କେନ୍ଦୁଝର: ନ୍ୟାୟ ପାଇଲେ ନାବାଳିକା ଦୁଷ୍କର୍ମ ପୀଡ଼ିତା । ଦୁଷ୍କର୍ମକାରୀକୁ ମିଳିଲା ଦଣ୍ଡ । ୨୦୨୨ ମସିହାରେ ଘଟିଥିବା ଏହି ନାବାଳିକା ଦୁଷ୍କର୍ମ ମାମଲାରେ କେନ୍ଦୁଝର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହ ଦୁଷ୍କର୍ମକାରୀ ଶିଶିର ଡାଙ୍ଗୁଆ (ବାଙ୍ଗିରି)କୁ ଦଶ ହଜାର ଟଙ୍କା ଜରିମାନା ସହ ଅନାଦେୟରେ ଏକ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ ।
ସୂଚନା ଅନୁଯାୟୀ, ଘଟଣାଟି ଥିଲା 2022 ମସିହାର । ପୀଡିତା ନାବାଳିକାଙ୍କ ବାପା ମା’ଙ୍କ ମୃତ୍ୟୁ ହେବା ପରେ ସେ ତାଙ୍କ ମାଉସୀଙ୍କ ଘରେ ରହୁଥିଲେ । କୌଣସି କାରଣରୁ ମାଉସୀ ପୁଅ ଭାଇ ସହ ଝଗଡା ହେବାରୁ ସେ ତାଙ୍କ ଘର ଛାଡ଼ି ଦେଇଥିଲେ । ପରେ ନାବାଳିକା ଡିମ୍ୱୋ ଗ୍ରାମ ବାହାରେ ଏକ ଅସ୍ଥାୟୀ ଘରେ ଏକା ରହୁଥିଲେ । ଯାହାର ସୁଯୋଗ ନେଇ ଶିଶିର ଡାଙ୍ଗୁଆ ୨୦୨୨ ମସିହାରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା । କୌଣସି ସୂତ୍ରରୁ ଖବର ପାଇ ସଖି ସଙ୍ଗଠନ ପକ୍ଷରୁ ନାବାଳିକାକୁ ଉଦ୍ଧାର କରାଯାଇଥିଲା । ସଖି ସଂଗଠନଙ୍କୁ ନାବାଳିକା ଦୁଷ୍କର୍ମ ସମ୍ପର୍କରେ ଜଣାଇବା ପରେ ଟାଉନ ଥାନାରେ ସଙ୍ଗଠନ ପକ୍ଷରୁ ଏକା ଏତଲା ଦିଆ ଯାଇଥିଲା । ଟାଉନ ଥାନା ପକ୍ଷରୁ ୩୭୬,୩୭୦, ୫୦୬ ଧାରା ଲଗାଇ ଏହି ଏତଲା ଆଧାରରେ ପୋଲିସ ଦୋଷୀ ଶିଶିରକୁ ଗିରଫ କରି କୋର୍ଟଚାଲାଣ କରିଥିଲା ।