ସମ୍ବଲପୁର: ଜୁଲାଇ ମାସ ଶେଷ ହେବାକୁ ବସିଲାଣି, ହେଲେ ବଢୁନି ହୀରାକୁଦ ଜଳଭଣ୍ଡାର ଜଳସ୍ତର l ଉପର ମୁଣ୍ଡରେ ବର୍ଷାର ଅଭାବ ହେଉ ବା ଛତିଶଗଡ଼ ଏକାଧିକ ଜଳବନ୍ଦୀ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଫଳରେ ଜଳପ୍ରବାହ କମିଯିବା ଯୋଗୁଁ ହେଉ ଚଳିତବର୍ଷ ହୀରାକୁଦ ଜଳଭଣ୍ଡାରର ପୂର୍ବାପେକ୍ଷା ଶୁଖିଲା ପଡ଼ିଥିବା ଦେଖିବାକୁ ମିଳିଛି l ଆଜିର ଦିନରେ ହୀରାକୁଦ ଡ୍ୟାମର ଜଳସ୍ତର ଗତବର୍ଷ ଅପେକ୍ଷା ପ୍ରାୟ 8ଫୁଟ୍ କମ ରହିଛି l ଯାହା ଚାଷୀକୂଳ ଓ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିବା ପରି ସ୍ଥିତି ସୃଷ୍ଟି କଲାଣି ।
ଚିନ୍ତା ବଢାଇଲାଣି ହୀରାକୁଦର ସ୍ଥିତି, ନିଅଣ୍ଟିଆ ବର୍ଷା ସାଙ୍ଗକୁ ଛତିଶଗଡର ଜଳବନ୍ଦୀ ପ୍ରକଳ୍ପ ପାଇଁ ନାହିଁ ପାଣି (ETV Bharat Odisha) ସୂଚନାଯୋଗ୍ୟ ଯେ ହୀରାକୁଦ ଡ୍ୟାମର ସର୍ବାଧିକ ଜଳଧାରଣ କ୍ଷମତା 630 ଫୁଟ ଥିବା ବେଳେ ଆଜି ତାରିଖରେ ଜଳଭଣ୍ଡାର ଜଳସ୍ତର ରହିଛି 600.54 ଫୁଟ l ତେବେ ଗତବର୍ଷ ଆଜିର ଦିନରେ ଜଳସ୍ତର 611ଫୁଟ ରହିଥିଲା l ଯାହାକି ଚଳିତବର୍ଷ ପ୍ରାୟ 11ଫୁଟ ଜଳ କମ ରହିଛି l ଅନ୍ୟପଟେ ହୀରାକୁଦ ଜଳ ଭଣ୍ଡାର ସମ୍ପୂର୍ଣ ଭର୍ତ୍ତି ହେବାକୁ ଆହୁରି 30ଫୁଟ ଉଚ୍ଚତାର ଜଳ ଆବଶ୍ୟକ l ବିଶେଷଜ୍ଞଙ୍କ ମତରେ ଆଗକୁ ଜଳ ଭଣ୍ଡାର ଭର୍ତ୍ତି ହୋଇଯିବ l ତେବେ ଜୁଲାଇ ମାସରେ ହୀରାକୁଦର ଉପର ମୁଣ୍ଡରୁ କମ ଜଳ ପ୍ରବାହ ଥିବାରୁ ଏହାର ପ୍ରଭାବ ବିଦ୍ୟୁତ ଉତ୍ପାଦନ ଓ ମତ୍ସଜୀବୀଙ୍କ ଜୀବିକା ଉପରେ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି ।
ବିଶ୍ବର ଦୀର୍ଘତମ ନଦୀବନ୍ଧ ଯୋଜନା ହେଉଛି ସମ୍ବଲପୁରରେ ମହାନଦୀ ଉପରେ ନିର୍ମିତ ହୀରାକୁଦ l ମୁଖ୍ୟତଃ ବନ୍ୟା ନିୟନ୍ତ୍ରଣ, ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ ପାଇଁ ଏହାକୁ ନିର୍ମାଣ କରାଯାଥିଲା l ତେବେ ବର୍ତ୍ତମାନର ସବୁଠାରୁ ବଡ଼ ସମସ୍ୟା ହେଉଛି ଜୁଲାଇ ମାସ ଶେଷ ହେବାକୁ ଆସିଥିବା ବେଳେ ଏହାର ଜଳସ୍ତର ସ୍ବାଭାବିକ ଭାବେ ବୃଦ୍ଧି ପାଉନାହିଁ l ଏହା ପ୍ରମାଣିତ କରିଛି ଯେ ହୀରାକୁଦର ଉପର ମୁଣ୍ଡରୁ ଛାତିଶଗଡ଼ ପଟୁ ମହାନଦୀରେ ଜଳ ପ୍ରବାହ କମିଛି ଓ ବର୍ଷାର ପରିମାଣ ମଧ୍ୟ ହ୍ରାସ ପାଇଛି l ତେଣୁ ଏହାର ପ୍ରଭାବରେ ବିଦ୍ୟୁତ ଉତ୍ପାଦନ ଓ ମତ୍ସ୍ୟଜୀବୀଙ୍କ ଜୀବିକା ଉପରେ ପଡିଛି l
ଜୁଲାଇ ମାସର ଶେଷ ସପ୍ତାହରେ ହୀରାକୁଦର ପ୍ରଥମ ବନ୍ୟଜଳ ନିଷ୍କାସନ କରିବାର ନଜିର ରହିଛି l ତେବେ ଚଳିତବର୍ଷ ଜଳସ୍ତର କମ ଥିବାରୁ ଅଗଷ୍ଟ ମାସ ଆଡକୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇପାରେ l ବିଗତ କିଛି ତଥ୍ୟ ଉପରେ ନଜର ପକେଇଲେ 25 ଜୁଲାଇ 2023 ରେ ହୀରାକୁଦର ଜଳସ୍ତର 613 ଫୁଟରେ ଥିବା ବେଳେ ଏହାର ପ୍ରଥମ ବନ୍ୟଜଳ ନିଷ୍କାସନ ହୋଇଥିଲା l ଠିକ ସେହିପରି 2022 ମସିହା ଜୁଲାଇ 18 ତାରିଖରେ ଜଳସ୍ତର 613.71 ଫୁଟ, 2021 ଜୁଲାଇ 11 ତାରିଖରେ ଜଳସ୍ତର 609.45 ଫୁଟ, 2020 ଜୁନ 25 ତାରିଖରେ ଜଳସ୍ତର 618. 10 ଫୁଟ, 14 ଅଗଷ୍ଟ 2019 ରେ ଜଳ ସ୍ତର 618 ଫୁଟ ଥିବା ବେଳେ ହୀରାକୁଦର ପ୍ରଥମ ବନ୍ୟଜଳ ନିଷ୍କାସନ ହୋଇଥିଲା l
ଏହି ତଥ୍ୟ ଉପରେ ନଜର ପକେଇଲେ ଏହା ଜଣାପଡୁଛି ଯେ ଜୁଲାଇ ମାସ ଶେଷ ସୁଦ୍ଧା ହୀରାକୁଦର ଜଳସ୍ତର 610 ରୁ 620 ମଧ୍ୟରେ ରହୁଥିଲା l ତେବେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ତେବେ ହୀରାକୁଦର ପୁରୁଣା କର୍ଭ ରୁଲ ଅନୁସାରେ କୌଣସି ସମସ୍ୟା ନାହିଁ l ଜୁଲାଇ ଶେଷ ସୁଦ୍ଧା ଜଳସ୍ତର 600 ଫୁଟ ପାଖାପାଖି ରଖାଯାଇଥାଏ l ଅଗଷ୍ଟ ମାସ ଆରମ୍ଭରୁ କର୍ଭରୁଲ କାର୍ଯ୍ୟକ୍ଷମ ହୋଇଥାଏ ଓ ଅଗଷ୍ଟ ପ୍ରଥମ ସପ୍ତାହରୁ ଜଳସ୍ତରକୁ 600 ଫୁଟ ଉପରକୁ ଉଠାଇବାର ନିୟମ ରହିଛି ବୋଲି ବିଶେଷଜ୍ଞ କୁହନ୍ତି l ତେବେ ଏଥର ଜଳସ୍ତର ପୂର୍ବ ବର୍ଷଗୁଡିକ ଅପେକ୍ଷା କମ ରହିଛି ଏଥିରେ ଦ୍ବିମତ ନାହିଁ l
ସମ୍ବଲପୁର ଜିଲ୍ଲାରେ ବର୍ଷା ସ୍ୱାଭାବିକଠାରୁ କମ ହୋଇଥିବା ଯୋଗୁଁ ହୀରାକୁଦର ଏପରି ସ୍ଥିତି ହୋଇଥାଇପାରେ ବୋଲି ମତ୍ସ୍ୟଜୀବୀ କୁହନ୍ତି l ବିଗତ କିଛି ବର୍ଷ ର ଜୁଲାଇ ମାସର ବର୍ଷା ଉପରେ ନଜର ପକେଇଲେ ଏହା ଜଣା ପଡୁଛି ଯେ ସମ୍ବଲପୁର ଜିଲ୍ଲାରେ ଜୁଲାଇ ମାସରେ ସ୍ୱାଭାବିକ ବର୍ଷାର ପରିମାଣ 402.50 ମିଲିମିଟର ହୋଇଥିବା ବେଳେ 2019 ରେ 311.92 ମିମି, 2020 ରେ 261.22 ମିମି, 2021 ରେ 310.11 ମିମି, 2022 ରେ 327.26 ମିମି, 2023 ରେ 413.92 ମିମି ଓ ଚଳିତ ବର୍ଷ ଜୁଲାଇ 14 ସୁଦ୍ଧା ମାତ୍ର 133 ମି.ମି ବର୍ଷା ରେକର୍ଡ ହୋଇଛି l ଯାହା ଚିନ୍ତାର ବିଷୟ ।
ଏହା ମଧ୍ୟ ପଢନ୍ତୁ:-ବର୍ଷାରେ ଉବୁଟୁବୁ ମାଲକାନଗିରି, ଧସିଲା ପାହାଡ଼-ବୁଡ଼ିଲା ବ୍ରିଜ, ସାରା ରାଜ୍ୟରେ ଛେଚୁଛି - Odisha weather update
ତେବେ ହୀରାକୁଦର ଏଭଳି ସ୍ଥିତି ସମ୍ପର୍କରେ ପରିବେଶବିତ ରଞ୍ଜନ ପଣ୍ଡା କୁହନ୍ତି ଯେ ହୀରାକୁଦରେ ଚଳିତ ବର୍ଷ ଜଳସ୍ତର ଜୁଲାଇରେ କମ ଥିବାରୁ ଏହାର ପ୍ରଭାବ ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ ଉପରେ ନିଶ୍ଚିତ ଭାବେ ପଡିବ l କେଉଁ ଗୋଟିଏ ବର୍ଷ ହୀରାକୁଦର ଜଳସ୍ତର ହ୍ରାସ ପାଇବା ବଡ଼ କଥା ନୁହେଁ l ତେବେ ହୀରାକୁଦ ବନ୍ଧ ପରିଚାଳନା ପାଇଁ ଯେଉଁ ସମସ୍ୟାଗୁଡିକ ପୂର୍ବରୁ ଥିଲା ତାହା ଦୂର କରିବା ପାଇଁ ପାଇଁ ଓଡିଶା, ଛତିଶଗଡ ଓ କେନ୍ଦ୍ର ସରକାରଙ୍କ ସ୍ତରରେ ଉଦ୍ୟମ ହେବା ଦରକାର l କାରଣ ବର୍ତ୍ତମାନ ସବୁଠି ବିଜେପିର ସରକାର ରହିଛି l ଏହା ସହ ବନ୍ଧର ସୁପରିଚାଳନା ପାଇଁ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଓ ଏହାର ଉପର ମୁଣ୍ଡରେ ଥିବା ଛତିଶଗଡ ଡ୍ୟାମ ଓ ବ୍ୟାରେଜର କର୍ତ୍ତୃପକ୍ଷଙ୍କ ମଧ୍ୟରେ ସୂଚନା ଆଦାନ ପ୍ରଦାନ ଓ ସମନ୍ବୟ ରହିବା ଆବଶ୍ୟକ ବୋଲି କହିଛନ୍ତି ପରିବେଶବିତ ରଞ୍ଜନ ପଣ୍ଡା l ଅନ୍ୟପଟେ ହୀରାକୁଦର ଜଳସ୍ତର ହ୍ରାସ ପାଇବା ଯୋଗୁଁ ମତ୍ସଜୀବୀଙ୍କ ଜୀବିକା ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିବା ସ୍ଥାନୀୟ ମତ୍ସ୍ୟଜୀବୀ କହିଛନ୍ତି l
ଇଟିଭି ଭାରତ, ସମ୍ବଲପୁର