବନ୍ଦୀ ଭାବେ ବନ୍ଦୀ ଅଛନ୍ତି । ଇତିମଧ୍ୟରେ ୬ ଦଶନ୍ଧି ବିତିଗଲାଣି । ପରିବାର ଲୋକେ ବି ଆନନ୍ଦଙ୍କୁ ମୁକୁଳେଇ ଆଣିବାକୁ ଯଥାସମ୍ଭବ ଚେଷ୍ଟା କରିସାରିଛନ୍ତି । ତଥାପି ଆଜି ପର୍ଯ୍ୟନ୍ତ ତାଙ୍କର ମୁକ୍ତି ସମ୍ଭବପର ହୋଇପାରିନାହିଁ । ଏବେ ଦୀର୍ଘ ବର୍ଷ ପରେ ପୁଣିଥରେ ତାଙ୍କର ମୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆନନ୍ଦଙ୍କ ପ୍ରସଙ୍ଗରେ ଜାତୀୟ ମାନବାଧିକାର ଆୟୋଗ(NHRC) କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସଚିବଙ୍କୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଏହି ପ୍ରସଙ୍ଗରେ ଆବଶ୍ୟକ ହେଲେ ଆନନ୍ଦଙ୍କ ପରିବାର ବର୍ଗ ଓ ଜାତୀୟ ମାନବାଧିକାର କର୍ମୀ ତଥା ସର୍ବୋଚ୍ଚ ନ୍ୟାୟାଳୟର ଆଇନଜୀବୀ ରାଧାକାନ୍ତ ତ୍ରିପାଠୀଙ୍କ ସହାୟତା ନେବାକୁ ମଧ୍ୟ ଆଦେଶ କରିଛନ୍ତି । ଯାହାପରେ ୭୦ ଦଶକରୁ ପାକିସ୍ତାନ ଜେଲରେ ବନ୍ଦୀ ଥିବା ଏହି ଓଡ଼ିଆ ଯବାନଙ୍କ ମୁକ୍ତି ଆଶାର ସଞ୍ଚାର ହୋଇଛି ।
1965 ଭାରତ-ପାକିସ୍ତାନ ଯୁଦ୍ଧ: ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ କଲ୍ୟାଣୀ ଗ୍ରାମରେ ଆନନ୍ଦ ପତ୍ରୀଙ୍କ ଘର । 1928ରେ ତାଙ୍କର ଜନ୍ମ । ସେ ଭାରତୀୟ ସେନା ନିଯୁକ୍ତି କେନ୍ଦ୍ର ଗୋଖେଲ ରୋଡ, କୋଲକାତା ମାଧ୍ଯମରେ ଭାରତୀୟ ସେନାରେ ନିଯୁକ୍ତ ହୋଇଥିଲେ । ଏହାପରେ 31 ବେଙ୍ଗଲ ଇଞ୍ଜିନିୟରିଂ ରେଜିମେଣ୍ଟରେ ଭାରତୀୟ ସେନାର ଯବାନ ଭାବେ ନିଯୁକ୍ତି ପାଇଥିଲେ । ପରେ 1962 ମସିହାରେ ଇଣ୍ଡୋ-ଚାଇନା ଯୁଦ୍ଧରେ ଯୋଗ ଦେଇଥିଲେ ଆନନ୍ଦ । 1965 ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ମଧ୍ୟ ସେ ସାମିଲ ହୋଇଥିଲେ । ସେବେଠାରୁ ପାକିସ୍ତାନର ଲାହୋରଠାରେ ଥିବା କୋଟ-ଲାକପାଟ କେନ୍ଦ୍ରୀୟ ଜେଲରେ ଯୁଦ୍ଧବନ୍ଦୀ ଭାବେ ଜୀବନ କାଟୁଛନ୍ତି ଆନନ୍ଦ ପତ୍ରୀ ।
ଫଟୋ ଦେଖି ଚିହ୍ନିଲେ ପୁଅ:2003 ଫେବୃଆରୀ 7 ତାରିଖରେ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞାପନ ପ୍ରକାଶିତ ହୋଇଥିଲା । ସେଥିରେ ଆନନ୍ଦଙ୍କ ଫଟୋ ବାହାରିଥିଲା । ଫଟୋରୁ ସେ ପାକିସ୍ତାନ ଜେଲରେ ଅଛନ୍ତି ବୋଲି ଜଣାପଡିଥିଲା । ମାତ୍ର ସେଥିରେ ତାଙ୍କର ନାଁ ''ନାସିମ୍ ଗୋପାଳ'' ବୋଲି ଇସଲାମବାଦରେ ଥିବା ଭାରତର ହାଇ କମିଶନରଙ୍କ ଦ୍ବାରା ଘୋଷଣା କରାଯାଇଥିଲା । ନାସିମ (ଆନନ୍ଦ) ମାନସିକ ଭାରସାମ୍ୟ ହରାଇଥିବା କାରଣରୁ ତାଙ୍କ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯାଇ ପାରିନଥିଲା । ସେପଟେ ବିଜ୍ଞାପନରେ ଆନନ୍ଦ ପତ୍ରୀଙ୍କ ଫଟୋ ବାହାରିବା ପରେ ତାଙ୍କର ପରିବାର ଓ ପୁଅ ବିଦ୍ୟାଧର ପତ୍ରୀ, ଯିଏ ବୃତ୍ତିରେ ଜଣେ ପୁରୋହିତ ଏବଂ କୋଲକତାରେ ବାସ କରୁଥିବା ବେଳେ ସେ ଫଟୋକୁ ଦେଖି ବାପାଙ୍କୁ ଚିହ୍ନି ପାରିଥିଲେ । ତାଙ୍କର ଗାଁ ଲୋକେ ମଧ୍ୟ ବିଜ୍ଞାପନରେ ପ୍ରକାଶିତ ଫଟୋଟି ଆନନ୍ଦଙ୍କର ବୋଲି ଚିହ୍ନଟ କରିଥିଲେ ।
ଏହି ବିଜ୍ଞାପନ ଦେଖିବା ପରେ ବିଦ୍ୟାଧର ପତ୍ରୀ କୋଲକାତାର "ଦିଗନ୍ତ' (ଏକ ସାମାଜିକ କଲ୍ୟାଣ ସଂଗଠନ) କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ପଶ୍ଚିମବଙ୍ଗ ରାଜ୍ୟ ଉପଭୋକ୍ତା ସୁରକ୍ଷା ପରିଷଦର ସଦସ୍ୟ ତଥା ଅନ୍ତର୍ଜାତୀୟ ମାନବ ଅଧିକାର ପରିଷଦ 'ଦିଗନ୍ତ'ର ସାଧାରଣ ସମ୍ପାଦକ ଉତ୍ପଳ ରାୟଙ୍କୁ ଏହିସବୁ କଥା ଅବଗତ କରାଇଥିଲେ । ସେହିଦିନଠାରୁ ଆନନ୍ଦ ପତ୍ରୀଙ୍କୁ ମୁକ୍ତ କରିବାରେ ଉତ୍ପଳ ରୟ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ 5 ଫେବୃଆରୀ, 2004ରେ ଉତ୍ପଳ, ଓଡ଼ିଶା ରାଜ୍ୟ ସୈନିକ ବୋର୍ଡର ସଚିବ ତଥା ନିର୍ଦ୍ଦେଶକ ଏବଂ ଓଡିଶା ଗୃହ ବିଭାଗର ଉପ ଶାସନ ସଚିବଙ୍କ ନିକଟକୁ ଆନନ୍ଦ ପତ୍ରୀଙ୍କୁ ମୁକ୍ତ କରିବା ପାଇଁ ଏକ ଅନୁରୋଧ ପତ୍ର ପଠାଇଥିଲେ ।
ତତ୍କାଳୀନ ବୈଦେଶିକ ମନ୍ତ୍ରୀ ପ୍ରଣବଙ୍କୁ ଚିଠି: ଏହି ପ୍ରସଙ୍ଗରେ ଆନନ୍ଦଙ୍କ ପୁଅ ବିଦ୍ୟାଧର ପତ୍ରୀ ଏବଂ ଉତ୍ପଳ ରୟ ତତ୍କାଳୀନ ବୈଦେଶିକ ବ୍ୟାପାର ମନ୍ତ୍ରୀ ପ୍ରଣବ ମୁଖାର୍ଜୀ ଏବଂ ବୈଦେଶିକ ସଚିବ ଶିବଶଙ୍କର ମେନନଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହ ଲିଖିତ ପତ୍ରରେ ଗୁହାରି କରିଥିଲେ । ଏଥିସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବହୁ ମାନ୍ୟଗଣ୍ୟ ଅଧିକାରୀଙ୍କୁ ମଧ୍ୟ ଭେଟି ଏ ବିଷୟରେ ସେମାନେ ଅବଗତ କରାଇଥିଲେ । କେବଳ ଭାରତରେ ନୁହେଁ, ସେତେବେଳର ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଜନାବ ଅନୱର ବର୍ନି, ଯିଏ ତାଙ୍କ ସରକାରୀ ଗସ୍ତରେ ପଞ୍ଜାବର ଚଣ୍ଡିଗଡକୁ ଆସିଥିଲେ ତାଙ୍କୁ ମଧ୍ୟ ସେମାନେ ଅବଗତ କରାଇଥିଲେ । ଏଥିସହ ପାକିସ୍ତାନର ସ୍ୱତନ୍ତ୍ର ଦୂତ ହମିଦ ଅନସାରୀ ପାରାନିଙ୍କୁ ସାକ୍ଷାତ କରି ବିଦ୍ୟାଧର ତାଙ୍କ ବାପାଙ୍କୁ ଯୁଦ୍ଧବନ୍ଦୀ ନୀତି ଅନୁସାରେ ମୁକ୍ତି କରି ପ୍ରତ୍ୟାର୍ପଣ କରିଦେବା ପାଇଁ ଅନୁରୋଧ କରିଥିଲେ ।
2006ରେ ହସ୍ତାନ୍ତର ସୁଯୋଗ ସୃଷ୍ଟି ଥିଲା:ପାରାନା ମଧ୍ୟ ତାଙ୍କୁ ୱାଘା ସୀମାରେ ଛାଡ଼ିଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ 12 ନଭେମ୍ବର 2006ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତ ସରକାରଙ୍କ ତତ୍କାଳୀନ ବୈଦେଶିକ ମନ୍ତ୍ରୀ ପ୍ରଣବ ମୁଖାର୍ଜୀଙ୍କୁ ଆନନ୍ଦ ପତ୍ରୀଙ୍କୁ ମୁକ୍ତ କରିବା ପାଇଁ ଏକ ଅନୁରୋଧ ପତ୍ର ପଠାଇଥିଲେ । 20 ଡିସେମ୍ବର, 2006ରେ ତତ୍କାଳୀନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ (ପାକିସ୍ତାନ ଡିଭିଜନ ) ଉତ୍ପଳ ରୟଙ୍କୁ ଡାକିଲେ ଏବଂ 22 ଡିସେମ୍ବର, 2006ରେ ମୁଖ୍ୟମନ୍ତ୍ରୀ ୱାଘା ସୀମା (ଭାରତ-ପାକ ସୀମା)ରେ ଆନନ୍ଦ ପତ୍ରୀଙ୍କୁ ଆଣିବାକୁ ଯିବାକୁ ସୂଚନା ଦେଇଥିଲେ ।