ବାରିପଦା/କେନ୍ଦୁଝର: କୁହାଯାଏ ଭାଷା ଯେ କୌଣସି ଜାତି, ସମ୍ପ୍ରଦାୟ ଓ ସମୁଦାୟର ପ୍ରଥମ ପରିଚୟ । କିନ୍ତୁ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ, ପ୍ରଯୁକ୍ତିବିଦ୍ୟା ଓ ସଫ୍ଟଓ୍ବେରର ବହୁଳ ବ୍ୟବହାର ଫଳରେ ଆଜିର ଯୁବପିଢି ନିଜ ମାତୃଭାଷା ପ୍ରତି ମୁହଁ ଫେରାଇ ନେଇ ଏବେ ଇରାଜୀ ମୁହାଁ ହେଲେଣି । ଏକଥା ବୁଦ୍ଧିଜୀବୀ ଓ ଭାଷାପ୍ରେମୀଙ୍କ ମହଲରେ ଅନେକ ଥର ଚର୍ଚ୍ଚାର ବିଷୟ ପାଲଟିଛି । ମାତ୍ର ଏପରି ଜଣେ ଆଦିବାସୀ ଯୁବକଙ୍କୁ ନେଇ ଚର୍ଚ୍ଚା, ଯିଏ ନିଜ ଉଦ୍ୟମରେ ନିଜର ମାତୃଭାଷାକୁ କାଗଜ କଲମରୁ ଦେଇଛନ୍ତି, ଡିଜିଟାଲ ରୂପ ।
- ଡିଜିଟାଲ ବୟ ରାମଜିତ:
ତାଙ୍କ ଉଦ୍ୟମରେ ଇଣ୍ଟରନେଟରେ ମଧ୍ୟ ଉପଲବ୍ଧ ହେଉଛି ମାତୃଭାଷା । ଛାତ୍ର ଜୀବନରୁ ଗତ ୧୦ ବର୍ଷ ଧରି ତାଙ୍କର ଏହି ଉଦ୍ୟମ ଆଜି ସଫଳ ହୋଇଛି । ଲ୍ୟାପଟପ ଓ ମୋବାଇଲ ଡିସପ୍ଲେରେ ଏବେ ଉପପବ୍ଧ ହେଉଛି ଭାଷା । ଏ କାହାଣୀ ହେଉଛି ଆଦିବାସୀବହୁଳ ମୟୂରଭଞ୍ଜ ଜିଲ୍ଲାର ଯୁବକ ରାମଜିତ ଟୁଡୁଙ୍କର । ଗତକାଲି ପର୍ଯ୍ୟନ୍ତ ଅଜଣା ଥିବା ଏହି ଯୁବକ ଏବେ ଦେଶବ୍ୟାପୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । କାରଣ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସଫଳତା କାହାଣୀ ଦେଶକୁ ଶୁଣାଇଛନ୍ତି ।
- ପ୍ରଧାନମନ୍ତ୍ରୀ କରିଥିଲେ ପ୍ରଶଂସା:-
ଗତକାଲି ରବିବାର (ସେପ୍ଟେମ୍ବର ୨୯) ଅବସରରେ ସାପ୍ତାହିକ ରେଡିଓ ସମ୍ବାଦ କାର୍ଯ୍ୟକ୍ରମ ‘ମନ କି ବାତ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଜିତ ଟୁଡୁଙ୍କ ଭାଷା ନବସୃଜନ ସମ୍ପର୍କରେ ଉଲ୍ଲେଖ କରିବା ସହ ରାମଜିତଙ୍କୁ ପ୍ରଶଂସା ମଧ୍ୟ କରିଥିଲେ । ରାମଜିତ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ନିଜର ପ୍ରଚେଷ୍ଟା ଓ ସାନ୍ତାଳୀ ଭାଷାକୁ କାଗଜ କଲମର ସୀମତତାରୁ ବାହାର କରି ଡିଜିଟାଲାଇଜେସନ କରିବାର ଦୀର୍ଘ ୧୦ ବର୍ଷରୁ ଅଧିକ ସମୟର ଲମ୍ବା ପ୍ରୟାସର କଥା ମଧ୍ୟ କହିଛନ୍ତି ।
- ଇଣ୍ଟରନେଟରେ ନିଜ ମାତୃଭାଷା ନଥିବା ବ୍ୟଥିତ କରିଥିଲା :-
ରାମଜିତି କହିଛନ୍ତି,‘‘ 2014 ରେ ଆଣ୍ଡ୍ରୋଏଡ୍ ଫୋନ ଆସିଲା । ସେତେବେଳେ ଇଣ୍ଟରେନଟ ବ୍ୟବହାରର ସୁଯୋଗ ପାଇଲି । ଆମେ ଦେଖିଲୁ ଅନ୍ୟ ଭାଷାରେ ଲେଖାଯାଇ ପାରୁଛି । କିନ୍ତୁ ଇଣ୍ଟରନେଟରେ ସାନ୍ତାଳୀ ଭାଷା ଉପଲବ୍ଧତା ନଥିଲା । ଆମ ନିଜ ଲିପି (ଅଲଚିକି)ରେ ଇଣ୍ଟରନେଟରେ କଥାବାର୍ତ୍ତା କରିପାରିବା ପାଇଁ ମୁଁ ପ୍ରୟାସ କଲି । ସେହି ପ୍ରୟାସ ଆଜି ମତେ ଏଠାରେ ପହଞ୍ଚାଇଛି । ମୁଁ ରାଉରକେଲାରେ ପାଠ ପଢିବା ବେଳେ ଟୁ-ଜି ନେଟଓ୍ବାର୍କ ବ୍ୟବହାର କରୁଥିଲି । ଯାହା ଯଥେଷ୍ଟ ନଥିଲା । ଫଳରେ ପାଠପଢା ପକେଟ୍ ମନି ଖର୍ଚ୍ଚ କରି ସାଇବର କାଫେ ଯାଉଥିଲି ଓ ସେଠାରେ ସାନ୍ତାଳୀ ଭାଷାକୁ ଡିଜିଟାଲ ଆକାର ଦେବା ପାଇଁ କାମ କରୁଥିଲି । ଆଜି ତାହା ସଫଳ ହୋଇଛି ।’’
ଏହା ମଧ୍ୟ ପଢନ୍ତୁ :- ‘ମନ କି ବାତ’ରେ ମୟୂରଭଞ୍ଜ ଯୁବକ, ସାନ୍ତାଳୀ ଭାଷାକୁ ଦେଇଛନ୍ତି ଡିଜିଟାଲ ପରିଚୟ - PM MANN KI BAAT |