ଓଡିଶା

odisha

ଦୁଇଦିନିଆ ‘ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ' ଉଦଯାପିତ

Nua Odisha Global Summit: ରାଜ୍ୟ ସରକାରଙ୍କ ‘ନୂଆ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ବରରେ ଆୟୋଜିତ ଦୁଇଦିନିଆ ‘ବିଶ୍ବ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’ ଉଦଯାପିତ । ଅଧିକ ପଢନ୍ତୁ

By ETV Bharat Odisha Team

Published : Feb 21, 2024, 8:09 AM IST

Published : Feb 21, 2024, 8:09 AM IST

Nua Odisha Global Summit
Nua Odisha Global Summit

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘ନୂଆ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ବରରେ ଆୟୋଜିତ ଦୁଇଦିନିଆ ‘ବିଶ୍ବ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ' ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଦିବସରେ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ତଥା ନିଯୁକ୍ତି ଓ ମାନବ ସମ୍ବଳ ବିକାଶ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୧୬ ବିଶେଷ ଅଧିବେଶନ ଜରିଆରେ ସେମାନେ ଭବିଷ୍ୟତର ଶିଳ୍ପ ପାଇଁ ରହିଥିବା ସମ୍ଭାବନା ତଥା ଭବିଷ୍ୟତ ଲାଗି ମାନବ ସମ୍ବଳ ପ୍ରସ୍ତୁତି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେଇଥିବା ପ୍ରମୁଖ ବ୍ୟକ୍ତିତ୍ୱ ଓ ବିଶେଷଜ୍ଞମାନେ ସେମାନଙ୍କ ମତ ଓ ପରାମର୍ଶ ଉପସ୍ଥାପନ କରିଥିଲେ ।

ସମ୍ମିଳନୀର ଦ୍ୱିତୀୟ ଅର୍ଥାତ ଉଦଯାପନୀ ଦିବସରେ ‘ମିଶନ ଶକ୍ତି ଓଡ଼ିଶା’ ଶୀର୍ଷକରେ ଏକ ବିଶେଷ ଅଧିବେଶନ ହୋଇଥିଲା । ଏଥିରେ ମିଶନ ଶକ୍ତି ବିଭାଗର ସଚିବ ସୁଜାତା ରାଉତ କାର୍ତ୍ତିକେୟନ୍ ଯୋଗଦେଇ ରାଜ୍ୟରେ ମହିଳା ସଶକ୍ତିକରଣର ସୁଦୂରପ୍ରସାରୀ ସୁଫଳ ସମ୍ପର୍କରେ କହିଥିଲେ । ରାଜ୍ୟର ଦ୍ରୁତ ଅଭିବୃଦ୍ଧି ପଛରେ ୭୦ ଲକ୍ଷରୁ ଅଧିକ ମହିଳା ଶକ୍ତିଙ୍କର ହାତ ରହିଛି ବୋଲି ସେ ବର୍ଣ୍ଣନା କରିଥିଲେ । ଏହାସହ ବିଭିନ୍ନ ବିଷୟରେ ହୋଇଥିବା ବୈଷୟିକ ଅଧିବେଶନରେ ପୂର୍ବତନ ଶିଳ୍ପ ନେତୃତ୍ୱ ସଂତୃପ୍ତ ମିଶ୍ର, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ପ୍ରମୁଖ ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ- ‘ଭବିଷ୍ୟତ ଲାଗି ଯୁବପିଢ଼ିକୁ ପ୍ରସ୍ତୁତ କରିବାକୁ ହେବ’: ମୁଖ୍ୟମନ୍ତ୍ରୀ

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଊଷା ପାଢ଼ୀ କହିଛନ୍ତି ଯେ, ଆଧୁନିକ ଶିଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶାରେ ଅପାର ସମ୍ଭାବନା ରହିଛି । ରାଜ୍ୟ ସରକାରଙ୍କ ଅନୁକୂଳ ଶିଳ୍ପ ନୀତି ଆଜି ଦେଶବିଦେଶର ନିବେଶକମାନଙ୍କୁ ବିଶେଷ ଭାବେ ଆକୃଷ୍ଟ କରୁଛି । ପାରମ୍ପରିକ ଶିଳ୍ପ ସହ ଆଇଟି ଏବଂ ଆଇଟିଇଏସ, ମାନୁଫାକଚରିଂ, ଲଜିଷ୍ଟିକ ଓ ସପ୍ଲାଏ ଚେନ ତଥା ସେବା କ୍ଷେତ୍ର ଲାଗି ଓଡ଼ିଶାରେ ବ୍ୟାପକ ସମ୍ଭାବନା ରହିଛି । ଏହାଛଡ଼ା ଆଗାମୀ କାଲିର ଶିଳ୍ପ ଓ ବିଭିନ୍ନ କ୍ଷେତ୍ରର ଯେଉଁ ମାନବ ସମ୍ବଳର ଆବଶ୍ୟକତା ରହିଛି, ତାହା ଆଜିଠାରୁ ପ୍ରସ୍ତୁତ କରିବା ପାଇଁ ଆମ ରାଜ୍ୟ ପ୍ରସ୍ତୁତ ହେଉଛି । ଏହି ୨ ଦିନିଆ ସମ୍ମିଳନୀରେ ଯେଉଁ ବିଷୟରେ ବ୍ୟାପକ ଆଲୋଚନା ହୋଇଛି, ତାହା ଆମକୁ ଏକ ନୂଆ ମାର୍ଗଦର୍ଶନ ଦେବାରେ ସହାୟକ ହେବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details