ରାଇରଙ୍ଗପୁର:କାକା ଓ ଝିଆରୀ ପରି ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କର ଛିଟା । ନାବାଳିକା ଝିଆରୀକୁ ବୁଲାଇ ନେବା ବାହାନାରେ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ହତ୍ୟା କରିଛି ସମ୍ପର୍କୀୟ କାକା । ଏପରି ଏକ ଅମାନବୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅଧିନସ୍ଥ ଏକ ଗାଁରେ । ଏ ସମ୍ପର୍କରେ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ କାକା ରାମେଶ୍ୱର ଦେହୁରୀକୁ ଗିରଫ କରିଥିବା ଜଣାପଡ଼ିଛି ।
ଅଭିଯୋଗ ଅନୁଯାୟୀ, ଗତ ମଇ ମାସ ୩୦ ତାରିଖ ଦିନ ସାତ ବର୍ଷର ଜନୈକା ନାବାଳିକାଙ୍କ ସହିତ ପରିବାର ଲୋକେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅନ୍ତର୍ଗତ ଜଣେ ସମ୍ପର୍କୀୟ କକା ଘର ଗ୍ରାମକୁ ଆସିଥିଲେ । ତେବେ ଗତକାଲି ଅପରାହ୍ନ ୩ଟା ସମୟରେ ସାତ ବର୍ଷର ନାବାଳିକା ଜଣକ କାକା ରାମେଶ୍ବରଙ୍କ ସହିତ ବୁଲିବା ପାଇଁ ଯାଇଥିଲେ । ତେବେ ରାମେଶ୍ବର ଏକୁଟିଆର ସୁଯୋଗ ନେଇ ଗାଁ ନିକଟସ୍ଥ ନଦୀ କୂଳରେ ନାବାଳିକା ଝିଆରୀକୁ ଜୋର ଜବରଦସ୍ତ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା କରିଥିଲା । ଏଥି ସହିତ ନିକଟସ୍ଥ ଜଙ୍ଗଲରେ ନାବାଳିକାର ମୃତଦେହକୁ ଫିଙ୍ଗି ଦେଇଥିଲା ।
ତେବେ ନାବାଳିକା ଜଣକ ଦୀର୍ଘ ସମୟ ଧରି ଘରକୁ ନଆସିବାରୁ ପରିବାର ଲୋକେ ଓ ଗ୍ରାମବାସୀ ମାନେ ଖୋଜାଖୋଜି କରିଥିଲେ । ପରେ ଜଙ୍ଗଲ ମଧ୍ୟରେ ଉଲଗ୍ନ ଅବସ୍ଥାରେ ନାବାଳିକାର ମୃତଦେହ ପଡିଥିବାର ଦେଖି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବାରୁ ସମ୍ପର୍କୀୟ ରାମେଶ୍ୱର ଦେହୁରୀ ସହିତ ନାବାଳିକା ଜଣକ ଥିବା ନେଇ ଜଣାପଡ଼ିଥିଲା । ଏନେଇ ଅଭିଯୁକ୍ତ ରାମେଶ୍ବରକୁ ପଚାରିବାରୁ ସେ ଘଟଣା ବାବଦରେ ଗ୍ରାମବାସୀଙ୍କ ସମ୍ମୁଖରେ ସ୍ୱୀକାର କରିଥିଲା ।