ଭୁବନେଶ୍ବର: ବିକଶିତ ହେବ ଓଡିଶା । ସହଯୋଗ କରିବ ନୀତି ଆୟୋଗ । ନୀତି ଆୟୋଗ ସହଯୋଗରେ ପ୍ରସ୍ତୁତ ହେବ ଭିଜନ ଡ଼କ୍ୟୁମେଣ୍ଟ ୨୦୩୬ ଏବଂ ଭିଜନ ଡ଼କ୍ୟୁମେଣ୍ଟ ୨୦୪୭ । ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ ନୀତି ଆୟୋଗ ସିଇଓଙ୍କ ଆଲୋଚନାରୁ ଏହି ସୂଚନା ମିଳିଛି । "୨୦୩୬ ସୁଦ୍ଧା ଓଡିଶା ଅର୍ଥନୀତି ୫୦୦ ବିଲିଅନ ଡଲାର ଓ ୨୦୪୭ ସୁଦ୍ଧା ୧.୫୦ ଟ୍ରିଲିଅନ ଡଲାରରେ ପହଞ୍ଚିବା ଆମର ଲକ୍ଷ୍ୟ," କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ବିକଶିତ ଓଡିଶା ପାଇଁ ସହଯୋଗ କରିବ ନୀତି ଆୟୋଗ :-
ବିକଶିତ ଓଡିଶାର ସ୍ୱପ୍ନକୁ ସାକାର କରିବା ଲକ୍ଷ୍ୟ । ଏଥିପାଇଁ ଆଗେଇ ଆସିଛି ନୀତି ଆୟୋଗ । ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲୋକସେବା ଭବନରେ ଆଜି ନୀତି ଆୟୋଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବି.ଭି.ଆର ସୁବ୍ରମନିୟମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି । ଓଡିଶା ପାଇଁ ଏକ ଭିଜନ ଡକ୍ୟୁମେଣ୍ଟ ୨୦୩୬ ଏବଂ ଭିଜନ ଡକ୍ୟୁମେଣ୍ଟ ୨୦୪୭ ପ୍ରସ୍ତୁତ କରିବା ସମ୍ପର୍କରେ ଆଲୋଚନା କରିଛନ୍ତି ।
୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତି ଓଡିଶାର ଲକ୍ଷ୍ୟ:-
ମୁଖ୍ୟମନ୍ତ୍ରୀ କହିଛନ୍ତି, "ଓଡିଶାର ବିଭିନ୍ନ କ୍ଷେତ୍ରରେ ବିକାଶର ବ୍ୟାପକ ସମ୍ଭାବନା ରହିଛି । ସମ୍ଭାବନାକୁ ସଫଳତାରେ ପରିଣତ ଓ ଉପଯୁକ୍ତ କାର୍ଯ୍ୟାନ୍ବୟନ ଦ୍ୱାରା ବିକାଶର ଲକ୍ଷ୍ୟ ହାସଲ କରିବା ସରକାରଙ୍କ ଲକ୍ଷ୍ୟ । ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତରେ ଓଡିଶା ଏକ Growth Engine ହେବାର ଲକ୍ଷ୍ୟ ରଖିଛି । ଏହା ପୂର୍ବରୁ ୨୦୩୬ରେ ସ୍ୱତନ୍ତ୍ର ଓଡିଶା ଗଠନର ୧୦୦ ବର୍ଷ ପୂରଣ ହେଉଛି । ତେଣୁ ୨୦୩୬ ଓ ୨୦୪୭କୁ ଲକ୍ଷ୍ୟ ରଖି ଦୁଇଟି ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି । ବର୍ତ୍ତମାନ ଓଡିଶାର ଅର୍ଥନୀତିର ଆକାର ୧୦୦ ବିଲିଅନ ଡଲାରୁ ଅଧିକ ଅଛି । ୨୦୩୬ ସୁଦ୍ଧା ୫୦୦ ବିଲିଅନ୍ ଡଲାର ଓ ୨୦୪୭ ସୁଦ୍ଧା ୧.୫୦ ଟ୍ରିଲିଅନ୍ ଡଲାର ଅର୍ଥନୀତି ହାସଲ କରିବା ପାଇଁ ଓଡିଶା ଲକ୍ଷ୍ୟ ରଖିଛି ।"
ନୀତି ଆୟୋଗର ସିଇଓ ବିଭିଆର ସୁବ୍ରମନିୟମ କହିଛନ୍ତି, "ପ୍ରଧାନମନ୍ତ୍ରୀଙ୍କ ଓଡିଶାର ବିକାଶ ଉପରେ ସ୍ୱତନ୍ତ୍ର ଧ୍ୟାନ ରହିଛି । ୨୦୪୭ର ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ସବୁ ରାଜ୍ୟର ବିକାଶ ଦରକାର । ଓଡିଶା କ୍ଷେତ୍ରରେ ୨୦୩୬ ଓ ୨୦୪୭କୁ ଲକ୍ଷ୍ୟ ରଖି ଦୁଇଟି ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ନୀତି ଆୟୋଗ ପୂର୍ଣ୍ଣ ସହଯୋଗ ଯୋଗାଇଦେବ ।"