ବୌଦ୍ଧ: ପୁଣି ଅଶାନ୍ତ ହୋଇଛି ବୌଦ୍ଧ ଜିଲ୍ଲା । ଆଉଥରେ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର । ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ମାଓବାଦୀ ଗତିବିଧି ସକ୍ରିୟ ଥିବା ବେଳେ କେକେବିଏନ ମାଓ ଡିଭିଜନର କମ୍ରେଡ ଦସ୍ରୁର ମୃତ୍ୟୁକୁ ନେଇ ମାଓ ସଂଗଠନ ପକ୍ଷରୁ ଏଭଳି ପୋଷ୍ଟର ଲଗାଯାଇଥିବା ସୂଚନା ମିଳିଛି । ଗତ କିଛି ମାସ ହେଲା ପାଞ୍ଚ ଥର ମାଓବାଦୀଙ୍କ ସହିତ ସୁରକ୍ଷା ବାହିନୀ ମୁହାଁମୁହିଁ ହୋଇଥିବା ବେଳେ କେତେକ ମାଓ କ୍ୟାମ୍ପ ଧ୍ବଂସ ହେବା ସହିତ ବିପୁଳ ପରିମାଣରେ ମାଓ ସାମଗ୍ରୀ ପୋଲିସ ଜବତ କରିଛି ।
ତେବେ ଶନିବାର ପୁଣିଥରେ ମାଓ ପୋଷ୍ଟର ଲଗାଯାଇଥିବା ସୂଚନା ମିଳିଛି । ଗୋଟିଏ ପଟରେ ଜିଲ୍ଲାର ମାଓ ପ୍ରଭାବିତ ଅଞ୍ଚଳରେ ଜିଲ୍ଲା ପୋଲିସ ପକ୍ଷରୁ ଜନ ମୈତ୍ରୀ ଅଭିଯାନ ମାଧ୍ୟମରେ ସ୍ଥାନୀୟ ଅଧିବାସୀଙ୍କୁ ସଚେତନ କରୁଥିବା ବେଳେ ଅନ୍ୟ ପଟରେ ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ଲାଲ ବାହିନୀର ସକ୍ରିୟତା ଥିବା ସୂଚନା ମିଳିଛି ।
ଏହାଛଡା ଗତ ପାଞ୍ଚ ଦିନ ପୂର୍ବରୁ ଦୁଇ ଜଣ ମହିଳା ମାଓବାଦୀ ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ଜିଲ୍ଲା ପୋଲିସ ମାଓ ପ୍ରଭାବିତ ଅଞ୍ଚଳରେ ଜନ ମୈତ୍ରୀ ଅଭିଯାନ ମାଧ୍ୟମରେ ସ୍ଥାନୀୟ ଅଧିବାସୀଙ୍କୁ ସଚେତନ କରୁଛି । ଗତ ଗୁରୁବାର ବୌଦ୍ଧ ଜିଲ୍ଲାର ଗୁନ୍ଦୁଳିଆ ଓ ଆମ୍ବଝରୀ ପଞ୍ଚାୟତର ବିଭିନ୍ନ ଆଭ୍ୟନ୍ତରୀଣ ଅଞ୍ଚଳରେ ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର ପହଞ୍ଚି ପୋଲିଂ ବୁଥ ପରିଦର୍ଶନ ସହିତ ସ୍ଥାନୀୟ ଅଧିବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହାର କିଛି ଘଣ୍ଟା ପରେ ଗତକାଲି କେକେବିଏନ ମାଓ ଡିଭିଜନ ପକ୍ଷରୁ ଦସ୍ରୁ ମୃତ୍ୟୁକୁ ନେଇ ଗୁନ୍ଦୁଳିଆ ପଞ୍ଚାୟତର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲଗାଯାଇଥିବା ସୂଚନା ମିଳିଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଓ ଗତିବିଧି ସକ୍ରିୟ ଥିବା ହେତୁ ବୌଦ୍ଧ ଜିଲ୍ଲାକୁ ମାଓ ପ୍ରଭାବିତ ଜିଲ୍ଲା ଭାବରେ ଘୋଷଣା କରାଯିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।