ନିମାପଡ଼ା:ପଦ ବଜାୟ ରଖିଲେ ନିମାପଡ଼ା ଅଧ୍ୟକ୍ଷା ସସ୍ମିତା ସାହୁ । ନିମାପଡ଼ା ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ ।ବିଜେଡିର ଗଡ଼ ଭାଙ୍ଗିବା ପାଇଁ ବିଜେପିର ଉଦ୍ୟମ । ନିମାପଡ଼ା ଦଖଲ କରିବା ପାଇଁ ଚକ୍ରବିହୋ ରଚିଥିଲା ବିଜେପି । ଅନାସ୍ଥା ଭୋଟରେ ଅଧ୍ୟକ୍ଷାଙ୍କ ବିରୋଧରେ ୭ ଜଣ କାଉନସିଲର ଭୋଟ ଦେଇଥିବାବେଳେ ଗୋଟିଏ ଭୋଟ ନାକଚ ଓ ଜଣେ କାଉନସିଲର ଭୋଟ ଦେଇ ନଥିଲେ ।
ବିଜେଡି ଦଖଲରେ ରହିଲା ନିମାପଡା ଅଧ୍ୟକ୍ଷ ପଦ (ETV Bharat Odisha) ପଦ ବଜାୟ ରଖିଲେ ସସ୍ମିତା:
NAC ଅଧ୍ୟକ୍ଷା ସସ୍ମିତା ସାହୁଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ଭୋଟ ଆଜି ଶେଷ ହୋଇଛି । ସର୍ବମୋଟ ୧୧ ଜଣ କାଉନସିଲରଙ୍କ ମଧ୍ୟରୁ ଦୁଇ ଜଣ କାଉନସିଲର ଅନୁପସ୍ଥିତ ଥିବାବେଳେ ନଅ ଜଣ କାଉନସିଲର ଏହି ପ୍ରକିୟାରେ ସାମିଲ ହୋଇଥିଲେ । ଏମାନଙ୍କ ମଧ୍ୟରୁ ୭ ଜଣ ସସ୍ମିତା ସାହୁଙ୍କ ବିରୁଦ୍ଧରେ ନିଜ ମତଦାନ କରିଥିବାବେଳେ ଜଣେ ଭୋଟ ନାକଚ୍ ହୋଇଥିଲା ଅନ୍ୟ ଜଣେ ଭୋଟ ବର୍ଜନ କରିଥିଲେ ସୂଚନା ଥାଉକି ଗତ ୧୨ତାରିଖରେ ପୁରୀ ଜିଲ୍ଲାପାଳଙ୍କ ପାଖରେ ୮ଜଣ କାଉନସିଲର ନିମାପଡ଼ା NAC ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । ଏନେଇ ଉପଜିଲ୍ଲାପାଳ ଗୋପୀନାଥ କଅଁର କହିଛନ୍ତି,"ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ୭ଜଣ ଭୋଟ ଦେଇଥିବା ବେଳେ ଜଣଙ୍କର ଭୋଟ ନାକଚ ହୋଇଛି । ନିର୍ବାଚନ ଫଳାଫଳ ବିଧିବଦ୍ଧ ଭାବେ ଘୋଷଣା ହୋଇନାହିଁ ।"
'ସତ୍ୟର ବିଜୟ ହୋଇଛି':
ଅନ୍ୟପଟେ NAC ଅଧ୍ୟକ୍ଷା ସସ୍ମିତା ସାହୁ କହିଛନ୍ତି ,ସତ୍ୟର ବିଜୟ ହୋଇଛି । ନିମାପଡ଼ାବାସୀଙ୍କ ମୋ ଉପରେ ଆଶୀର୍ବାର ରହିଛି । ମୁଁ ଦୀର୍ଘ ଅଢେଇବର୍ଷ ହେଲା କାଉନସିଲର ଭାଇ-ଭଉଣୀଙ୍କୁ ନେଇ କାମ କରିଥିଲି । ପୁଣି ଯେଉଁମାନେ ମୋ ସପକ୍ଷରେ ରହିଛନ୍ତି ଏବଂ ବିପକ୍ଷରେ ରହିଛନ୍ତି ସମସ୍ତଙ୍କୁ ନେଇ କାମ କରିବି । ନିମାପଡ଼ାବାସୀଙ୍କ ଯାହା ଅଧୁରା କାର୍ଯ୍ୟ ରହିଛି, ତାହା ସମ୍ପୂର୍ଣ୍ଣ କରିବି ।
ଏହା ମଧ୍ୟ ପଢନ୍ତୁ ....ନିମାପଡ଼ା NAC ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ - No confidence motion in Nimapara
ସସ୍ମିତା ବିରୋଧରେ ଅନସ୍ଥା କାଟ୍ :
ନିମାପଡ଼ା NAC ଅଧ୍ୟକ୍ଷା ସସ୍ମିତା ସାହୁଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଖାରଜ । ଦୁଇ ତୃତୀୟାଂଶ ଭୋଟ ସସ୍ମିତା ସାହୁଙ୍କ ବିରୁଦ୍ଧରେ ଆସି ନଥିବାରୁ ସସ୍ମିତାଙ୍କ ପଦ ବଜାୟ ରହିଛି । ଏନେଇ ସୂଚନା ଦେଇଛନ୍ତି NAC କାର୍ଯ୍ୟନିର୍ବାହି ଅଧିକାରୀ ସରୋଜ କୁମାର ଆଚାର୍ଯ୍ୟ । ଅନ୍ୟଜଣେ ଭୋଟ ଦାନରୁ ବିରତ ରହିଥିବାରୁ ଅଧ୍ୟକ୍ଷା ସସ୍ମିତା ସାହୁଙ୍କ ବିରୁଦ୍ଧରେ ଦୁଇ ତୃତୀୟାଂଶ ମତଦାନରୁ କମ ଭୋଟ ଥିବାରୁ ସସ୍ମିତା ସାହୁଙ୍କ ବିରୁଦ୍ଧରେ ଅନାସ୍ଥା କାଟ ହୋଇଥିଲା ।ଯାହାଫଳରେ ସସ୍ମିତା ସାହୁଙ୍କ ଅଧ୍ୟକ୍ଷା ପଦ ବଜାୟ ରହିଲା । ତେବେ ତାଙ୍କ ବିରୋଧରେ 8ଟି ଭୋଟ ଆସିଥିଲେ ସେ ଅଧ୍ୟକ୍ଷ ପଦ ହରାଇଥାନ୍ତେ ।
ଉପମୁଖ୍ୟମନ୍ତ୍ରୀ ଓ ସମୀର ଦାସଙ୍କୁ ବିଜେଡିର ଟାର୍ଗେଟ:
ନିମାପଡା ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ କାଟ ଖାଇଛି ।ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ସମୀର ଦାସଙ୍କୁ ଟାର୍ଗେଟ କରିଛି ବିଜେଡି । ଉଭୟ ନେତାଙ୍କୁ ଅନାସ୍ଥା ପ୍ରସ୍ତାବ କାଟ ଖାଇବା ଶକ୍ତ ଝଟକା ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି,"ଭାରତୀୟ ଜନତା ପାର୍ଟି, ବିଶେଷକରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ବିଜେଡିରୁ ଟିକେଟ ବଞ୍ଚିତ ହେବା ପରେ ବିଜେପିକୁ ଯାଇଥିବା ସମୀର ଦାସଙ୍କ ପାଇଁ ଏକ ଲଜ୍ଜ୍ୟାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଆମେ ବାରମ୍ବାର କହିଛୁ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ହୋଇଥିବା ବିଭିନ୍ନ ପଦରେ ଥିବା ବ୍ୟକ୍ତିଙ୍କୁ ବିଭିନ୍ନ ବାଟରେ ପ୍ରଲୋଭନ ମାଧ୍ୟମରେ ପଦଚ୍ୟୁତ କରିବା ପାଇଁ ହୀନ ଉଦ୍ୟମ କରିଆସୁଛି ବିଜେପି । "
ସେ ଆହୁରି ମଧ୍ୟ କହିଛନ୍ତି," ସିଧା ନିର୍ବାଚନରେ ନଲଢ଼ି ପଛ ବାଟେ ଆସିବାକୁ ବିଜେପି ଉଦ୍ୟମ କରୁଛି । ବିଜେପିର ଏହି ଉଦ୍ୟମ ଆଜି ପଣ୍ଡ ହୋଇଯାଇଛି । ନିମାପଡାର ନିର୍ବାଚିତ ପ୍ରତିନିଧିକୁ ଆମେ ଧନ୍ୟବାଦ ଦେବୁ । ବିଜେପିର ଏହି ଅନୈତିକ କାର୍ଯ୍ୟ ପଦାରେ ପଡିଛି । ଏହା ସଙ୍ଗେ ସଙ୍ଗେ ଆଗାମୀ ଦିନ ପାଇଁ ଏହା ଏକ ସତର୍କ ଘଣ୍ଟି ସଦୃଶ୍ୟ ହୋଇଛି । ଗଣତନ୍ତ୍ରକୁ କଳୁଷିତ କରିବାକୁ ବିଜେପି କରୁଥିବା ଉଦ୍ୟମ ସଫଳ ହେବନାହିଁ ।"
ପ୍ରକାଶ ଯୋଗ୍ୟ, ନିମାପଡାର 11 ସଦସ୍ୟ ବିଶିଷ୍ଟ ଏନଏସିରେ 8 ଜଣ ସଦସ୍ୟ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଆଜି ଅନୁଷ୍ଠିତ ଅନାସ୍ଥା ଭୋଟରେ ୮ଟି ଭୋଟର ଆବଶ୍ୟକ ହେଉଥିଲା । କିନ୍ତୁ ଅନାସ୍ଥା ଭୋଟ ବିପକ୍ଷରେ ସାତଟି ଭୋଟ ପଡିଥିଲା । ଗୋଟିଏ ଭୋଟ ନାକଚ ହୋଇ ଯାଇଥିଲା ।
ଇଟିଭି ଭାରତ, ନିମାପଡ଼ା