ଓଡିଶା

odisha

ETV Bharat / state

ସରିଲା ସଜ୍ଜା, ଜେଲରୁ ଫେରିବା ପରେ ମିଳୁନି ଘର ଠିକଣା - PRISONER UNABLE TO RETURN

ଜେଲରୁ ମୁକ୍ତ ହେବା ପରେ ବି ଘରକୁ ଫେରିପାରୁନାହାନ୍ତି ଅନ୍ତେବାସୀ । ମାନସିକ ସ୍ଥିତି ଭଲନଥିବାରୁ କହିପାରୁନାହାନ୍ତି ଠିକଣା । ଆଶ୍ରମରେ ରହିବାର ବ୍ୟବସ୍ଥା କଲା ଜିଲ୍ଲା ପ୍ରଶାସନ ।

Prisoner Unable To Return
Prisoner Unable To Return (ETV Bharat Odisha)

By ETV Bharat Odisha Team

Published : 23 hours ago

ସମ୍ବଲପୁର:ଜେଲରୁ ମୁକ୍ତ ହୋଇ ମଧ୍ୟ ମୁକ୍ତ ହୋଇ ପାରୁନାହାନ୍ତି ଅନ୍ତେବାସୀ । ସଜ୍ଜା କାଟି ଜେଲରୁ ମୁକୁଳିଥିବା ଜଣେ ଅନ୍ତେବାସୀଙ୍କ ମିଳୁନି ଠିକଣା l ତେଣୁ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଶ୍ରମରେ ରଖିବାର ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ।

Prisoner Unable To Return (ETV Bharat Odisha)

କାହିଁକି ଜାମିନ ପରେ ବି ଘରକୁ ଫେରିପାରୁନାହାନ୍ତି?

ଜାବିର ସତ୍ତାର (35 ବର୍ଷ) l 2019 ମସିହାରେ କଫସିରପ୍ କାରବାର ଅଭିଯୋଗରେ ସେ ଗିରଫ ହୋଇ ସମ୍ବଲପୁର ମଣ୍ଡଳ କରାଗରରେ ଥିଲେ । କିଛି ଦିନ ତଳେ ସେ ଜେଲରୁ ମୁକ୍ତ ହୋଇଥିଲେ ମଧ୍ୟ ସେ ତାଙ୍କର ଘରର ସଠିକ ଠିକଣା କହି ପାରୁନଥିବାରୁ ବର୍ତ୍ତମାନ ତାଙ୍କୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ଏକ ରିହାବିଲିଟେସନ ଆଶ୍ରମରେ ରଖିବାର ବ୍ୟବସ୍ଥା କରିଛନ୍ତି l ମିଳିଥିବା ସୂଚନା ଅନୁସାରେ, ଗିରଫ ହେବା ସମୟରେ ସେ ଯେଉଁ ଠିକଣା ଦେଇଥିଲେ ତାହା ଭୁଲ ବାହାରିଲା ଓ ବର୍ତ୍ତମାନ ତାଙ୍କର ମାନସିକ ସ୍ଥିତି ଭଲ ନଥିବାରୁ ନିଜର ଘର ଠିକଣା କିଛି କହି ପାରୁନାହାନ୍ତି l ଫଳରେ ସେ ଜେଲରୁ ମୁକ୍ତ ହୋଇ ମଧ୍ୟ ନିଜ ଘରକୁ ଫେରି ପାରୁନାହାନ୍ତି l

Prisoner Unable To Return (ETV Bharat Odisha)

କ'ଣ ଥିଲା ପୁରୁଣା ଠିକଣା?

ଜେଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଜାବିର ସତ୍ତାରଙ୍କର ପିତା- ମହମ୍ମଦ ରେହମାନ, ଘର- ଅଘୋରା, ଥାନା-ସୋନୁଆ, ଜିଲ୍ଲା- ରାଞ୍ଚି, ରାଜ୍ୟ – ଝାଡ଼ଖଣ୍ଡ ଗତ 17.07.2019 ତାରିଖରୁ ସମ୍ବଲପୁର ମଣ୍ଡଳ କାରାଗାରରେ ST Case No-8/2020, u/s- 274/275 IPC (GR case no 2307/2019), Additional Session Judge, ସମ୍ବଲପୁରଙ୍କ ନିର୍ଦ୍ଦେଶକ୍ରମେ ରହିଆସୁଥିଲେ । ଜେଲରେ ଥିବାବେଳେ ଜାବିର ସତ୍ତାର ଭଲଭାବରେ କଥା ବାର୍ତ୍ତା କରିପାରୁନଥିଲେ । କାହା ସହିତ ବାର୍ତ୍ତାଳାପ ସମୟରେ ସେ କ'ଣ କହୁଥିଲେ କିଛି ବୁଝି ହେଉନଥିଲା । ସେ ମାନସିକ ସ୍ତରରେ ଦୁର୍ବଳ ଥିବାରୁ କାହା ସାଙ୍ଗରେ କଥାବାର୍ତ୍ତା ହେଉନଥିଲେ । କିନ୍ତୁ କାରାଗାରରେ ତାର ଆଚରଣ ବ୍ୟବହାର ଉତ୍ତମ ଥିଲା । ସେ ସମସ୍ତଙ୍କ ସାଙ୍ଗରେ ମିଳିମିଶି ରହୁଥିଲା । ସେ କାରାଗାର ରେ ରହିବା ସମୟରେ କୌଣସି ବିଶୃଙ୍ଖଳିତ ଆଚରଣ କରିନଥିଲେ । ତେବେ ଦୁର୍ଭାଗ୍ୟବଶତଃ ତାଙ୍କର ପରିବାର ଲୋକେ ଅଥବା ସୁପରିଜନ କେହିବି ଜେଲରେ ରହିବା ଦିନଠାରୁ କେହି ସାକ୍ଷାତ କରିବାକୁ ମଧ୍ୟ ଆସିନଥିଲେ । ସେଥିପାଇଁ ସେ ସବୁବେଳେ ମାନସିକ ଚାପରେ ରହୁଥିଲେ । ଜାମିନ ହେବା ସତ୍ତ୍ବେ ତାଙ୍କୁ ଜାମିନରେ କେହି ନେଉନଥିଲେ । ତା ସହ ନିଜ ପରିବାର ଲୋକ କେହି ଓଡ଼ିଶାରେ ନଥିବାରୁ ସେ ଜାମିନରେ ଯାଇପାରୁନଥିଲେ । ପରବର୍ତ୍ତୀ ସମୟରେ ତାର ମାନସିକ ସ୍ଥିତି ଠିକ ନଥିବାରୁ ଅଦାଲତ ତାଙ୍କ ବିଚାରକୁ ସ୍ଥଗିତ ରଖିଥିଲେ ।

Sambalpur Jail (ETV Bharat Odisha)
ଜାବିରଙ୍କ ପରିବାରକୁ ସମ୍ପର୍କ କରିବା ଉଦ୍ୟମ ଫେଲ୍:

ଜାବିରଙ୍କ ପରିବାରକୁ ବେତାର ସମ୍ବାଦ ଓ ପତ୍ର ମାଧ୍ଯମରେ ବାରମ୍ବାର ଜଣାଯାଉଥିଲେ ମଧ୍ୟ ତାହା ସଠିକ ଠିକଣା ନ ଥିବାରୁ ଚିଠି ଫେରି ଆସୁଥିଲା । ଜାବିର ସତ୍ତାର ଜାମିନ ପାଇ ମଧ୍ୟ କାରାଗାରରେ ୫ ବର୍ଷ ରହିଗଲା ପରେ ଜେଲ ଅଧିକାରୀ ଅଦାଲତଙ୍କଠାରୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ପାଇବା ନିମନ୍ତେ ଉଦ୍ୟମ କରିଥିଲେ । ପରବର୍ତ୍ତୀ କାଳରେ କାରା ମହାନିର୍ଦ୍ଦେଶକ, ଓଡ଼ିଶାଙ୍କ ନିର୍ଦ୍ଦେଶ କ୍ରମେ ଜଣେ କାରା ଅଧିକାରୀ ଏବଂ କାରାରକ୍ଷୀଙ୍କୁ ତାଙ୍କ ପରିବାର ସଦସ୍ୟଙ୍କ ସନ୍ଧାନ ନିମନ୍ତେ ଝାଡ଼ଖଣ୍ଡକୁ ପଠାଯାଇଥିଲା । ସେମାନେ ସୋନୁଆ ଥାନା ସହିତ ରାଞ୍ଚିର ଅନ୍ୟ କେତେକ ଥାନାକୁ ଯାଇ ଯୋଗାଯୋଗ କରିଥିଲେ, କିନ୍ତୁ ୱାରେଣ୍ଟରେ ଲେଖା ହୋଇଥିବା ଠିକଣା ଠିକ ନଥିବାର ଥାନା ଅଧିକାରୀଙ୍କଠାରୁ ଜାଣିବାକୁ ପାଇଲେ ।

Prisoner Unable To Return (ETV Bharat Odisha)

ଜେଲ କର୍ତ୍ତୃପକ୍ଷଙ୍କ ନିଷ୍ଠାପର ଉଦ୍ୟମ:
ପରିଶେଷରେ ଜେଲ କର୍ତ୍ତୃପକ୍ଷଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ତା 13.12.2024 ରିଖରେ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ମୁକ୍ତି ପାଇଁ ନିର୍ଦ୍ଦେଶ ଆସିଥିଲା । ତେଣୁ ତା ପରଦିନ ଅର୍ଥାତ 14.12.2024 ତାରିଖ ଦିନ ଜାବିର ସତ୍ତାରଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା l ଏହା ପରେ ଜେଲ କର୍ତ୍ତୃପକ୍ଷ ଓ ଧନୁପାଲି ଥାନା ଅଧିକାରୀ ସମ୍ବଲପୁର ଜିଲ୍ଲାପାଳଙ୍କୁ ଭେଟି ଏହି ସମସ୍ୟା ନେଇ ଆଲୋଚନା କରିଥିଲେ l ଜିଲ୍ଲପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଜାବିରଙ୍କୁ ଏକ ଆଶ୍ରମ ରେ ରଖିବାକୁ ପରାମର୍ଶ ଦେଇଥିଲେ l ଏହାପରେ ଜେଲ କର୍ତ୍ତୃପକ୍ଷ ଜାବିର ସତ୍ତାରଙ୍କୁ ଧନୁପାଲି ଥାନା ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ । ତାପରେ ଉଭୟ ପୋଲିସ ଓ କାରାଗାର କର୍ମଚାରୀଙ୍କ ସହଯୋଗରେ ଜେଲ ଆମ୍ବୁଲାନ୍ସରେ ଏକ ଆବାସିକ ଗୃହକୁ ହସ୍ତାନ୍ତର କରାଯାଇଥିଲା ।

ଏହା ବି ପଢନ୍ତୁ...କଏଦୀଙ୍କ ପାଇଁ ମୁକ୍ତି ଅଭିଯାନ, ୬୦ ଦିନରେ ୬୦ ଜଣଙ୍କୁ ମୁକାଳିବା ପାଇଁ ଲକ୍ଷ୍ୟ
ଏହା ବି ପଢନ୍ତୁ...ଆଜୀବନ ସଜ୍ଜାରରୁ ମିଳିଲା ମୁକ୍ତି, ସମ୍ବିଧାନ ଦିବସରେ ମୁକୁଳିଲେ ୧୪ କଏଦୀ


ଜେଲ ସଂସ୍କାର କାର୍ଯ୍ୟ ମୁକୁଳିଲେ:

ଏହି ଜେଲ ସଂସ୍କାର କାର୍ଯ୍ୟ ଯୋଗୁ ବର୍ତ୍ତମାନ ଜାବିର ସତ୍ତାର ଜେଲରୁ ମୁକ୍ତ ହୋଇ ସମ୍ବଲପୁରରେ ଅବସ୍ଥାନ କରୁଛନ୍ତି । ଏହି ପ୍ରସଙ୍ଗ ନେଇ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର କହିଛନ୍ତି, "ବର୍ତ୍ତମାନ ଜେଲରୁ ମୁକ୍ତ ହୋଇଥିବା ଜାବିର ସତ୍ତାରଙ୍କୁ ରିହାବିଲିଟେସନ ସେଣ୍ଟରରେ ରଖାଯାଇଛି l ତାଙ୍କର ଭଲଭାବେ ଯତ୍ନ ନିଆଯାଉଛି ଓ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ମଧ୍ୟ ଅଛି l ସେ ତାଙ୍କର ସଠିକ ଠିକଣା କହି ପାରୁନାହାନ୍ତି l ଯେତେବେଳେ ସଠିକ ଠିକଣା ମିଳିଯିବ ଘରକୁ ପଠାଇବାର ବ୍ୟବସ୍ଥା କରାଯିବ l ବର୍ତ୍ତମାନ ସେ ନିଜ ଘର କେଵଳ ଝାଡଖଣ୍ଡ ବୋଲି କହୁଛନ୍ତି l" ଏନେଇ ସମ୍ବଲପୁର ଜେଲ ଡିଆଇଜି କୂଳମଣି ବେହେରା ଫୋନ ଯୋଗେ ସୂଚନା ଦେଇ କହିଛନ୍ତି, "ସେ 17ଜୁଲାଇ 2019 ରୁ ସମ୍ବଲପୁର ଜେଲରେ ବିଚାରଧୀନ କଏଦୀ ଭାବେ ଥିଲେ l ସେତେବେଳେ ତାଙ୍କ ମାନସିକ ଅବସ୍ଥା କିପରି ଥିଲା ଆମେ ଜାଣିନୁ । କିନ୍ତୁ ସେ ଭଲ ଭାବେ କଥାବାର୍ତ୍ତା ହୋଇପାରୁନଥିଲେ l ତାଙ୍କର ବେଲ ହୋଇଥିଲେ ବି ଯାଇପାରୁନଥିଲେ l ତାଙ୍କ ଘରର ଠିକଣା ଯାହା ଉଲ୍ଲେଖ ଥିଲା ସେହି ଠିକଣାରେ ସେହି ଭଳିଆ ଲୋକ କେହିନଥିଲେ l ତେବେ ଜେଲ ଡିଜିଙ୍କ ମୁକ୍ତି ଅଭିଯାନ କାର୍ଯ୍ୟକ୍ରମରେ ଡିଜିଙ୍କ ନିର୍ଦ୍ଦେଶ କ୍ରମେ ସମ୍ବଲପୁର ଜେଲର ଜଣେ ଅଫିସର ଓ ଜଣେ ୱାଡର ବିହାର ( ଝାଡଖଣ୍ଡ ) ଯାଇଥିଲେ l ସେହି ଠିକଣାରେ ସେମତି କୌଣସି ଗାଁ ନଥିଲା କି ତାଙ୍କର କୌଣସି ସମ୍ପର୍କୀୟ ମଧ୍ୟ ନଥିଲେ l ଏହାପରେ ସେମାନେ ସ୍ଥାନୀୟ ଥାନା ଓ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଯାଇ ଭେଟିଥିଲେ ମଧ୍ୟ କୌଣସି ସୁରାକ ମିଳି ନଥିଲା l ଉଭୟ ଅଫିସର ସେଠାରୁ ଫେରିଆସିଥିଲେ l ପରବର୍ତ୍ତୀ ସମୟରେ ସମ୍ବଲପୁର ଜିଲ୍ଲାପାଳଙ୍କୁ ଏନେଇ ସୂଚନା ଦେବା ପରେ ଜିଲ୍ଲପାଳଙ୍କ ନିର୍ଦ୍ଦେଶରେ ତାଙ୍କୁ ରିହାବିଲିଟେସନରେ ରଖାଯାଇଛି।"


ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details