ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ମୁହାମୁହିଁ ହୋଇଛନ୍ତି ପୋଲିସ ଓ ମାଓବାଦୀ। ଫଳରେ ପୋଲିସ ଭୟରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି । ତେବେ ମାଓ କ୍ୟାମ୍ପ ଠାବ କରିବା ସହ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରଖିଛି ପୋଲିସ। ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଯୁଗସାଇପାଟଣା ମନସ୍କା ଗାଁ ନିକଟ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ଖବର ମିଳିଥିଲା । ଏନେଇ ସୂଚନା ପାଇବା ପରେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ସିଆରପିଏଫ ଓ ଏସଓଜି ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା। ସୁରକ୍ଷା କର୍ମୀଙ୍କୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ। ଘଟଣାସ୍ଥଳରୁ ବିଭିନ୍ନ ମାଓ ସାମଗ୍ରୀ ଜବତ ହୋଇଥିବାବେଳେ ଧମକପୂର୍ଣ୍ଣ ପୋଷ୍ଟର ମଧ୍ୟ ଜବତ କରାଯାଇଛି ।
କଳାହାଣ୍ଡି ଏସପି ଅଭିଳାଶ ଜି କହିଛନ୍ତି, "ସୁରକ୍ଷା କର୍ମୀମାନେ ମାଓ କ୍ୟାମ୍ପ ଠାବ କରିବା ସହ ଅନେକ ମାଓ ସାମଗ୍ରୀ ଜବତ କରିଛନ୍ତି । ଏହାସହ ଗୋଟିଏ ଲ୍ୟାଣ୍ଡମାଇନ ନିଷ୍କ୍ରିୟ କରାଯାଇଛି । ବର୍ତ୍ତମାନ ମଧ୍ୟ ମନସ୍କା ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । କ୍ୟାମ୍ପ ଠାବ ସମୟରେ ୫୮ ଟି ଜୀବନ୍ତ ଗୁଳି, ନକ୍ସଲ ପୋଷାକ, ୭୪ ଟି ଜିଲଟିନ, ୧୦ ଟି ଡେଟୋନେଟର, ହ୍ୟାଣ୍ଡ ଗ୍ରେନେଟ, ଗନ୍ ପାଉଡର ସମେତ ମାଓ ବ୍ୟାନର ମଧ୍ୟ ଜବତ ହୋଇଛି । ଜବତ ବ୍ୟାନରରେ ଟାପରେଙ୍ଗ ମାଓ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଆହ୍ବାନ ରହିଥିବାବେଳେ ଖଣି ଖନନକୁ ବିରୋଧ କରାଯାଇ ପୋଷ୍ଟରରେ ଉଲ୍ଲେଖ ରହିଛି ।"
ଏହା ମଧ୍ୟ ପଢନ୍ତୁ...ଦୁର୍ବଳ ହେଉଛି ମାଓସଂଗଠନ ! ବଲାଙ୍ଗୀରରେ ହାର୍ଡକୋର ମାଓ ନେତାର ଆତ୍ମସମର୍ପଣ