ଭୁବନେଶ୍ବର: ରାଜ୍ୟରେ ଡିଜିଟାଲ ହେବ ସ୍ୱାସ୍ଥ୍ୟ ବ୍ୟବସ୍ଥା । ଫଳରେ ଆଉ ମାଳମାଳ ପ୍ରେସକ୍ରିପସନ ଧରିକି ରୋଗୀ ହସ୍ପିଟାଲ ବୁଲିବେ ନାହିଁ । ଗୋଟିଏ ଆକାଉଣ୍ଟରେ ରହିବ ରୋଗୀଙ୍କ ସମସ୍ତ ପୂର୍ବ ଡାଟା । ଏଥିପାଇଁ ରୋଗୀଙ୍କୁ ମିଳିବ ଏକ ସ୍ବତନ୍ତ୍ର କାର୍ଡ । ଯାହାର ନାଁ ହେଉଛି ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ ବା ‘ଆଭା (Abha)’ । ନ୍ୟାସନାଲ ଡିଜିଟାଲ ହେଲଥ ମିଶନ ଅନ୍ତର୍ଗତ ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟରେ ପଞ୍ଜିକରଣ କରିବା ପାଇଁ ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଅନୁରୋଧ କରିଛନ୍ତି ।
ରାଜ୍ୟରେ ଲାଗୁ ହେବ ନ୍ୟାସନାଲ ଡିଜିଟାଲ ହେଲଥ ମିଶନ:
ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, "ଖୁବଶୀଘ୍ର ଓଡିଶାରେ ଲାଗୁ ହେବାକୁ ଯାଉଛି ନ୍ୟାସନାଲ ଡିଜିଟାଲ ହେଲଥ ମିଶନ । ନ୍ୟାସନାଲ ଡିଜିଟାଲ ହେଲଥ ମିଶନ ଅନ୍ତର୍ଗତ ରାଜ୍ୟର ସମସ୍ତ ନାଗରିକଙ୍କୁ ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ ବା ଆଭା ଆକାଉଣ୍ଟରେ ପଞ୍ଜିକରଣ କରିବାକୁ ଅନୁରୋଧ କରୁଛୁ । ନେସନାଲ ହେଲଥ ମିଶନ ଅନ୍ତର୍ଗତ ରହିବ ଏହି କାର୍ଡ । ଏହି କାର୍ଡର ନାମ ରହିବ ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ । ଯାହା ଲୋକଙ୍କୁ ମିଳିବ । ଆଭା ଆକାଉଣ୍ଟରେ ସମସ୍ତ ରେଜିଷ୍ଟେସନ କରିପାରିବେ । କ୍ଯୁ ଆର କୋର୍ଡ ସ୍କାନ କଲେ ପୂର୍ବ ରୋଗ ସମ୍ବନ୍ଧୀୟ ସବୁ ଡାଟା ପାଇହେବ । ଏହା ଦ୍ୱାରା ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିପାରିବ ।
ଆୟୁଷ୍ମାନ ଭାରତ ସହିତ ଉପଲବ୍ଧ ହେବ ଆଭା କାର୍ଡ:
ଚଳିତ ବର୍ଷ ପେବୃଆରୀ ମାସରୁ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ ହେବ। ଓଡ଼ିଶାରେ ପ୍ରାୟ ସାଢେ଼ ତିନି କୋଟି ଲୋକଙ୍କୁ ମିଳିବ ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ । ସମସ୍ତଙ୍କ ସ୍ୱାସ୍ଥ୍ୟ ସୁରକ୍ଷା, ମୋହନ ସରକାରର ଗ୍ୟାରେଣ୍ଟି । pic.twitter.com/zv8I6LPIlA
— Dr. Mukesh Mahaling (@MahalingMukesh) January 2, 2025
ସ୍ୱାସ୍ଥ୍ୟ ଓ ବୈଷୟିକ ସମନ୍ୱୟ ରହିବ । ଆୟୁଷ୍ମାନ ଭାରତ ସହିତ ଆଭା ଆକାଉଣ୍ଟ ମିଶ୍ରଣ ହୋଇଗଲେ ହେଲଥ ଡିଜିଟାଇଜେସନ କ୍ଷେତ୍ରରେ ଓଡିଶା ଆଗକୁ ଯିବ । କାର୍ଡ ପାଇଁ ଅନଲାଇନରେ ଆବେଦନ କରିହେବ । ଆୟୁଷ୍ମାନ ଭାରତ ସହିତ ଉପଲବ୍ଧ ହେବ ଏହି କାର୍ଡ । ଫେବୃଆରୀ ପୂର୍ବରୁ କାର୍ଡ ବାଣ୍ଟିବା ନେଇ ଯୋଜନା କରୁଛନ୍ତି ରାଜ୍ୟ ସରକାର ।
କଣ ଏହି ଆଭା କାର୍ଡ ?
ଆଭା କାର୍ଡ ହେଉଛି ATM ପରି ଏକ କାର୍ଡ । ଯେଉଁଥିରେ 14ଟି ଡିଜିଟ ନମ୍ବର ରହିଥାଏ । ଏହି କାର୍ଡରେ ସ୍ବାସ୍ଥ୍ୟର ସମସ୍ତ ତଥ୍ୟ ରହିବ । କ୍ଯୁ ଆର କୋର୍ଡ ସ୍କାନ କଲେ ପୂର୍ବ ରୋଗ ସମ୍ବନ୍ଧୀୟ ସବୁ ଡାଟା ପାଇହେବ ।
ଆଭା କାର୍ଡର ଫାଇଦା କଣ ?
ATM ପରି ଏହି କାର୍ଡରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ରହିବ । ଫଳରେ ରୋଗୀ ଯେଉଁ ମାଳ ମାଳ ପ୍ରେସକ୍ରିପସନ ଧରିକି ବୁଲୁଥିଲେ । ଆଉ ବୁଲିବାକୁ ପଡିବନି । ଏହି କାର୍ଡରେ ଥିବା କ୍ଯୁ ଆର କୋର୍ଡ ସ୍କାନ କଲେ ସବୁ ତଥ୍ୟ ଆରାମରେ ମିଳିଯିବ ।
ସ୍ବାଗତ କଲା ବିଜେଡି:
ଆଭା ଆକାଉଣ୍ଟ ବ୍ୟବସ୍ଥାକୁ ସ୍ୱାଗତ କରିଛି ବିଜୁ ଜନତା ଦଳ । ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, "ଆଭା କାର୍ଡ କରିବା ଭଲ କଥା । ଏହାକୁ ଆମେ ସ୍ୱାଗତ କରୁଛୁ । ଆଭା କାର୍ଡ ଯୋଜନାରେ ସମସ୍ତ ତଥ୍ୟ ଉପଲବ୍ଧ ହୋଇପାରିଲେ ଭଲ କଥା । ଏହା କେବେ ସୁଦ୍ଧା କାର୍ଯ୍ୟକାରୀ ହେବ, ସେନେଇ ସରକାର ନିର୍ଦ୍ଦିଷ୍ଟ ସୂଚନା ଦିଅନ୍ତୁ ।"
ବିଜେପି ସରକାର ଘୋଷଣା ଉପରେ କେବଳ ଗୁରୁତ୍ବ ଦେଉଛି:
ରାଜ୍ୟ ସରକାରଙ୍କ ଏହି ଯୋଜନାରେ ରାଜନୈତିକ ଗନ୍ଧ ବାରିଛନ୍ତି ବିରୋଧୀ । ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, "ନବୀନ ସରକାରରେ ରାଜ୍ୟ ସରକାର ସମସ୍ତ ସ୍ୱାସ୍ଥ୍ୟ ଖର୍ଚ୍ଚ ବହନ କରୁଥିଲେ । ଲୋକଙ୍କୁ ସ୍ୱାସ୍ଥ୍ୟ ସୁବିଧା ଓ ସୁଯୋଗ ଦେଉଥିଲେ । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ଆମେ ସାମିଲ ହେବୁନାହିଁ ବୋଲି କହିଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଢ଼ ରହିବାରୁ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବଳବତ୍ତର ରହିଲା । ନୂଆ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନାଁ ପରିବର୍ତ୍ତନ ଘୋଷଣା କରିଛନ୍ତି । ନୂଆ ସରକାର ଘୋଷଣା ଉପରେ ଅଧିକ ଗୁରୁତ୍ୱ ଦେଉଥିବାବେଳେ ଏହାର କାର୍ଯ୍ୟକାରିତା ଉପରେ କମ ଗୁରୁତ୍ୱ ଦେଉଛନ୍ତି ।"
ସେ ଆହୁରି ମଧ୍ୟ କହିଛନ୍ତି, "2024 ଶେଷ ସୁଦ୍ଧା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପରିବର୍ତ୍ତେ ରାଜ୍ୟରେ ଆୟୁଷ୍ମାନ ଭାରତ କାର୍ଯ୍ୟକାରୀ ହେବ । ଅକ୍ଟୋବରରେ ଏହି ଘୋଷଣା ଅନୁସାରେ 2024 ଯାଇ 2025 ଆସିଲା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଏବେ ଫେବୃଆରୀ ନୂଆ ତାରିଖ ହୋଇଛି । ଯୋଜନା ବାବଦରେ ପ୍ରଥମେ ସ୍ଥିର ନିଷ୍ପତ୍ତି ନେଇ ସରକାର ଘୋଷଣା କରନ୍ତୁ । ବିଜେଡି ସରକାର ସମୟରେ ହୋଇଥିବା ଯୋଜନାର ସ୍ମୃତି ନରଖିବା ଲାଗି ନୂଆ ସରକାର ଚାହୁଁଛନ୍ତି । ଏଥିପାଇଁ ଅଭିସନ୍ଧି କରୁଛନ୍ତି । ବିଜେଡି ବିରୋଧରେ ଅଭିସନ୍ଧି ରହୁ କିନ୍ତୁ ଲୋକେ ଅସୁବିଧାରେ ନପଡ଼ନ୍ତୁ ।
ଇଟିଭି ଭାରତ, ଭୁବନେଶ୍ବର