ଭୁବନେଶ୍ୱର:ଚଳିତ ମାସରେ ଉଭୟ ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଫେବୃଆରୀ ୧୮ରୁ ଯୁକ୍ତ ୨ ପରୀକ୍ଷା ଓ ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା । ତେବେ ପରୀକ୍ଷାକୁ ଶୃଙ୍ଖଳିତ ଓ କପି ମୁକ୍ତ କରିବା ପାଇଁ ବିଭାଗର ପକ୍ଷରୁ ପ୍ରୟାସ ଜାରି ରହିଛି ।
ଫୋକସରେ ଶୃଙ୍ଖଳିତ ଏବଂ କପି ମୁକ୍ତ ପରୀକ୍ଷା ପରିଚାଳନା:
ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, "ଆଗାମୀ ଦିନରେ ଯେଉଁ ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ରହିଛି ସେନେଇ ବିଭାଗ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିଛି । ପିଲାମାନେ କିଭଳି ଭାବରେ ସୁବିଧାରେ ପରୀକ୍ଷା ଦେବେ ଓ କିଭଳି ଭାବରେ ପରୀକ୍ଷା ସୁରୁଖୁରୁରେ ହେବ ସେନେଇ ବିଭାଗ ମଧ୍ୟ ସଜାଗ ରହିଛି । ପରୀକ୍ଷାକୁ ଶୃଙ୍ଖଳିତ ଏବଂ କପି ମୁକ୍ତ କରିବା ପାଇଁ ବିଭାଗ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା ହୋଇଛି । କପି କିମ୍ବା ପ୍ରଶ୍ନପତ୍ର ଭାଇରାଲ କଲେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ । କପି ଓ ପ୍ରଶ୍ନପତ୍ର ଭାଇରାଲ ନ ହେବା ପାଇଁ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି । ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଉପାନ୍ତ ଅଞ୍ଚଳକୁ ମଧ୍ୟ ଅଧିକ ଫୋକସ କରାଯାଇଛି ।"
plus two and matric exam preparation (ETV Bharat Odisha) ୨୧ରୁ ମାଟ୍ରିକ ପରୀକ୍ଷା:ଚଳିତ ମାସ ୨୧ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା । ଆସନ୍ତା ୧୨ ତାରିଖରୁ ନୋଡାଲ ସେଣ୍ଟରକୁ ପ୍ରଶ୍ନପତ୍ର ଯିବ । ଏଥିପାଇଁ ୩୧୪ ନୋଡାଲ ସେଣ୍ଟର ଖୋଲାଯାଇଛି । ୨୧ଟି ପୋଲିସ ଷ୍ଟେସନରେ କରାଯାଇଛି ନୋଡାଲ ସେଣ୍ଟର । ମୋଟ ୩ ହଜାର ୧୩୩ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଅନ୍ୟପଟେ ଚଳିତ ଥର ମୋଟ ୫ ଲକ୍ଷ ୨୨ ହଜାର ୩୩୬ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଯାଉଛନ୍ତି । ତେବେ ୫ ଲକ୍ଷ ୧୦ ହଜାର ୭୭୮ଜଣ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାର୍ଥୀ, ୭ ହଜାର ୭୬୬ ଜଣ ଓପନ ସ୍କୁଲ ପରୀକ୍ଷାର୍ଥୀ ଏବଂ ୩ ହଜାର ୭୯୨ ଜଣ ମଧ୍ୟମା ପରୀକ୍ଷାର୍ଥୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଛନ୍ତି । ପରୀକ୍ଷା ପାଇଁ ୬୦୦ ସେଣ୍ଟରରେ ସିସିଟିଭିର ହେବ ଲାଇଭ ଷ୍ଟ୍ରିମିଂ। ଏଥର ୪ ଥାକିଆ ସ୍କ୍ୱାଡ ବ୍ୟବସ୍ଥା କରାଯାଇଛି । ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ବୋର୍ଡ ପକ୍ଷରୁ ତିନୋଟି ବ୍ୟବସ୍ଥା କରାଯାଇଛି । ମାଟ୍ରିକ ପ୍ରଶ୍ନପତ୍ରରେ ୱାଟର ମାର୍କ, ଷ୍ଟାଟିକ କ୍ୟୁ ଆର କୋର୍ଡ ଓ ଡାଇନାମିକ କୋର୍ଡ ବ୍ୟବସ୍ଥା କରାଯାଇଛି ।
୧୮ରୁ ଯୁକ୍ତ ଦୁଇ ପରୀକ୍ଷା:
ଫେବୃଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଯାହା ମାର୍ଚ୍ଚ ୨୭ ଯାଏ ଚାଲିବ । ମୋଟ ୨୨ଟି ସିଟିଂରେ ଏହି ପରୀକ୍ଷା କରାଯିବ । ବିଜ୍ଞାନ, କଳା, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ । ଚଳିତ ବର୍ଷ ମୋଟ ୩ ଲକ୍ଷ ୯୩ ହଜାର ୬୧୮ ଜଣ ପରୀକ୍ଷାର୍ଥୀ ବିଜ୍ଞାନ, କଳା, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାରେ ପରୀକ୍ଷା ଦେବାକୁ ଯାଉଛନ୍ତି । ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ପାଇଁ ୨୦୫ଟି ପରୀକ୍ଷା ହବ ହୋଇଛି । ସେଥିରେ ୨୪ ଘଣ୍ଟିଆ ସିସିଟିଭି ସର୍ଭିଲାନ୍ସ ସହ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ୧ ହଜାର ୨୭୬ଟି ପରୀକ୍ଷା ସେଣ୍ଟର ରହିଛି । ୩୦ ଜିଲ୍ଲାରେ ୩୫ ସ୍ଥାନରେ ସ୍କ୍ୱାର୍ଡ ରହିବେ ବୋଲି ନିଷ୍ପତ୍ତି ନିଆଯାଇଛି ।
ଫେବୃଆରୀ ୨୧ରୁ ମାଟ୍ରିକ ପରୀକ୍ଷା: ପ୍ରଶ୍ନପତ୍ର ଲିକ୍ ଏବଂ କପି ରୋକିବାକୁ ବ୍ୟାପକ ବ୍ୟବସ୍ଥା
ଏଥର ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ବାରକୋଡ, ହୋଇପାରିବନି ଲିକ୍
ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା, ପ୍ରଶ୍ନ ପତ୍ର ଲିକ୍ ନେଇ ଗୁଜବ କଲେ କଡା କାର୍ଯ୍ୟନୁଷ୍ଠାନ
+2 ପରୀକ୍ଷା କପି ମୁକ୍ତ କରିବାକୁ ବୋର୍ଡର ପ୍ରୟାସ, ଜଗିବେ ଜିଲ୍ଲାସ୍ତରୀୟ ସ୍କ୍ବାଡ୍
କପି ରୋକିବା ପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତି:
ମାଟ୍ରିକ ପରୀକ୍ଷାର ସଠିକ ସୁପରିଚାଳନା ପାଇଁ ସାରା ରାଜ୍ୟରେ ନିୟୋଜିତ ହେବେ ୬୦ ଜଣ ନୋଡାଲ ଅଫିସର । ପ୍ରତ୍ୟେକ ଜିଲ୍ଲାରେ ଜଣେ ଅତିରିକ୍ତ ଜିଲ୍ଲାପାଳ ଓ ଜଣେ ଡ଼ିଏସପି ରାଙ୍କର ଅଫିସର ଏହି ନୋଡାଲ ଅଫିସର ଦାୟିତ୍ୱରେ ରହିବେ । ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଁଚିବା, ପରୀକ୍ଷା ସେଣ୍ଟରରେ ସୁବ୍ୟବସ୍ଥିତ ପରୀକ୍ଷା ଓ ଉତ୍ତର ଖାତା ମୂଲ୍ୟାୟନ କେନ୍ଦ୍ରରେ ପହଁଚିବା ନୋଡାଲ ଅଫିସରଙ୍କ ତତ୍ତ୍ୱାବଧାନରେ ହେବ । ଅନ୍ୟପଟେ ପ୍ରଶ୍ନପତ୍ର ଲିକ୍ ନହେବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଚଳିତ ବର୍ଷ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କାରାଯାଉଛି । ଏହା ସହ ଯେଉଁମାନେ ପ୍ରଶ୍ନପତ୍ର ଲିକ କରିବେ କିମ୍ବା କୌଣସି ଭୁଲ ଖବର କିମ୍ବା ଗୁଜବକୁ ପ୍ରଚାର କରିବେ ସେମାନଙ୍କ ବିରୋଧରେ ୧୯୮୮ ପରୀକ୍ଷା ଆକ୍ଟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ଇଟିଭି ଭାରତ, ଭୁବନେଶ୍ୱର