ବ୍ରହ୍ମପୁର: ଭତ୍ତା ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । 80 ବର୍ଷରୁ ଅଧିକ ବୟସର ନାଗରିକ ଏବଂ 80 ପ୍ରତିଶତ କିମ୍ବା ଏହାଠାରୁ ଅଧିକ ଭିନ୍ନକ୍ଷମ ହିତାଧିକାରୀଙ୍କ ଭତ୍ତା ଟଙ୍କା ବୃଦ୍ଧି କରାଯାଇଛି । ଏହି ଅବସରରେ ଗଞ୍ଜାମରେ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।
- ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ:
ଗଞ୍ଜାମ ଜିଲ୍ଲାରେ ମଧ୍ୟ ବଣ୍ଟନ ହୋଇଛି ନୂତନ ବର୍ଦ୍ଧିତ ସାମାଜିକ ସୁରକ୍ଷା ଭତ୍ତା । ମୁଖ୍ୟଅତିଥି ଭାବେ ରାଜ୍ୟ ଖଣି, ଇସ୍ପାତ ଓ ସଡକ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଶୁଭାରମ୍ଭ କରି ବଣ୍ଟନ କରିଛନ୍ତି । ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ପରିସରେ ବୁଧବାର ସରକାରଙ୍କ ପକ୍ଷରୁ ବୃଦ୍ଧି ହୋଇଥିବା ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ କରାଯାଇଥିଲା । ଏଥିରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇ ଏହି ବର୍ଦ୍ଧିତ ଭତ୍ତା ହିତାଧିକାରୀମାନଙ୍କୁ ବଣ୍ଟନ କରିଥିଲେ । ଗଞ୍ଜାମ ଜିଲ୍ଲାରେ ସରକାରଙ୍କ ଏହି ନୂତନ ବର୍ଦ୍ଧିତ ସାମାଜିକ ସୁରକ୍ଷା ଭତ୍ତା ମୋଟ ୨୬ ହଜାର ୧୩୪ ଜଣ ପାଇବେ । ଏଥିରେ ୬ ହଜାର ୬୧୦ ଜଣ ଦିବ୍ୟାଙ୍ଗ ଉପକୃତ ହେବାକୁ ଥିବାବେଳେ ୧୯ ହଜାର ୫୨୪ ଜଣ ଉଭୟ ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ଭତ୍ତା ପାଇବେ ବୋଲି ଜଣାପଡିଛି ।
୮୦ ବର୍ଷରୁ ଉର୍ଦ୍ଧ୍ୱ ନାଗରିକ ଏବଂ ୮୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗ ଏହି ଯୋଜନାର ଲାଭାର୍ଥୀ ପାଇବାକୁ ସରକାରଙ୍କ ନିୟମ ରହିଥିବାବେଳେ ମଧୁବାବୁ ପେନସନ ଯୋଜନାରେ ଛତ୍ରପୁର ବ୍ଲକର ୮୦ ବର୍ଷରୁ ଉର୍ଦ୍ଧ୍ବ ୬୦ ଜଣ ନାଗରିକଙ୍କୁ ଏବଂ ୮୦ ପ୍ରତିଶତରୁ ଅଧିକ ୫୨ ଜଣ ଭିନ୍ନକ୍ଷମଙ୍କୁ ୩,୫୦୦ ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରାଯାଇଛି । ସେହିପରି ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ୮୦ବର୍ଷରୁ ଉର୍ଦ୍ଧ୍ୱ ୬୧୭ ଜଣ ନାଗରିକଙ୍କୁ ଏବଂ ୮୦ ପ୍ରତିଶତରୁ ଅଧିକ ୬୯ ଜଣ ଭିନ୍ନକ୍ଷମଙ୍କୁ ଏହି ବର୍ଦ୍ଧିତ ଅର୍ଥ ଟଙ୍କା ଭତ୍ତା ପ୍ରଦାନ କରାଯାଇଥିଲା । ଏଥିସହ ଛତ୍ରପୁର ସବଡିଭିଜନରେ ଆତ୍ମନିର୍ଭରଶୀଳ ପାଇଁ ୧୬ଟି ଇ-ରିକ୍ସା କୁ ବଣ୍ଟନ କରିଥିଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଏହି ଅବସରରେ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, "ଆଜିର ସାମାଜିକ ସୁରକ୍ଷା ଦିବସରେ ଗତ ନିର୍ବାଚନ ପୂର୍ବରୁ ଘୋଷଣା କରାଯାଇଥିବା ବର୍ଦ୍ଧିତ ଉତ୍ତା ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିବାବେଳେ ରାଜ୍ୟରେ ୪ ଲକ୍ଷ ୧୭ ହଜାର ୪୯୬ ଜଣ ଉପକୃତ ହେବେ । ତେବେ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏହାରି ମାଧ୍ୟମରେ ଅନେକ ଉପକୃତ ହେବେ ।"