ରାଇରଙ୍ଗପୁର: ବୁଧବାର ଦ୍ବିତୀୟ ପର୍ଯ୍ୟାୟରେ ବିଜେଡି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ତେବେ ମୟୂରଭଞ୍ଜ ଜିଲ୍ଲାରେ ରହିଥିବା ୯ ଗୋଟି ବିଧାନସଭା ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଗୋଟିଏ ମଧ୍ୟ ଘୋଷଣା କରାଯାଇନଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ପାଞ୍ଚଟି ବିଧାନସଭା ଆସନ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ବାରିପଦା, ଉଦଳା, ମୋରୋଡା, ବଡ଼ସାହି ଓ ଯଶିପୁର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଘୋଷଣା କରିଛି ବିଜେଡି ।
2019 ନିର୍ବାଚନୀ ଇତିହାସ: ଏହି ପାଞ୍ଚଟି ନିର୍ବାଚନ ମଣ୍ଡଳୀରେ ଗତ ୨୦୧୯ ବିଧାନସଭା ନିର୍ବାଚନରେ କେବଳ ମୋରୋଡା ନିର୍ବାଚନ ମଣ୍ଡଳୀକୁ ଛାଡିଦେଲେ ଚାରୋଟି ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ବିଜୟ ଲାଭ କରିଥିଲେ । ବିଜେଡ଼ି ତରଫରୁ ବାରିପଦା ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ଉଦଳା ନିର୍ବାଚନ ମଣ୍ଡଳୀ ପାଇଁ ଶ୍ରୀନାଥ ସୋରେନ, ମୋରୋଡା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରିତୀନନ୍ଦା କାନୁନଗୋ (୨୦୧୯ ବିଧାନସଭା ନିର୍ବାଚନରେ ବିଜୟୀ ବିଜେଡ଼ି ବିଧାୟକ ରାଜକିଶୋର ଦାସଙ୍କ ସ୍ତ୍ରୀ), ବଡ଼ସାହି ନିର୍ବାଚନ ମଣ୍ଡଳୀ ପାଇଁ ଅନୁଶୟା ପାତ୍ର ଓ ଯଶିପୁର ନିର୍ବାଚନ ମଣ୍ଡଳୀ ପାଇଁ ଚକ୍ରଧର ହେମ୍ବ୍ରମଙ୍କ ନାମ ଘୋଷଣା କରାଯାଇଛି। ମହିଳାଙ୍କୁ ପ୍ରାଥମିକତା ଦେଇ ମୋରୋଡା ଓ ବଡ଼ସାହି ନିର୍ବାଚନ ମଣ୍ଡଳୀ ପାଇଁ ଦୁଇ ଜଣ ମହିଳାଙ୍କୁ ବିଜେଡ଼ି ପ୍ରାର୍ଥୀ ଘୋଷଣା କରିଛି ।
ମୋରୋଡା ନିର୍ବାଚନ ମଣ୍ଡଳୀ: ୨୦୧୯ ବିଧାନସଭା ନିର୍ବାଚନରେ ମୋରୋଡା ନିର୍ବାଚନ ମଣ୍ଡଳୀରୁ ରାଜକିଶୋର ଦାସ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀଙ୍କ ଠାରୁ ବିଜୟୀ ହୋଇଥିଲା ବେଳେ ଏଥର ତାଙ୍କ ସ୍ତ୍ରୀ ପ୍ରୀତିନନ୍ଦା କାନୁନଗୋଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡ଼ି ।