ସମ୍ବଲପୁର:ଆଜି ଗଣପର୍ବ ନୂଆଁଖାଇ ପାଇଁ ସମଗ୍ର ପଶ୍ଚିମ-ଓଡିଶା ଉତ୍ସବମୁଖର । ଏଥିପାଇଁ ଚଳଚଞ୍ଚଳ ସମ୍ବଲପୁର ସହର । ନୂଆଁଖାଇ ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ଆଜି ସ୍ୱତନ୍ତ୍ର ନୀତିକାନ୍ତି ଜାରି ରହିଛି l ପରମ୍ପରା ଅନୁଯାୟୀ ନିର୍ଦ୍ଧାରିତ ସମୟରେ ମା’ଙ୍କ ନିକଟରେ ଲାଗି ହୋଇଛି ବର୍ଷର ପ୍ରଥମ ଅମଳ ଶସ୍ୟ ‘ନବାନ୍ନ’ । ଲାଗି ପରେ ସମସ୍ତେ ନୂଆ ଖାଇ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି ।
- ଶୁଭଲଗ୍ନରେ ମା’ଙ୍କୁ ଲାଗି ହେଲା ନବାନ୍ନ :-
ଆଜି ଭୋର 4ଟା ସମୟରେ ମା’ ସମଲେଶ୍ୱରୀ ମନ୍ଦିରର ମୁଖ୍ୟ ଦ୍ୱାର ଖୋଲାଯାଇଥିଲା । ପୂଜକମାନେ ପ୍ରଥମେ ମନ୍ଦିରର ଗମ୍ଭୀରା ବା ଗର୍ଭଗୃହର ଦ୍ୱାର ଖୋଲି ମା’ଙ୍କୁ ଗଙ୍ଗାଜଳରେ ସ୍ନାନ କରାଇଥିଲେ । ଏହା ପରେ ମା’ଙ୍କୁ ପାଟ ବସ୍ତ୍ର ଓ ବିଭିନ୍ନ ଅଳଙ୍କାରରେ ସୁସଜ୍ଜିତ କରାଯାଇ ପୁଣି ଗମ୍ଭୀରାର ଦ୍ୱାରକୁ ବନ୍ଦ କରାଯାଇଥିଲା । ଏହା ପରେ ନବାନ୍ନ ଲାଗି ପାଇଁ ପୂର୍ବ ନିର୍ଦ୍ଧାରିତ ଶୁଭଲଗ୍ନ ସକାଳ 09.12 ମିନଟର ମାତ୍ର କିଛି କ୍ଷଣ ପୂର୍ବରୁ ମୁଖ୍ୟ ପୂଜକ ଓ ଅନ୍ୟ ପୂଜକମାନଙ୍କ ଘରୁ ନବାନ୍ନ ସହ ଅନ୍ୟ ଭୋଗ ସାମଗ୍ରୀ ମନ୍ଦିରରେ ପହଞ୍ଚିଥିଲା । ପୂର୍ବ ନିର୍ଧାରିତ ସମୟ ସକାଳ 9 ଘଟିକା 12 ମିନିଟରୁ 9 ଟା 27 ମିନିଟ୍ ମଧ୍ୟରେ ମା’ଙ୍କ ନିକଟରେ ନବାନ୍ନ ଲାଗି ହୋଇଥିଲା । ପରେ ମନ୍ଦିରର 115 ପାର୍ଶ୍ଵଦେବାଦେବୀଙ୍କୁ ମଧ୍ୟ ନବାନ୍ନ ଲାଗି ହୋଇଥିଲା ।
- ନୂଆ ଖାଇଲେ, ଗୁରୁଜନଙ୍କଠାରୁ ଆଶୀର୍ବାଦ ନେଲେ କନିଷ୍ଠ:-
ପୂଜକମାନେ ମା’ଙ୍କ ନିକଟରେ ଲାଗି ହୋଇଥିବା ନବାନ୍ନକୁ ଘରକୁ ନେଇ ନିଜ ନିଜ ଇଷ୍ଟ ଦେବାଦେବୀଙ୍କୁ ପୂଜା କରିଥିଲେ । ପରିବାରର ସମସ୍ତ ସଦସ୍ୟ ଏକାଠି ବସି ନୂଆଁ ଖାଇଛନ୍ତି । କନିଷ୍ଠମାନେ ବରିଷ୍ଠମାନଙ୍କୁ ଜୁହାର ବା ମୁଣ୍ଡିଆ ମାରି ଆଶୀର୍ବାଦ ଗ୍ରହଣ କରିଥିଲେ । ଘରେ ଘରେ ପିଠା ପଣା ସହ ସ୍ୱାଦିଷ୍ଟ ବ୍ୟଞ୍ଜନର ଆସର ଜମିଥିଲା । ପରେ ସନ୍ଧ୍ୟାରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।