ଭୁବନେଶ୍ବର:ନୃଶଂସ ସ୍ବାମୀ ବର୍ବର କାଣ୍ଡ । କାଠ ଫାଳିଆରେ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ । ମୃତଦେହକୁ ଘରେ ଲୁଚାଇ ରଖି ୩ ରାତି କାଟିଥିଲା । ଭୁବନେଶ୍ବରର ସାଲିଆସାହି ତାରିଣୀ ନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମଦ୍ୟପାନ କରି ନିଶାଗ୍ରସ୍ତ ଅବସ୍ଥାରେ ସ୍ବାମୀ ଗୋଲକ ବିହାରୀ ଜେନା ସ୍ତ୍ରୀ ରିନା ଜେନାଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ, ହତ୍ୟା ପରେ ଘର ଭିତରେ ମୃତଦେହକୁ ଚାବି ପକାଇ ରଖିଥିଲା ଅଭିଯୁକ୍ତ । ୩ ଦିନ ବିତିବା ପରେ ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ବଢିଥିଲା ।
ଏନେଇ ଗୋଲକ ବିହାରୀକୁ ପଚାରିବାରୁ ସେ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଥିବା କଥା ସ୍ବୀକାର କରିଛି । ପରେ ପୋଲିସ ନିକଟରେ ଆତ୍ମସମର୍ପଣ ମଧ୍ୟ କରିଛି ଅଭିଯୁକ୍ତ ଗୋଲକ ବିହାରୀ ଜେନା । ପୋଲିସ ପାଖରେ ଆତ୍ମସମର୍ପଣ କରିବା ପରେ ମୈତ୍ରୀ ବିହାର ପୋଲିସ ଓ ସାଇଣ୍ଟଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ହତ୍ୟାକାରୀ ସ୍ବାମୀକୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ । କେଉଁ ପରିସ୍ଥିତିରେ ଓ କାହିଁକି ସ୍ତ୍ରୀଙ୍କୁ ଏଭଳି ନିର୍ମମ ଭାବେ ହତ୍ୟା କରିଛି ଗୋଲକ ସେନେଇ ପୋଲିସ ପଚରାଉଚରା କରିଛି । ତେବେ ଗୋଲକ ପୂର୍ବରୁ ମଧ୍ୟ ନିଶା ସେବନ କରି ଏଭଳି ମାରପିଟ୍ କରୁଥିବା ନେଇ କହିଛନ୍ତି ସ୍ଥାନୀୟ ଲୋକେ ।
ପଡୋଶୀଙ୍କ କହିବା କଥା, ସ୍ବାମୀ ଓ ସ୍ତ୍ରୀ ଉଭୟ ମଦ୍ୟପାନ କରନ୍ତି । ଉଭୟ ରାଜମିସ୍ତ୍ରୀ କାମ କରନ୍ତି । ଉଭୟ କାମକୁ ଯାଆନ୍ତି ଓ ଘରକୁ ଫେରନ୍ତି । ଅନେକ ସମୟରେ ମଦ୍ୟପାନ କରନ୍ତି । ତେବେ ହତ୍ୟାକାଣ୍ଡ ଦିନ ତା'ର ପତ୍ନୀ ଅତ୍ୟଧିକ ମଦ୍ୟପାନ କରିଥିଲା । ଫଳରେ ଦୁହିଁଙ୍କ ମଧ୍ୟରେ ଭୟଙ୍କର ପାଟିତୁଣ୍ଡ ଓ ମାରପିଟ୍ ହେଉଥିବାର ପଡୋଶୀ ତିନି ଦିନ ତଳେ ଦେଖିଥିଲେ । ତିନି ଦିନ ପରେ ଘର ପାଖରୁ ଦୁର୍ଗନ୍ଧ ଆସିବାରୁ ସମସ୍ତଙ୍କର ସନ୍ଦେହ ହୋଇଥିଲା । ଏନେଇ ଅଭିଯୁକ୍ତ ଗୋଲକ ଜେନାର ପୁଅ ପୋଲିସକୁ ଖବର ଦେବା ପରେ ପୋଲିସ ତାକୁ ଗିରଫ କରିବା ସହ ମୃତଦେହ ଜବତ କରିଛି । ମହିଳାଙ୍କୁ ତିନି ଦିନ ତଳେ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି ।