ଭବାନୀପାଟଣା: ପ୍ରକୃତି ଚଳଣିରେ ବନ୍ଧା କଳାହାଣ୍ଡି ଜିଲ୍ଲାର ଆଦିମ ଜନଜାତି ଡଙ୍ଗରିଆ କନ୍ଧ ସମାଜ । ଦାରୁଠୁ ଆରମ୍ଭ କରି ମାଟି, ପାଣି ଏବଂ ପବନକୁ ନିଜ ଆରାଧ୍ୟ ଦେବତା ଭାବେ ପୂଜା କରିଥାନ୍ତି । ସେ ଟୋକି ମରା ପର୍ବ ହେଉ ବା ମେରିଆ ପର୍ବ, ସବୁଠି ରହିଛି ପ୍ରକୃତି ଉପାସକର ନିଚ୍ଛକ ଚିତ୍ର । ଯାହାକି ନିୟମରାଜା ପର୍ବରୁ ସ୍ପଷ୍ଟ ବାରି ହୋଇପଡ଼େ । ଆଜି ବି ପ୍ରକୃତି ପୂଜାର ପରମ୍ପରାକୁ ବଜାୟ ରଖିଛନ୍ତି ଡଙ୍ଗରିଆ ଜନଜାତି । ଭଲ ଫସଲ ଓ ସୁସ୍ଥ ରହିବା ପାଇଁ ନିୟମରାଜାଙ୍କ ପାଖରେ ଶରଣ ପଶିଛନ୍ତି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଡଙ୍ଗରିଆ କନ୍ଧମାନେ ରୀତିନୀତି ଅନୁଯାୟୀ ପାହାଡ ଶିଖରରେ ପାଳନ କରିଛନ୍ତି ନିୟମରାଜା ପର୍ବ । ପ୍ରତିବର୍ଷ ଫେବୃଆରୀ ମାସ ଶେଷ ସପ୍ତାହରେ ଏହି ପର୍ବକୁ ଧୁମ୍ ଧାମ୍ରେ ପାଳନ କରାଯାଇ ଆସୁଛି ।
ନିୟମ ରାଜା ଅଛି ବୋଲି ନିୟମଗିରିର ସବୁଜିମା କ୍ଷେତରେ ଫଳୁଛିମାଣ୍ଡିଆ, କାନ୍ଦୁଲ, ମକା, ବିରି । ଚାଷୀକୁ ପାଣି ଯୋଗାଉଛି, ଶୋଷ ମେଣ୍ଟାଉଛି । ରୋଗବେମାରରେ ଚେର ମୂଳି ଦେଇ ଜୀବନ ବଞ୍ଚାଉଛି । ଏହି ଜଙ୍ଗଲ ପାହାଡ ଆମର ମାଆ ବାପା ।" ଆରାଧ୍ୟ ଦେବତା ନିୟମରାଜାକୁ ସାକ୍ଷୀ ରଖି ନିଜର ଜୀବନ ଜୀବିକା ନିୟମଗିରିକୁ ସୁରକ୍ଷିତ ରଖିବାକୁ ପଣ ନେଇଛନ୍ତି ଡଙ୍ଗରିଆ କନ୍ଧ । ପର୍ବର ପ୍ରଥମ ଦିନରେ ଛତରଟେକା ପୂଜାପୀଠରେ ବୋଦା ବଳି, କୁକୁଡା, ପାରା, ଘୁଷୁରି ଆଦି ବଳି ଦେଇଥିଲେ । ପୂଜାପୀଠ କହିଲେ ଗୋଟିଏ ପତର ଛାଉଣି, ପ୍ରକୃତି ପୂଜକ ଆଦିବାସୀଙ୍କ ଦେବତାଙ୍କ ମୂର୍ତ୍ତି ନାହିଁ ।
ରାତିସାରା ଜାନିକନ୍ଧ ଦେବାଦେବୀଙ୍କ ପୁରୁଷ ପୂଜାରୀ ଆଉ ଦିନରେ ବେଳୁଣୀ ମହିଳା ପୂଜାରୀମାନେ ନିୟମରାଜାଙ୍କ ସହିତ ପାଜେଗେଳୁ, ଜେମ୍ବୋଝନାଁ, କା-କାୱାବନ୍ଧା, ପୋକୱାଲ୍କା, ଗାମ୍ବରଘାଟି, ପ୍ରଭୃତି ଗ୍ରାମରେ ଥିବା ଦେବାଦେବୀଙ୍କ ନାମ ଆହ୍ବାନ କରି ପୂଜା କରିଥିଲେ । ମାଟିର ମଣିଷମାନଙ୍କୁ ଭଲ ଫସଲ ଦେବାକୁ ଏବଂ ରୋଗ ବୈରାଗ୍ୟରୁ ଦୂରେଇ ରଖିବାକୁ ପ୍ରାର୍ଥନା କରିଥିଲେ । ନିୟମଗିରି ସମେତ ଖଣ୍ଡୁଆଳ ମାଳି, ସିଜୁମାଳି, ଶାଶୁବୋହୁମାଳି, ବାଫଲିମାଳି, ଗୁଣ୍ଡିରାଣୀମାଳି, କୁଟ୍ଟମାଳି ଭଳି ପାହାଡମାନଙ୍କୁ ସୁରକ୍ଷା କରିବାକୁ ସେମାନେ ପ୍ରାର୍ଥନା କରିଥିଲେ । ନାଚଗୀତ ଓ ଭୋଜିଭାତରେ ମୁଖରିତ ହୋଇଉଠିଥିଲା ପୁରା ପରିବେଶ । ଜୀବନର ଶେଷ ରକ୍ତ ବିନ୍ଦୁ ପର୍ଯ୍ୟନ୍ତ ନିୟମଗିରିର ସୁରକ୍ଷା ପାଇଁ ଲଢେଇ କରିବାକୁ ଶପଥ ନେଇଥିଲେ ଡଙ୍ଗରିଆ କନ୍ଧ । ସରକାର ଆଉ ପ୍ରଶାସନ ଯେତେ ଭୁତେଇଲେ ବି ନିୟମଗିରି ଛାଡିବୁ ନାହିଁ ବୋଲି ସେମାନେ ଆହ୍ବାନ ଦେଇଥିଲେ ।