କଟକ: ରାତିରେ ବାପା ମା’ଙ୍କ ସହ ଖାଇ ଶୋଇବାକୁ ଗଲେ । ସକାଳୁ ମିଳିଲା ନାବାଳକଙ୍କ ମୃତଦେହ । ରାତି ଅଧରେ ହୁତୁହୁତୁ ହୋଇ ଜଳିଗଲା ପୁଅ । ନା ପରିବାର ସାହାଯ୍ୟ କରିପାରିଲେ ନା ପଡୋଶୀ । ବାପାମା’ଙ୍କ ଗୋଟିଏ ବୋଲି ପୁଅର ଏଭଳି ଅବସ୍ଥା ପରେ ହତବାକ୍ ହୋଇପଡିଛି ପରିବାର । ତେବେ ଏହା ହତ୍ୟା ନାଁ ଆତ୍ମହତ୍ୟା ? କଟକ ପୁରୀଘାଟ ଥାନା ମଠସାହିରେ ନାବାଳକ ନିଆଁରେ ପୋଡ଼ି ମୃତ୍ୟୁ ଘଟଣାରେ ନୂଆ ଟ୍ବିଷ୍ଟ। ଆତ୍ମହତ୍ୟା ନୁହେଁ ଏହା ଏକ ଯୋଜନାଵଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଲେ ମୃତକଙ୍କ ବାପା । ଯଦି ନାବାଳକଙ୍କୁ ହତ୍ୟା କରାଯାଇଛି ଏହା ପଛର କାରଣ ଖୋଜୁଛି ପୋଲିସ । ସେହିପରି ଯଦି ନାବାଳକ ଆତ୍ମହତ୍ୟା କରିଥାନ୍ତି ଏହା ପଛରେ ପରୀକ୍ଷା ଚାପ କାରଣ ନୁହେଁ ତ ?
ସେପଟେ ପୁଅର ମୃତଦେହକୁ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ଏସସିବି ମେଡିକାଲକୁ ପଠାଇଛି କମିଶନରେଟ ପୋଲିସ। ଯେଉଁ ଭଡାଘରେ ଏଭଳି ଘଟଣା ଘଟିଛି ସେ ସ୍ଥାନରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି। ଏହାବ୍ୟତୀତ ଘଟଣା ସ୍ଥଳରୁ ଅନେକ କିଛି ସୁରାଗ ହସ୍ତଗତ କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି। ଅନ୍ୟପଟେ ପାରିପାର୍ଶ୍ବିକ ଅବସ୍ଥା ସହ ନିକଟରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରାଯିବ ଓ ଶୀଘ୍ର ଏହି ମୃତ୍ୟର ରହସ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି କଟକ ଡିସିପି ଜଗମୋହନ ମୀନା।
- ବିବାହ କାର୍ଯ୍ୟକୁ ଯିବା ପୂର୍ବରୁ ମିଳିଲା ମୃତଦେହ
ରାତି ପାହିଲେ ବିବାହ କାର୍ଯ୍ୟରେ ଯୋଗ ଦେଇଥାନ୍ତା ପୁଅ। ଏମିତିକି ରାତିରେ ବାପା ମାଆ ପୁଅ ମିଶି କରିଥିଲେ ସବୁ ଯୋଜନା। ହେଲେ ହଟାତ ବିଳମ୍ବିତ ରାତ୍ରିରେ ଘଟିଲା ଭୟଙ୍କର ଅଘଟଣ। ନିଆଁ ନିଆଁ ବୋଲି ସମସ୍ତେ ଚିତ୍କାର କରିବା ସମୟରେ ହଟାତ ନିଦ ରୁ ଉଠି ପୁଅକୁ ଡାକିବା ସମୟରେ ବେଡ୍ରେ ନଥିଲା ପୁଅ । କବାଟ ଖୋଲିବା ପାଇଁ ଯିବା ସମୟରେ ବାହାର ପଟୁ କବାଟରେ ଲାଗିଥିଲା ଲକ୍ । କେହି ଜଣେ ପୋଡି ହେଉଥିବା ଜାଣି ବାପା ପାଣି ଢାଳିଲେ, ହେଲେ ସେ ତାଙ୍କ ନିଜ ପୁଅ ବୋଲି ପରେ ଜାଣିବାକୁ ପାଇଲେ। ବ୍ୟବସାୟିକ ଶତୃତା ଯୋଗୁଁ କେହି ତାଙ୍କ ପୁଅକୁ ହତ୍ୟା କରିଛି ବୋଲି ଅଭିଯୋଗ କରିଛନ୍ତି ବାପା।