ନିମାପଡ଼ା:ପାଖେଇ ଆସୁଛି ନିର୍ବାଚନ 2024 । ରାଜ୍ୟରେ ପ୍ରମୁଖ ଦଳମାନେ ଆରମ୍ଭ କଲେଣି ପ୍ରାକ୍ ପ୍ରସ୍ତୁତି । ରାଜନୀତି ମଇଦାନକୁ ଓହ୍ଲାଇ ପାଇଁ ଦଳମାନଙ୍କ ମଧ୍ୟରେ ଜୋରଦାର ପ୍ରସ୍ତୁତି । ଦଳକୁ ବଳ ଯୋଗାଇବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା ଛଳାଇଛନ୍ତି ନେତା । ଏହାରି ଭିତରେ ଚାଲିଛି ଦଳ ଡିଆଁ । ଏନେଇ ପୁରୀ ଜିଲ୍ଲା କାକଟପୁର ବ୍ଳକ କୁରୁଜଙ୍ଗ ପଞ୍ଚାୟତରେ ବିଜେପିରେ ସାମିଲ ହୋଇଛନ୍ତି ଶହଶହ ବିଜେଡି ଓ କଂଗ୍ରେସ କର୍ମୀ ।
ତେବେ ଆଜି ପୁରୀ ଜିଲ୍ଲା କାକଟପୁର ବ୍ଳକ କୁରୁଜଙ୍ଗ ପଞ୍ଚାୟତର ବାଲିଦୋକାନଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପଞ୍ଚାୟତ ପ୍ରମୁଖ ପଞ୍ଚାନନ କାଣ୍ଡି ଓ ମଣ୍ଡଳ ସଭାପତି ଅଭୟ ରାଉତଙ୍କ ନେତୃତ୍ବରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କାକଟପୁର ଓ ଅସ୍ତରଙ୍ଗ ବ୍ଳକରୁ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ଦଳ ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜଗତସିଂହପୁରର ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ, ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ ସମେତ ବିଜେପିର ଟାଣୁଆ ନେତୃତ୍ଵମାନେ ଯୋଗ ଦେଇ ଉଦବୋଧନ ଦେଇଥିଲେ ।
ଏହି ଅବସରରେ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ କହିଛନ୍ତି, " ଲୋକମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣ ଯୋଜନା, ଗରିବ କଲ୍ୟାଣ ଯୋଜନା ପ୍ରତି ଆକୃଷ୍ଟ ହୋଇଛନ୍ତି । ଆଗାମୀ ଦିନରେ ଏଠାରେ ବିଜେପିକୁ ମଜଭୁତ କରିବା ପାଇଁ ବହୁ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି । ତେଣୁ ପୁରୀ ଜିଲ୍ଲା ବିଜେପି ତରଫରୁ ସେମାନଙ୍କୁ ସ୍ୱାଗତ କରାଯାଉଛି । ଆଗାମୀ ଦିନରେ ପୁରୀରେ ବିଜେପି ମଜଭୁତ ହେବ ଓ ଆଗାମୀ ନିର୍ବାଚନରେ ବିଜେପି ଏଠାରେ ନିଶ୍ଟୟ ବିଜୟ ହାସଲ କରିବ ।"