ଓଡିଶା

odisha

ETV Bharat / state

ମାହାଙ୍ଗା ଡବଲ ମର୍ଡର: ପ୍ରତାପ ଜେନାଙ୍କୁ କ୍ଲିନଚିଟ୍, ଜନତାଙ୍କ ଆଶୀର୍ବାଦ ପାଇଁ ଜଣାଇଲେ କୃତଜ୍ଞତା - MAHANGA DOUBLE MURDER CASE - MAHANGA DOUBLE MURDER CASE

MAHANGA DOUBLE MURDER CASE:ମାହାଙ୍ଗା ଡବଲ ମର୍ଡର ଘଟଣା । ତଳ କୋର୍ଟଙ୍କ ରାୟକୁ ରଦ୍ଦ କଲେ ହାଇକୋର୍ଟ । ଏହି ମାମଲାରେ ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ମିଳିଛି ଆଶ୍ବସ୍ତି । ଅଧିକ ପଢନ୍ତୁ

MAHANGA DOUBLE MURDER CASE
MAHANGA DOUBLE MURDER CASE (ETV Bharat Odisha)

By ETV Bharat Odisha Team

Published : Oct 1, 2024, 8:23 PM IST

Updated : Oct 1, 2024, 11:01 PM IST

ଭୁବନେଶ୍ବର/କଟକ: ମାହାଙ୍ଗା ଡବଲ ମର୍ଡର ଘଟଣା । ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗାର ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି । ତଳ କୋର୍ଟଙ୍କ ରାୟକୁ ରଦ୍ଦ କଲେ ହାଇକୋର୍ଟ । ପ୍ରତାପଙ୍କ ବିରୋଧରେ ଅପରାଧିକ ମାମଲା ଚାଲିବା ନେଇ ରାୟ ପ୍ରଦାନ କରିଥିଲେ ତଳ କୋର୍ଟ । ତଳ କୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପ୍ରତାପ । ହାଇକୋର୍ଟ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଆଜି ହୋଇଥିବା ଶୁଣାଣିରେ ପ୍ରତାପଙ୍କୁ ମିଳିଛି ଆଶ୍ୱସ୍ତି। ଏହାପରେ ପ୍ରେସମିଟ୍ କରିଛନ୍ତି ବିଜେଡି ନେତା ପ୍ରତାପ ଜେନା। "ସମସ୍ତଙ୍କ ଆଶୀର୍ବାଦ ପାଇଁ ସବୁ ଚକ୍ରାନ୍ତ ଫସର ଫାଟିଛି" କହି ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେପଟେ ଏସମ୍ପର୍କରେ ମତ ରଖି ଆଇନଜୀବୀ ଆଲୋକ ମହାପାତ୍ର କହିଛନ୍ତି, ହାଇକୋର୍ଟ ତଳ କୋର୍ଟର ରାୟକୁ ରଦ୍ଦ କରି ଏହି ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ପ୍ରତିପକ୍ଷ ଚାହିଁଲେ ଏହି ରାୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ।"

MAHANGA DOUBLE MURDER CASE (ETV Bharat Odisha)

'ମୋ ବିରୋଧରେ ହୋଇଥିଲା ରାଜନୈତିକ ଷଡ଼ଯନ୍ତ୍ର ':

ହାଇକୋର୍ଟରୁ କ୍ଲିନଚିଟ୍ ମିଳିବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରତାପ ଜେନା । ପ୍ରତାପ କହିଛନ୍ତି," ମୋ ବିରୋଧରେ ହୋଇଥିଲା ରାଜନୈତିକ ଷଡ଼ଯନ୍ତ୍ର । ମୋତେ ବଦନାମ କରିବାକୁ ହୋଇଥିଲା ଅପଚେଷ୍ଟା । ଦୀର୍ଘ ଦୁଇବର୍ଷ ହେଲା ଏହି ଷଡ଼ଯନ୍ତ୍ର ଚାଲିଥିଲା । ଜନସାଧାରଣଙ୍କ ଆଶୀର୍ବାଦ ଓ ଭଲ ପାଇବା ପାଇଁ ଏହି ଷଡ଼ଯନ୍ତ୍ରର ଫସର ଫାଟିଛି । ହାଇକୋର୍ଟ ମୋତେ କ୍ଲିନଚିଟ ଦେଇଛନ୍ତି । ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ ମାହାଙ୍ଗାବାସୀଙ୍କ ଆଶୀର୍ବାଦରୁ ଏହି ସଫଳତା ମିଳିଛି । ରାଜନୈତିକ ଉଦ୍ଦେଶ୍ୟ ରଖି ମୋତେ ବଦନାମ କରିବାକୁ ଉଦ୍ୟମ କରାଯାଇଥିଲା । ବିରୋଧୀ ଦଳ ବିଭିନ୍ନ ସମୟରେ ବାରମ୍ବାର ମୋ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ସେସବୁ କଥାରେ ପୂର୍ଣ୍ଣଛେଦ ପଡିଛି । "

MAHANGA DOUBLE MURDER CASE (ETV Bharat Odisha)

ପୂର୍ବରୁ ନିମ୍ନ ଅଦାଲତକୁ ହୋଇଥିଲା ରେକର୍ଡ ତଲବ:

ଗତ ୨୦୨୩, ନଭେମ୍ବର ୨ରେ ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି ପ୍ରତିପକ୍ଷ ରାଜ୍ୟ ସରକାର ଓ ରଣଜିତ ବରାଳଙ୍କୁ ନୋଟିସ ଜାରି କରିବା ସହିତ ନିମ୍ନ ଅଦାଲତ ରେକର୍ଡ ତଲବ କରିଥିଲେ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପ୍ରତାପଙ୍କ ବିରୋଧରେ କୌଣସି ପ୍ରକାର କଠୋର ପଦକ୍ଷେପ ଗ୍ରହଣ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ପୂର୍ବରୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ ।

MAHANGA DOUBLE MURDER CASE (ETV Bharat Odisha)

ତଳକୋର୍ଟ କ'ଣ ନିର୍ଦ୍ଦେଶ ଦେଇଥିଲେ ?
ରଣଜିତ ବରାଳଙ୍କ ପ୍ରୋଟେଷ୍ଟ ପିଟିସନର ସାଲେପୁର ‌ଜେଏମଏଫସି ଅଦାଲତ ଶୁଣାଣି କରି ପ୍ରତାପଙ୍କ ବିରୋଧରେ ଆଇପିସିର ଦଫା ୩୦୨, ୧୨୦B, ୫୦୬ରେ କଗନିଜାନ୍ସ ଗ୍ରହଣ କରିଥିଲେ । ଏହାପରେ ତାଙ୍କୁ ଅଦାଲତ ସମନ ଜାରି କରିଥିଲେ । ଏହି ନିର୍ଦ୍ଦେଶ ବିରୋଧରେ ପ୍ରତାପଙ୍କ ତରଫରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା । ଦାୟର ଆବେଦନରେ ଦର୍ଶାଯାଇଛି ଯେ ଏତଲାରେ ତାଙ୍କ ନାଁ ଉଲ୍ଲେଖ କରାଯାଇଥିଲେ ମଧ୍ୟ ତଦନ୍ତରୁ ପୋଲିସ କୌଣସି ପ୍ରମାଣ ପାଇନଥିଲା । ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଚାର୍ଜସିଟ ଦାଖଲ କରିଥିବାବେଳେ ତାଙ୍କ ବିରୋଧରେ ପ୍ରମାଣ ନଥିବାରୁ ପୋଲିସ ଫାଇନାଲ ଫର୍ମ ଦାଖଲ କରିଥିଲା । ତଦନ୍ତର ଫଳାଫଳ ବିରୋଧରେ ରମାକାନ୍ତ ବରାଳ ସାଲେପୁର ଜେଏମଏଫସି ଅଦାଲତରେ ପ୍ରୋଟେଷ୍ଟ ପିଟିସନ ଦାଖଲ କରିଥିଲେ । ଅଦାଲତ ଏହି ପିଟିସନର ଶୁଣାଣି କରି ଅଧିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ସିଡିଆର ଯାଞ୍ଚ ନିର୍ଦ୍ଦେଶ:

ଫୋନ ବାର୍ତ୍ତାଳପର ରେକର୍ଡ (ସିଡିଆର) ଯାଞ୍ଚ କରିବାକୁ ଅଦାଲତ କହିଥିଲେ । ଏହାପରେ ପୋଲିସ ପୁଣି ତଦନ୍ତ କରିଥିଲା । କିନ୍ତୁ ପ୍ରତାପଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନଥିଲା ଓ ପୋଲିସ ଫାଇନାଲ ଫର୍ମ ଦାଖଲ କରିଥିଲା । ଏହାପରେ ପୁଣି ଅଦାଲତରେ ପ୍ରୋଟେଷ୍ଟ ପିଟିସନ ଦାଖଲ କରାଯାଇଥିଲା । ଏହି ପ୍ରୋଟେଷ୍ଟ ପିଟିସନର ଅଦାଲତ ଶୁଣାଣି କରି ପ୍ରତାପଙ୍କ ବିରୋଧରେ କଗନିଜାନ୍ସ ଗ୍ରହଣ କରିଥିଲେ। ଏହି କଗନିଜାନ୍ସ ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ପ୍ରତାପଙ୍କ ଆବେଦନରେ ଦର୍ଶାଯାଇଥିଲା ।

କେବେ ଘଟିଥିଲା ଘଟଣା ?
ସୂଚନା ଅନୁସାରେ, ୨୦୨୧ ଜାନୁଆରୀ ୨ ତାରିଖରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାର ତଦନ୍ତ କରି ପୋଲିସ ଯେଉଁ ଚାର୍ଜସିଟ ଦାଖଲ କରିଥିଲା ସେଥିରୁ ତତ୍କାଳୀନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନାମ ସ୍ଥାନ ପାଇନଥିଲା । ଏତଲାରେ ପ୍ରତାପଙ୍କ ନାଁରେ ଅଭିଯୋଗ ଥିବାବେଳେ ଚାର୍ଜସିଟରୁ କିନ୍ତୁ ତାଙ୍କୁ ବାଦ ଦିଆଯାଇଥିଲା । ପୋଲିସର ଚାର୍ଜର୍ସିଟ ବିରୋଧରେ ରମାକାନ୍ତ ବରାଳଙ୍କ ପକ୍ଷରୁ ପ୍ରୋଟେଷ୍ଟ ପିଟିସନ ସାଲେପୁର ଜେଏମଏଫସି ଅଦାଲତରେ ଦାଖଲ ହୋଇଥିଲା । ଅଦାଲତ ପିଟିସନର ଶୁଣାଣି କରି ଘଟଣାର ସାନି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଘଟଣାର ତ୍ବରିତ ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ମାହାଙ୍ଗା ଥାନା ଆଇଆଇସିଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ସିଡିଆର ମଗାଇବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ...Mahanga Double Murder: ମାହାଙ୍ଗା ଡବଲ ମର୍ଡର ମାମଲା, ୯ ଜଣଙ୍କୁ ଆଜୀବନ କାରାଦଣ୍ଡ, ଜଣେ ନିର୍ଦ୍ଦୋଷ - LIFE IMPRISONMENT BY COURT

ଏହା ମଧ୍ୟ ପଢନ୍ତୁ...ମାହାଙ୍ଗା ଡବଲ ମର୍ଡର ମାମଲା: ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ - Mahanga Double Murder

ଏହା ମଧ୍ୟ ପଢନ୍ତୁ...ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗ, ଏପ୍ରିଲ ୧୦ ପର୍ଯ୍ୟନ୍ତ ବିଧାୟକ ପ୍ରତାପଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର - Mahanga Double Murder Case



ଅଭିଯୋଗକାରୀ ରମାକାନ୍ତ ବରାଳ ମୃତ୍ୟୁ:
ମାହାଙ୍ଗା ଥାନାର ତତ୍କାଳୀନ ଆଇଆଇସିଙ୍କ ବଦଳି ପରେ ସାଲେପୁର ଡିଏସପିଙ୍କୁ ତଦନ୍ତ ଭାର ଦିଆଯାଇଥିଲା । ଡିଏସପି ତଦନ୍ତ ଶେଷ କରିବା ପରେ ପ୍ରତାପ ଜେନାଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନଥିବା ଦର୍ଶାଇ ଫାଇନାଲ ରିପୋର୍ଟ ଅଦାଲତରେ ଦାଖଲ କରିଥିଲେ । ଅନ୍ୟପକ୍ଷରେ ଏହି ଫାଇନାଲ ରିପୋର୍ଟରେ କୌଣସି ଆପତ୍ତି ଥିଲେ ଅବଗତ କରିବାକୁ ଏତଲାକାରୀ ରମାକାନ୍ତ ବରାଳଙ୍କୁ ଅଦାଲତ ନୋଟିସ ଜାରି କରିଥିଲେ । ରମାକାନ୍ତ ବରାଳ ନୋଟିସ ପାଇଥ‌ିଲେ । କିନ୍ତୁ ଏନେଇ ପ୍ରୋଟେଷ୍ଟ ପିଟିସନ ମାଧ୍ୟମରେ ଅବଗତ କରିବା ପୂର୍ବରୁ ୨୦୨୨, ଡିସେମ୍ବର ୯ରେ ଏତଲା ଦେଇଥିବା ରମାକାନ୍ତ ବରାଳଙ୍କ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏହାପରେ ରଣଜିତ ବରାଳ ପ୍ରେ‌ାଟେଷ୍ଟ ପିଟିସନ ଦାଖଲ କରିଥିଲେ ।


୯ ଅଭିଯୁକ୍ତ ଆଜୀବନ କାରାଦଣ୍ଡ:

ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ୯ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ତଳ କୋର୍ଟ । କଟକ ସାଲେପୁର ଅତିରିକ୍ତ ଦୌରାଜଜ୍ କୋର୍ଟ ଏହି ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ମୋଟ ୧୦ ଜଣଙ୍କର ରାୟ ପ୍ରକାଶ ପାଇଛି । କେବଳ ଜଣେ ଅଭିଯୁକ୍ତ ଅରବିନ୍ଦ ଖଟୁଆ, ସାକ୍ଷ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଅନ୍ୟ ୯ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଗତ 2021 ମସିହା ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ଘଟିଥିଲା ହତ୍ୟାକାଣ୍ଡ । ସ୍ଥାନୀୟ ବିଜେପି ନେତା କୂଳମଣି ବରାଳ ଓ ଦିବ୍ୟାସିଂହ ବରାଳଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର/କଟକ


Last Updated : Oct 1, 2024, 11:01 PM IST

ABOUT THE AUTHOR

...view details