ସମ୍ବଲପୁର:କଫ୍ ସିରପ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ । ହେଲେ ଜାମିନ୍ ପାଇ ମୁକ୍ତ ହେବା ପରେ ବି ଘରକୁ ଫେରି ପାରୁନାହାନ୍ତି । ମାନସିକ ସ୍ଥିତି ଠିକ ନଥିବା କାରଣରୁ ଘର ଠିକଣା ମଧ୍ୟ ମନେ ପଡୁନି । ହେଲେ ଗିରଫଦାରୀ ସମୟରେ ପୋଲିସ୍ ମଧ୍ୟ ତ୍ରୁଟିପୂର୍ଣ୍ଣ ଠିକଣା ପଞ୍ଜୀକୃତ କରିଥିଲା । ତେଣୁ ସରକାରୀ ରେକର୍ଡରୁ ଏବେ ତାଙ୍କ ଠିକଣା ଚିହ୍ନଟ କରି ଘରକୁ ପଠାଇବା ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି । ଫଳରେ ଜିଲ୍ଲା ପ୍ରଶାସନର ସହାୟତାରେ 'ସମର୍ଥ' ନାମକ ଏକ ଆଶ୍ରମରେ କଟୁଛି ଜୀବନ । ଏ କାହାଣୀ ହେଉଛି, ପୋଲିସ ପ୍ରଶାସନର ବେପରୁଆ କାର୍ଯ୍ୟଶୈଳୀରେ ଛନ୍ଦି ହୋଇଥିବା ଜଣେ ମାନସିକ ଭିନ୍ନକ୍ଷମ ଅଭିଯୁକ୍ତ ଜାବୀରଙ୍କର । ଏବେ ପ୍ରଶ୍ନ ଉଠୁଛି, ଏ ତ୍ରୁଟି ପାଇଁ ଦାୟୀ କିଏ ।
- କାହିଁକି ଗିରଫ ହୋଇଥିଲେ ଜାବୀର ?
ଜେଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, 2019 ମସିହା ଜୁଲାଇ 16 ତାରିଖରେ ଧନୁପାଲି ପୋଲିସ କେତୋଟି ବେଆଇନ କଫ ସିରପ୍ ଚାଲାଣ ଅଭିଯୋଗରେ ଜାବୀରଙ୍କୁ ଗିରଫ କରିଥିଲା । ଜାବୀର ସତ୍ତାରଙ୍କର ପିତା-ମହମ୍ମଦ ରେହମାନ, ଘର-ଅଘୋରା, ଥାନା-ସୋନୁଆ, ଜିଲ୍ଲା- ରାଞ୍ଚି, ରାଜ୍ୟ – ଝାଡ଼ଖଣ୍ଡ । ଗତ 17.07.2019 ତାରିଖରୁ ସମ୍ବଲପୁର ମଣ୍ଡଳ କାରାଗାରରେ ST Case No-8/2020, u/s- 274/275 IPC (GR case no 2307/2019) ସମ୍ବଲପୁର ଅତିରିକ୍ତ ସତ୍ର ନ୍ୟାୟାଧିଶଙ୍କ ନିର୍ଦ୍ଦେଶକ୍ରମେ ରହିଆସୁଥିଲେ ।
- ଏବେ କେମିତି ଅଛନ୍ତି ଜାବୀର ?
ବର୍ତ୍ତମାନ ଜାବୀରଙ୍କ ମାନସିକ ସ୍ଥିତି ସ୍ୱାଭାବିକ ନାହିଁ । ଫଳରେ ସେ ତାଙ୍କର ଘରର ଠିକଣା ସଠିକ ଭାବେ କହି ପାରୁନାହାନ୍ତି । ଦୀର୍ଘ ଦିନ ହେଲା ତାଙ୍କୁ ଜାମିନଦାର ମିଳୁନଥିଲେ । ଏହି ଘଟଣା ନେଇ ସମ୍ବଲପୁରର ‘Legal Aid Defence Council’ର ମୁଖ୍ୟ ଦୁଷ୍ମନ୍ତ ବେହେରା କହିଛନ୍ତି, "ନିୟମ ଅନୁସାରେ, ଏଭଳି ସ୍ଥିତିରେ ସେହି କ୍ଷେତ୍ରରେ ଜେଲ ଅଧୀକ୍ଷକ, DLSA, ଜିଲ୍ଲାପାଳଙ୍କ ମିଳିତ ପ୍ରଚେଷ୍ଟାରେ ଯେଉଁ ଆଶ୍ରୟସ୍ଥଳଗୁଡିକ ଅଛି ସେଠାରେ ତାଙ୍କୁ ରଖାଯିବ । ପ୍ରଥମେ ଚେଷ୍ଟା କରାଯିବ ତାଙ୍କ ନିଜ ଲୋକ କିଏ ଅଛନ୍ତି, ତାଙ୍କୁ ଦିଆଯିବ । ଯଦି ନାହିଁ ଏହି ସବୁ ଯେଉଁ ଏନଜିଓ ଗୁଡିକ ଅଛି ସେମାନଙ୍କ ଜରିଆରେ ତାଙ୍କୁ ଜେଲରୁ ବାହାର କରାଯାଇ ଆଶ୍ରୟସ୍ଥଳୀରେ ରଖାଯିବାର ବ୍ୟବସ୍ଥା ଓ ତାର ଚିକିତ୍ସା ପାଇଁ ଚେଷ୍ଟା କରାଯିବ l ଏସବୁ ପ୍ରାବଧାନ ଅଛି l"
- ତ୍ରୁଟିପୂର୍ଣ୍ଣ ଠିକଣା:
ଆଇନ ସେବା ପ୍ରତିପକ୍ଷ ଓକିଲ ଦୁଷ୍ମନ୍ତ ବେହେରା ଆହୁରି କହିଛନ୍ତି, "ଏହି ଘଟଣାରେ ତଦନ୍ତକାରୀ ଅଫିସର ଯିଏ ଥିଲେ ସେ ତ୍ରୁଟିପୂର୍ଣ୍ଣ ଠିକଣା ଦାଖଲ କରିଛନ୍ତି । ଫଳରେ ଜାବୀରଙ୍କ ଘର ଲୋକଙ୍କୁ ଠାବ କରାଯାଇପାରୁନାହିଁ । ଯଦି ତଦନ୍ତକାରୀ ଅଧିକାରୀ ସଠିକ ଠିକଣା ଦେଇଥାନ୍ତେ ଘର ଲୋକଙ୍କୁ ଆଣି ତାଙ୍କୁ ହସ୍ତାନ୍ତର କରାଯାଇପାରିଥାନ୍ତା । ଠିକଣା ନଥିବାରୁ, ଜେଲ ଅଧୀକ୍ଷକ ଜିଲ୍ଲା ପ୍ରଶାସନ, DLSA ସମସ୍ତେ ଚେଷ୍ଟା କରିକି ତାଙ୍କର ଉତ୍ତମ ବ୍ୟବସ୍ଥା କରାଯାଇଛି l ଜାବୀରଙ୍କ ବେଲ ବହୁତ ଦିନ ପୂର୍ବରୁ ହୋଇଯାଇଥିଲା । କେହି ଜଣେ ଜେଲ ଅନ୍ତେବାସୀ ଆସିଥିଲେ ଜଣେ ଜାମିନଦାରକୁ ଆଣି ଏବଂ ସେ ତାଙ୍କୁ ଜାମିନରେ ନେଇଥିଲେ l ସେଥିପାଇଁ ତାଙ୍କୁ ଆଶ୍ରମରେ ରଖାଯାଇଛି । ଜାବୀର ମୁକୁଳିବା ପାଇଁ ଜଣେ ଜେଲ ଅନ୍ତେବାସୀ ତାଙ୍କୁ ସହାୟତା କରିଥିଲେ l "
- ଜେଲରେ ବିଗିଡିଥିଲା ମାନସିକ ସ୍ଥିତି:-
ଜେଲରେ ଥିବାବେଳେ ଜାବୀର ସତ୍ତାର ଭଲଭାବେ କଥାବାର୍ତ୍ତା କରିପାରୁନଥିଲେ । କାହା ସହିତ ବାର୍ତ୍ତାଳାପ ସମୟରେ ସେ କ'ଣ କହୁଥିଲେ କିଛି ବୁଝି ହେଉନଥିଲା । ସେ ମାନସିକ ସ୍ତରରେ ଦୁର୍ବଳ ଥିଲେ । କିନ୍ତୁ କାରାଗାରରେ ତାର ଆଚରଣ ବ୍ୟବହାର ଉତ୍ତମ ଥିଲା । 20 ଅଗଷ୍ଟ 2019 ରେ ତାଙ୍କର ଚାର୍ଜସିଟ ଦାଖଲ ହୋଇଥିଲା । କିଛି ଦିନ ପରେ ତାଙ୍କୁ ଜାମିନର ପ୍ରାବଧାନ ଥିଲେ ମଧ୍ୟ ପରିବାର ଲୋକ କେହି ନଥିବାରୁ ତାଙ୍କୁ ଜାମିନଦାର ମିଳିନଥିଲେ । ଏହାପରେ ସେ ଜେଲରେ ବିଚାରଧୀନ କଏଦୀ ଭାବେ ରହିଲେ । ପରବର୍ତ୍ତୀ ସମୟରେ ତାଙ୍କ ମାନସିକ ସ୍ଥିତି ସ୍ୱାଭାବିକ ନଥିବା ଜଣାପଡିଥିଲା । ତେଣୁ 2022-23ରେ ପିଆର ବଣ୍ଡରେ ମଧ୍ୟ ତାଙ୍କର ବେଲ ହୋଇପାରିଲା ନାହିଁ l ଏହି ସମୟ ମଧ୍ୟରେ ଜେଲରେ ତାଙ୍କର ମାନସିକ ରୋଗରେ ଚିକିତ୍ସା ଜାରି ରହିଥିଲା । ସେ କେତେକ ମେଡ଼ିସିନ ମଧ୍ୟ ଖାଉଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ପ୍ରତ୍ୟେକ ମାସ ତାଙ୍କର ମାନସିକ ସ୍ଥିତିର ମେଡିକାଲ ରିପୋର୍ଟ କୋର୍ଟରେ ଦାଖଲ କରାଯାଉଥିଲା । ଜେଲର ଜଣେ ବରିଷ୍ଠ ଅଧିକାରୀଙ୍କ ତରଫରୁ ମିଳିଥିବା ସୂଚନା ଅନୁସାରେ ରିପୋର୍ଟରେ ଏହା ଉଲ୍ଲେଖ ରହୁଥିଲା ଯେ ମାନସିକ ସ୍ଥିତି ସ୍ବାଭାବିକ ଅଛି, ମେଡିସିନ ଜାରି ରହିଛି l ଏମିତି 4 ବର୍ଷ ବିତିଗଲା ।