ଭୁବନେଶ୍ବର:ଆରମ୍ଭ ହେଲାଣି ଗ୍ରୀଷ୍ମ ପ୍ରବାହ । ଆଗକୁ ଆହୁରି ତାପମାତ୍ରା ବଢ଼ିବ ବୋଲି ପାଣିପାଗ ବିଭାଗ ସତର୍କବାଣୀ ଦେଇଛି । ଆଜି ରାଜ୍ୟରେ ଅନେକ ଜିଲ୍ଲାରେ 40 ଡିଗ୍ରୀ ପାର କରିଛି ତାପମାତ୍ରା । ଏଣୁ ଆସନ୍ତା ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ । ପ୍ରଥମ ଶ୍ରେଣୀଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସକାଳୁଆ ସ୍କୁଲ ହେବ । ସକାଳ ୭ଟାରୁ ଦିନ ୧୧ଟା ୩୦ ସମୟ ପର୍ଯ୍ୟନ୍ତ ପାଠପଢା ଯିବ । ଏନେଇ ନିର୍ଦ୍ଦେଶାନାମା ଜାରି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।
ବିଦ୍ୟାଳୟରେ ପିଇବା ପାଣି, ଓଆରଏସ ଏବଂ କୌଳିକ ଆବଶ୍ୟକତା ଅନୁଯାୟୀ ବ୍ୟବସ୍ଥା ଆଦି କରିବା ଆବଶ୍ୟକ ବୋଲି କହିଛି ଗଣଶିକ୍ଷା ବିଭାଗ । ଏପଟେ ଓସେପାର ନିର୍ଦ୍ଦେଶକ ଅନୁପମ ଶାହା କହିଛନ୍ତି, " ପ୍ରତିବର୍ଷ ଏପ୍ରିଲ ମାସରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ କରିବାକୁ ଯାଉଛି ଗଣଶିକ୍ଷା ବିଭାଗ । ପିଲାମାନଙ୍କର ନୂଆ ଆଡ଼ମିଶନ କରାଯାଇଥାଏ । ଏନେଇ ସମସ୍ତ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।" ଏପଟେ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି, " କିଛି ଦିନ ତଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଗ୍ରୀଷ୍ମ ପ୍ରବାହକୁ ନେଇ ନିର୍ଦ୍ଦେଶାନାମା ଜାରି କରାଯାଇଛି । ସେଥିପାଇଁ ହସ୍ପିଟାଲ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ୧୦ଟି ବେଡ଼ ସଂରକ୍ଷିତ ଭାବରେ ରହିଛି । ସବୁବେଳେ କାଜୁଆଲ୍ଟି ଖୋଲା ରହିଛି ।"
ଏହା ବି ପଢନ୍ତୁ- ଆହୁରି ୪-୫ ଦିନ ରାଜ୍ୟରେ ଅସହ୍ୟ ଗରମ ! ବିଭିନ୍ନ ସ୍ଥାନରେ କାଳବୈଶାଖୀ ଆଲର୍ଟ