ରାଉରକେଲା: ୯ ବର୍ଷ ତଳେ ସୁନ୍ଦରଗଡ ଜିଲ୍ଲା ଦାଣ୍ଡିଆପାଲିରେ ଘଟିଥିବା ଡବଲ ମର୍ଡର ଘଟଣାର ପ୍ରକାଶ ପାଇଲା ରାୟ । ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ କରାଯାଇଥିଲା ହତ୍ୟା । ଏହି ହତ୍ୟା ମାମଲାର ବିଚାର କରି ଗତକାଲି(ମଙ୍ଗଳବାର) ରାଉରକେଲା ଅତିରିକ୍ତ ଜିଲ୍ଲା ଦୌରାଜଜ ଅଭିଯୁକ୍ତ ମନୋଜ କୁମାର ରାଜୁକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ଏହି ହତ୍ୟାକାଣ୍ଡ ୯ ବର୍ଷ ତଳର ଘଟଣା । 2015 ମସିହାର ସୁନ୍ଦରଗଡ ଜିଲ୍ଲାର ଦାଣ୍ଡିଆପାଲିରେ ରହୁଥିଲେ କାଳିଆ ପାନ୍ନା ଓ ତାଙ୍କ ପତ୍ନୀ ପୁନିଆ ପାନ୍ନା । ତେବେ ସେହି ଗାଁରେ ରହୁଥିବା ରାଜୁ ପାନ୍ନାକୁ କିଛି ଦିନ ହେଲା ଜ୍ଵର ହେଉଥିବା ବେଳେ ଜ୍ୱର ଭଲ ହେଉନଥିଲା । ଏନେଇ ରାଜୁ ଗାଁର କାଳିଆ ଓ ପୁନିଆ ଗୁଣିଗାରେଡି କରୁଥିବାରୁ ତା' ଜ୍ଵର ଭଲ ହେଉନାହିଁ ବୋଲି ଭାବିଥିଲା । ଫଳରେ ଅନ୍ଧବିଶ୍ଵାସର ବଶବର୍ତ୍ତୀ ହୋଇଥିବା ରାଜୁ ବୃଦ୍ଧ ଦମ୍ପତିଙ୍କୁ ରାସ୍ତାରୁ ହଟାଇବା ଲାଗି ଯୋଜନା କରିଥିଲା । ୨୦୧୫ ମସିହା ଜୁନ ମାସ ୧୫ ତାରିଖରେ ଗରମ ହେଉଥିବାରୁ ସ୍ବାମୀ-ସ୍ତ୍ରୀ ସନ୍ଧ୍ୟା ସମୟରେ ଘର ବାରଣ୍ଡାରେ ଦୁଇଟି ଖଟିଆରେ ଶୋଇଥିଲେ । ଏହି ସମୟରେ ରାଜୁ ଏକ ଟାଙ୍ଗିଆ ନେଇ ହଠାତ ସେମାନଙ୍କୁ ଅତର୍କିତ ଭାବରେ ଆକ୍ରମଣ କରିଥିଲା । ଅତି ନୃଶଂସ ଭାବେ ଦମ୍ପତିଙ୍କୁ ଟାଙ୍ଗିଆରେ ହାଣି ରାଜୁ ହତ୍ୟା କରିଥିଲା । ଏହି ଘଟଣା ସେତେବେଳେ ରାଉରକେଲା ସହରରେ ଚହଳ ପକାଇଥିଲା ।
ଏହା ମଧ୍ୟ ପଢନ୍ତୁ-ବହୁଚର୍ଚ୍ଚିତ ଖଣ୍ଡଗିରି ଟ୍ରିପଲ ମର୍ଡର ଘଟଣା: ଅଭିଯୁକ୍ତ ଫାର୍ମାସିଷ୍ଟକୁ ଆଜୀବନ ଜେଲ