ଭୁବନେଶ୍ବର: ରାଜ୍ୟରେ ନୂଆ ଅବକାରୀ ନୀତି ଲାଗୁ ହେବାକୁ ଯାଉଛି । ଏହା ଫଳରେ ରାଜ୍ୟରେ ଆଉ ନୂଆ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ ଏବଂ ଚୋରା ମଦ କାରବାର ଉପରେ ସମ୍ପୂର୍ଣ୍ଣ ରୋକ ଲାଗିବା ସମ୍ଭବପର ହେବ । ଏବେ ଆସିବାକୁ ଯାଉଥିବା ଅବକାରୀ ନୀତି ମାତ୍ର 8 ମାସ ପାଇଁ କାର୍ଯ୍ୟକାରୀ ହେବ । ଆସନ୍ତାବର୍ଷ କାର୍ଯ୍ୟକାରୀ ହେବାକୁ ଥିବା ପଲିସିରେ ଅବକାରୀ ବ୍ୟାପାରରେ ବ୍ୟାପକ ନୀତିଗତ ପରିବର୍ତ୍ତନ ଦେଖିବାକୁ ମିଳିବା ନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
- ରାଜ୍ୟରେ ନୂଆ ମଦ ଦୋକାନ ଖୋଲିବ ନାହିଁ:
ଆଜି ଶାସକ ଦଳ ‘ବିଜେପି’ ପକ୍ଷରୁ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ଏହି ପରିପ୍ରେକ୍ଷୀରେ ସେ ଦୁଇଟି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ଚର୍ଚ୍ଚିତ ଅବକାରୀ ପଲିସି ସମ୍ପର୍କରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି,‘‘ଯେଉଁ ମଦ ନୀତି ଥିଲା, ତାକୁ ସାବଲୀଳ କରିବା ପାଇଁ ଏହି ପଲିସି ଅଣାଯାଉଛି । ଏହା ଫଳରେ ନୂଆ ମଦ ଦୋକାନ ସୃଷ୍ଟି ହେବ ନାହିଁ । ଚୋରା ମଦ ବିକ୍ରି ଆମ ପାଇଁ ଚ୍ୟାଲେଞ୍ଜ ଥିଲା, ଯାହା ପୁରା ବନ୍ଦ ହୋଇପାରିବ । ଏବେ ଯେଉଁ ନୀତି ଆସିବାକୁ ଯାଉଛି, ତାହା 8 ମାସ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଆସନ୍ତାବର୍ଷ ପଲିସି ପ୍ରସ୍ତୁତ ହେଲେ ସେଥିରେ ବ୍ୟାପକ ପରିବର୍ତ୍ତନ ହେବ । ’’
ମହାପ୍ରଭୁଙ୍କ ଖଣିରୁ ଅର୍ଥ ଲୁଟ
ଜଗନ୍ନାଥଙ୍କ ସମ୍ପତ୍ତି ସମ୍ପର୍କିତ ପ୍ରଶ୍ନରେ ଉତ୍ତର ରଖି ଆଇନମନ୍ତ୍ରୀ କହିଛନ୍ତି,‘‘ ୨୪ ବର୍ଷର ଗତ ସରକାର ଅତୀତରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜମି ଓ ଭୂ-ସମ୍ପତ୍ତି ସୁରକ୍ଷା ପାଇଁ କୌଣସି ଚିନ୍ତା କରିନଥିଲା । ଆମେ ଆସିବା ପରେ ୨୦୦୩ ମସିହାରେ ଯେଉଁ ୟୁନିଫର୍ମ ପଲିସି ତିଆରି ହୋଇଥିଲା, ତାକୁ ଆଗକୁ ନେବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛୁ । ମହାପ୍ରଭୁଙ୍କର ପ୍ରାୟ ୫୮,୦୦୦ ଏକର ସମ୍ପତ୍ତି ଅଛି । ସେଥିମଧ୍ୟରୁ ୩୬ରୁ ୩୭ ହଜାର ଏକର ସମ୍ପତ୍ତିର ସମସ୍ତ କାଗଜପତ୍ର ଓ ତଥ୍ୟ ଆମ ପାଖରେ ଅଛି । ବାକି ଯାହା ଜବରଦଖଲକାରୀଙ୍କ ପାଖରେ ରହିଛି, ତାର ହିସାବ ନ ନିଆଗଲେ ମହାପ୍ରଭୁଙ୍କ ସମ୍ପତ୍ତି ନଷ୍ଟ ହେବ, ଯାହା ଉଚିତ ନୁହେଁ ।