ନବରଙ୍ଗପୁର: ନବୋଦୟ ବିଦ୍ୟାଳୟରେ ବ୍ୟାପିଲା ଝାଡାବାନ୍ତି । ଶତାଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । କିଛି ପିଲା ଗୁରୁତର ଅବସ୍ଥାରେ ଏବେବି ଚିକିତ୍ସିତ ହେଉଛନ୍ତି। କେଉଁ କାରଣରୁ ଝାଡାବାନ୍ତି ବ୍ୟାପିଛି ତାହା ଅସ୍ପଷ୍ଟ ରହିଛି । ନବରଙ୍ଗପୁର ଜିଲ୍ଲା ଖାତିଗୁଡା ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ଛାତ୍ରଛାତ୍ରୀ ଅସୁସ୍ଥ:
ନବରଙ୍ଗପୁର ଜିଲ୍ଲା ଖାତିଗୁଡା ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେ ବ୍ୟାପିଛି ଝାଡାବାନ୍ତି । ଗତକାଲି(ଗୁରୁବାର) ବିଦ୍ୟାଳୟର ସମୁଦାୟ 506 ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ 122 ଜଣ ଛାତ୍ରଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଆଜି ପୁଣି 5ରୁ ଊର୍ଦ୍ଧ୍ବ ନୂଆ ଆକ୍ରାନ୍ତ ହୋଇଥିବା ଚି଼ହ୍ନଟ ହୋଇଛନ୍ତି । ଗତକାଲି ସନ୍ଧ୍ୟାରେ ତେନ୍ତୁଳୀଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଟିମ ବିଦ୍ୟାଳୟରେ ପହଞ୍ଚି 122 ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ 9 ଜଣ ଛାତ୍ରଛାତ୍ରୀଙ୍କୁ ତେନ୍ତୁଳୀଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇ ଚିକିତ୍ସା କରାଇଥିଲେ । ଆଜି ପୁଣି ଏକ ଡାକ୍ତରୀ ଟିମ ବିଦ୍ୟାଳୟରେ ଅବସ୍ଥାପିତ ହୋଇ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ।
କାରଣ ଖୋଜୁଛି ଡାକ୍ତରୀ ଟିମ:
ଅନ୍ୟପଟେ ଖବର ପାଇଁ ନବରଙ୍ଗପୁରର ଏକ ଡାକ୍ତରୀ ଓ ନମୁନା ପରୀକ୍ଷା ଟିମ ବିଦ୍ୟାଳୟକୁ ଯାଇ ପାଣି ଓ ଖାଦ୍ୟର ମାନ ଯାଞ୍ଚ କରିଛନ୍ତି । ପ୍ରାଥମିକ ତଦନ୍ତରୁ ଛାତ୍ରଛାତ୍ରୀ ବ୍ୟବହାର କରୁଥିବା ପାନୀୟ ଜଳରେ ଜିରୋ ବ୍ଲିଚିଙ୍ଗ ଥିବା ସୂଚନା ମିଳିଛି । ତେବେ, କେଉଁ ପରିସ୍ଥିତିରେ ଏହି ଝାଡାବାନ୍ତି ବ୍ୟାପିଛି ଡାକ୍ତରୀ ଟିମ ତାହାର କାରଣ ଖୋଜୁଛି । ଡାକ୍ତରୀ ଟିମ ପାଣି ଆଉ ଖାଦ୍ୟର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବକୁ ପଠାଇବେ ବୋଲି ସୂଚନା ମିଳିଛି । ଅନ୍ୟପଟେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ହିଁ ଚିକିତ୍ସା କରାଇବାକୁ କହୁଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ ।