ଭୁବନେଶ୍ବର: ପ୍ରବାସୀ ଭାରତୀୟ ଦିବସ ପାଳୁଛି ରାଜଧାନୀ ଭୁବନେଶ୍ବର। ଜନତା ମଇଦାନରେ ତିନି ଦିନ ବ୍ୟାପୀ ଆରମ୍ଭ ହୋଇଯାଇଛି ପ୍ରବାସୀ ଭାରତୀୟ ଦିବସ । ତିନି ଦିନିଆ ସମ୍ମିଳନୀରେ ଯୋଗ ଦେବା ପାଇଁ ଦେଶ ବିଦେଶରୁ ପ୍ରବାସୀ ଭାରତୀୟ ଭୁବନେଶ୍ବରରେ ଭିଡ ଜମାଇଛନ୍ତି । ଏହି ଭିଡ଼ ଭିତରୁ ଜଣେ ପ୍ରବାସୀ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସୂଦୁର ମରିସିଅସରୁ ଆସିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତ ମହମ୍ମଦ । ପାରମ୍ପରିକ ବେଶଭୂଷା ସହ ମୁଣ୍ଡରେ ଟୋପି । କିନ୍ତୁ ସମ୍ମିଳନୀରେ ଲାଗିଥିବା ବଡଠାକୁରଙ୍କ ଏକ ଫଟୋ ସାମନାରେ ନତମସ୍ତକ ମହମ୍ମଦ । ପ୍ରବାସୀ ଭାରତୀୟ ଦିବସରେ ମହାପ୍ରଭୁଙ୍କ ଏଭଳି ଜଣେ ଭକ୍ତଙ୍କୁ କ୍ୟାମେରାରେ କଏଦ କରିଛି ଇଟିଭି ଭାରତ ଟିମ୍ ।
ଜଗନ୍ନାଥଙ୍କ ଭକ୍ତିରେ ଲୀନ ମହମ୍ମଦ
ତାଙ୍କୁ ଦେଖୁଥିବା ପ୍ରତିଟି ବ୍ୟକ୍ତିଙ୍କ ମୁହଁରେ କେବଳ ଗୋଟିଏ କଥା ଯେ ‘‘ସତରେ ମହାପ୍ରଭୁଙ୍କ ଆଗରେ କିଛି ଧାର୍ମିକ କଟକଣା ନାହିଁ’’ । ମହାପ୍ରଭୁଙ୍କ ଉପସ୍ଥିତିକୁ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଅନୁଭବ କରିଛନ୍ତି ମହମ୍ମଦ। ପ୍ରଭୁ ଜଗନ୍ନାଥଙ୍କ ଭକ୍ତଙ୍କ କଥା କାହାକୁ ବା ଅଛପା । ଏକଦା ଭକ୍ତ ସାଲବେଗଙ୍କୁ ଅପେକ୍ଷା କରି ବଡଦାଣ୍ଡରେ ଅଟକି ଯାଇଥିଲା କାଳିଆର ନନ୍ଦିଘୋଷ ରଥ । ଜଣେ ମୁସଲିମ ସମ୍ପ୍ରଦାୟର ପରିବାରରେ ଜନ୍ମ ହୋଇ ବି ଜଗନ୍ନାଥଙ୍କ ବଡ ଭକ୍ତ ରୂପେ ଜଣାଶୁଣା ସାଲବେଗ । ଇତିହାସର ଫର୍ଦ୍ଦ ଆଡେଇଲେ ଭକ୍ତ ସାଲବେଗ ଓ ଜଗନ୍ନାଥଙ୍କ ସମ୍ପର୍କ ଜାଣିବାକୁ ମିଳେ । ପଡୋଶୀ ରାଜ୍ୟ ବିହାରର ହୋଇ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କୁ ବଡଦାଣ୍ଡରେ ଦର୍ଶନ କରି ପରମ ଭକ୍ତ ବୋଲାଇଥିଲେ ଭକ୍ତ ସାଲବେଗ । ଠିକ୍ ସେହିଭଳି ପ୍ରବାସୀ ଭାରତୀୟ ଦିବସରେ ପହଞ୍ଚିଥିବା ମରିସିଅସର ଭକ୍ତ ମହମ୍ମଦ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।
ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି (ETV Bharat) ପୁରୀ ଯାଇ ଦର୍ଶନ କରିବି
‘‘ମୁଁ ପୁରୀ ଯାଇ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଚାହେଁ । ବାହାରୁ ହେଉ ପଛେ ମୁଁ ନିହାତି ତାଙ୍କ ଦର୍ଶନ କରିବି । ମୁଁ ସବୁବେଳେ ବ୍ୟକ୍ତି, ସ୍ଥାନ ଓ ଧର୍ମରୁ ଶିଖିବାକୁ ପସନ୍ଦ କରେ । ପ୍ରଭୁ ଜଗନ୍ନାଥ ହେଉଛି ଶାନ୍ତି ଓ ସୌହାର୍ଦ୍ଦର ଠାକୁର । ମୁଁ ନିଶ୍ଚିତ ଜଗନ୍ନାଥ ଧାମ ଯିବି’’ ବୋଲି କହିଛନ୍ତି ମହମ୍ମଦ । ସେ ଆହୁରି କହିଛନ୍ତି ଯେ ‘‘ଆମେ ମରିସିଅସରେ ସବୁ ଧର୍ମର ଠାକୁରଙ୍କ ସମ୍ମାନ କରୁ । ଶାନ୍ତି ଓ ପ୍ରେମର ପ୍ରତୀକ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ । ଏହା ମୋର ସୌଭାଗ୍ୟ ଯେ ମୁଁ ପ୍ରଭୁ ଜଗନ୍ନାଥଙ୍କ ମାଟିରେ ପାଦ ଦେଇଛି’’ ।
ରଥଯାତ୍ରା ପ୍ରତିକୃତି (ETV Bharat) ମରିସିଅସରେ କିଭଳି ସେ ହିନ୍ଦୁ ପର୍ବପର୍ବାଣୀ ପଳିଥାନ୍ତି ସେ ସବୁ ବର୍ଣ୍ଣନା କରିଛନ୍ତି ମହମ୍ମଦ । ‘‘ଆମେ ମହାଶିବରାତ୍ରି ବଡ ଧୂମଧାମରେ ପାଳିଥାଉ । ଶ୍ରାବଣ ମାସରେ କାଉଡିଆଙ୍କ ଭଳି ପାଣି ଭାର ବି ନେଇଥାଉ । ସବୁ ହିନ୍ଦୁ ପର୍ବପର୍ବାଣୀକୁ ଆମେ ବେଶ୍ ଧୂମଧାମରେ ପାଳିଥାଉ । ମରିସିଅସରେ ଅଧିକାଂଶ ଲୋକେ ଭାରତୀୟ । ମହାତ୍ମା ଗାନ୍ଧୀ ଓ ନେଲସନ ମଣ୍ଡେଲାଙ୍କୁ ମରିସିଅସରେ ପୂଜା କରାଯାଉଥିବା’’ ସେ କହିଛନ୍ତି ।
ଆହୁରି ପଢନ୍ତୁ
ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ, ପ୍ରବାସୀ ଏକ୍ସପ୍ରେସ ଶୁଭାରମ୍ଭ
କଟକ ବୁଲିଲେ ପ୍ରବାସୀ ଭାରତୀୟ, ଦହିବରା ଆଳୁଦମର କଲେ ପ୍ରଶଂସା
ପ୍ରବାସୀଙ୍କ ଖାଦ୍ୟରେ ଓଡ଼ିଆ ମହକ, ପରସା ଯାଉଛି ମିଲେଟ ଫୁଡ୍
ଇଟିଭି ଭାରତ ଟିମ୍କୁ ମହମ୍ମଦ କହିଛନ୍ତି ଯେ ‘‘ଆମ ବଂଶଜ ଭାରତ ସହ ଜଡିତ । ଆମେ ଧର୍ମର ବ୍ୟବହାର କରି ଭାଗ ଭାଗ ହେବାକୁ ଚାହୁଁନୁ ବରଂ ଏକତା ଆମକୁ ସଶକ୍ତ କରିବ ବୋଲି ବିଶ୍ବାସ କରୁ । ଓଡିଶାରେ ସମସ୍ତଙ୍କ ମଧ୍ୟରେ ଏକତା ଓ ଭାଇଚାରା ଅଛି । ଏହା ହିଁ ପ୍ରେମର ବାର୍ତ୍ତା । ଏହା ସହ ମରିସିଅସର ବି ପ୍ରଶଂସା କରିଛନ୍ତି ମହମ୍ମଦ । ମରିସିଅସ ଏକ ଛୋଟ ଦ୍ବୀପ ହୋଇଥିଲେ ମଧ୍ୟ ସେଠାରେ ଅନେକ ବିବିଧତା ରହିଛି । ହିନ୍ଦୁ ମାନେ ସେଠାରେ ଚର୍ଚ୍ଚ ଯାଇପାରିବେ। ସେହିପରି ଖ୍ରୀଷ୍ଟିଆନ ମାନେ ମସଜିଦ୍ରେ ପ୍ରାର୍ଥନା କରିପାରିବେ । ଆମେ ସମନ୍ୱୟରେ ବାସ କରୁଛୁ ଏବଂ ଧର୍ମ ଆମକୁ ବିଭାଜନ କରିବାକୁ ଦେବୁ ନାହିଁ’’।
ଜଗନ୍ନାଥଙ୍କ ବାଲୁକାକଳା (ETV Bharat) ମହମ୍ମଦ ବିଶ୍ୱାସ କରନ୍ତି ଯେ ସୁସ୍ଥ ରହିବାର ଏକମାତ୍ର କାରକ ହେଉଛି ଏକତା। ସମସ୍ତେ କେବଳ ନିଜ ନିଜ ଭଗବାନଙ୍କ ଭିନ୍ନ ନାମ ଦେଇଛନ୍ତି । କିନ୍ତୁ ସମସ୍ତେ ସେଇ ସମାନ ଠାକୁରଙ୍କ ପୂଜା କରୁଛନ୍ତି । ମହମ୍ମଦ କଥାରୁ ଏକତା ଏବଂ ମାନବିକତାର କଥା ସ୍ପଷ୍ଟ ବାରି ହୋଇପଡୁଛି ।
ମାଣବସା ଗୁରୁବାର ଓ ଜଗନ୍ନାଥଙ୍କ ଝଲକ
ଓଡିଶାର ଐତିହ୍ୟ ଓ ପରମ୍ପରାକୁ ପ୍ରବାସୀ ଭାରତୀୟଙ୍କ ପାଖରେ ପହଞ୍ଚାଇବା ପାଇଁ ଏକ ସ୍ବତନ୍ତ୍ର ପ୍ରୟାସ କରାଯାଇଛି । ଭଗବାନ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିକୁ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ସାମିଲ କରାଯାଇଛି । ଯେଉଁଠାରେ ଜଣେ ପ୍ରବାସୀ ଭାରତୀୟ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ମହାପ୍ରଭୁଙ୍କ ଆଶିଷ ଲାଭ କରିପାରିବେ । କିଛି କ୍ଷଣ ଏହି କୋଣରେ ଅଟକି ଜଗନ୍ନାଥଙ୍କ ଭକ୍ତିରେ ନିଜକୁ ଲୀନ କରିବା ପାଇଁ ବିଶେଷ ଉଦ୍ୟମ କରାଯାଇଛି । ସେହିପରି ବିଶ୍ବପ୍ରସିଦ୍ଧ ରଥଯାତ୍ରାର ପ୍ରତିକୃତ୍ତିକୁ ବି ସମ୍ମିଳନୀରେ ସାମିଲ କରାଯାଇଛି । ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତ ସମଗ୍ର ବିଶ୍ବରେ ରହିଛନ୍ତି । ଏଣୁ ସମ୍ମିଳନୀରେ ମହାପ୍ରଭୁ ଜଗନ୍ନାଥ ଓ ରଥଯାତ୍ରାକୁ ସାମିଲ କରାଯାଇଛି । ଓ଼ଡିଶାର ପାରମ୍ପରିକ ପର୍ବ ମାଣବସା ଗୁରୁବାରର ଝଲକ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଦେଖିବାକୁ ମିଳିଛି । ରାଜ୍ୟର ସର୍ବ ପୁରାତନ ରୀତିନୀତି ଓ ପରମ୍ପରାକୁ ଦେଖିବା ପାଇଁ ଅତିଥିଙ୍କୁ ଏକ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର ।
ପ୍ରବାସୀ ଭାରତୀୟ ଦିବସରେ ମାଣବସା (ETV Bharat) ଜଗନ୍ନାଥଙ୍କ ବାଲୁକା କଳାରେ ଅତିଥିଙ୍କୁ ସ୍ବାଗତ
ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଜନତା ମଇଦାନରେ ମହାପ୍ରଭୁ ଜଗନ୍ନାଥଙ୍କ ଏକ ବିଶାଳ ବାଲୁକା କଳା ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସମସ୍ତ ଅତିଥିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ବାଲୁକା କଳା ମାଧ୍ୟମରେ ଓଡିଶାକୁ ସ୍ବାଗତ ଜଣାଇଛନ୍ତି ।
ତିନି ଦିନ ଚାଲିବ ପ୍ରବାସୀ ଭାରତୀୟ ଦିବସ
ଜାନୁଆରୀ 8 (ବୁଧବାର)ଠାରୁ ତିନିଦିନିଆ ପ୍ରବାସୀ ଭାରତୀୟ ସମ୍ମିଳନୀ ଆରମ୍ଭ ହୋଇସାରିଛି । ଜନତା ମୈଦାନରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଉପସ୍ଥିତ ରହିଥିଲେ । ଏହାସହ ରାଜ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟମାନେ କାର୍ଯ୍ୟକ୍ରମରେ ସାମିଲ ରହିଛନ୍ତି । ବହୁ ସଂଖ୍ୟାରେ ପ୍ରବାସୀ ଭାରତୀୟମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି । ସମସ୍ତ ପ୍ରବାସୀ ଅତିଥିଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବା ସହ ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ରାଜଧାନୀରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ ହୋଇଛି ।