ଭୁବନେଶ୍ବର:ପଡ଼ୋଶୀ ରାଜ୍ୟ ସହ ବହୁଦିନ ଧରି ଲାଗି ରହିଥିବା ମହାନଦୀ ଜଳ ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ ! ବହୁ ବର୍ଷ ଧରି ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ସହ ଜଳ ବିବାଦ ଲାଗି ରହିଛି । ବିଜେଡି ସରକାର ସମୟରେ ଏହି ବିବାଦର ସମାଧାନ ହୋଇପାରିନଥିଲା । ଏବେ ଏହି ବିବାଦର ସମାଧାନ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ନୂଆ ସରକାର । ତେବେ ଓଡ଼ିଶାରେ ବିଜେପି ସରକାର ଥିବା ବେଳେ ଛତିଶଗଡ଼ରେ ବିଜେପି ସରକାର ଓ ଆନ୍ଧ୍ରପ୍ରଦେଶରେ ମଧ୍ୟ ବିଜେପିର ମେଣ୍ଟ ସରକାର ରହିଛି । କିନ୍ତୁ ଓଡିଶାବାସୀଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରୁଥିବା ଓ ପରିବେଶକୁ ବିପଦ ସୃଷ୍ଟି କରୁଥିବା ସବୁ ପ୍ରକଳ୍ପଗୁଡିକୁ ସଂପୂର୍ଣ୍ଣ ବିରୋଧ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶାର ସ୍ୱାର୍ଥ ବିରୋଧରେ ହେଉଥିବା ପ୍ରକଳ୍ପକୁ ପ୍ରତିରୋଧ କରିବାକୁ ସରକାରଙ୍କ ନିଷ୍ପତିକୁ ସ୍ୱାଗତଯୋଗ୍ୟ ବୋଲି ବିଜେଡି କହିଛି ।
ଦୂର ହେବ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ସହ ଜଳ ବିବାଦ । ଓଡ଼ିଶାର ସ୍ୱାର୍ଥ ବିରୋଧରେ ହେବ ନାହିଁ ସାଲିସ । ଓଡିଶାର ସ୍ୱାର୍ଥକୁ ମିଳିବ ସର୍ବାଧିକ ପ୍ରାଧାନ୍ୟ । ନହେଲେ ଓଡିଶା ସରକାର ଜୋରଦାର ବିରୋଧ କରିବେ । ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ଏଭଳି କିଛି ଚର୍ଚ୍ଚା ହେବାରେ ଲାଗିଛି । ଓଡ଼ିଶା-ଆନ୍ଧ୍ର ଓ ଓଡିଶା-ଛତିଶଗଡ଼ ଜଳ ବିବାଦକୁ ନେଇ ବିସ୍ତୃତ ଭାବେ ଅବଗତ ହେବା ସହ ଓଡିଶା ହାସଲ ଲାଗି କାର୍ଯ୍ୟକ୍ରମ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମହାନଦୀର ଉପ ମୁଣ୍ଡରେ ଛତିଶଗଡ଼ ବିଭିନ୍ନ ବ୍ୟାରେଜ ପ୍ରକଳ୍ପ କରୁଛି । ବଂଶଧାରାରେ ଗୋଦାବରୀ ନଦୀରେ ପୋଲାଭରମ ପ୍ରକଳ୍ପ କରୁଛି ଆନ୍ଧ୍ରପ୍ରଦେଶ । ଦୁଇ ନଦୀରେ ପ୍ରକଳ୍ପକୁ ନେଇ ଓଡିଶା- ଛତିଶଗଡ଼ ଓ ଓଡ଼ିଶା-ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘ ବର୍ଷ ହେଲା ବିବାଦ ଲାଗି ରହିଛି । ପୂର୍ବରୁ ବିଜେଡି ସରକାର ଏହାକୁ ବିରୋଧ କରୁଥିଲେ ବି ଏଥିରେ ସେତିକି ଜୋର ନଥିବାରୁ ସଫଳ ହୋଇନଥିଲା । ମାମଲା ଟ୍ରିବ୍ୟୁନାଲରେ ରହିଛି । ରାଜ୍ୟରେ ପଟ୍ଟ ପରିବର୍ତ୍ତନ ହୋଇଛି । ବିଜେପି ପ୍ରଥମକରି ଏକାକୀ କ୍ଷମତାକୁ ଆସିବା ପରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ କ’ଣ ରହିବ ତାହା ଉପରେ ସମସ୍ତଙ୍କ ନଜର ଥିଲା ।
ଓଡ଼ିଶା ସହିତ ଜଡ଼ିତ ଥିବା ବିଭିନ୍ନ ଅନ୍ତଃରାଜ୍ୟ ଜଳସେଚନ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ସ୍ପଷ୍ଟ କରିଛନ୍ତି ଯେ, ଓଡ଼ିଶାବାସୀଙ୍କ ସ୍ବାର୍ଥ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଓଡ଼ିଶାର ସ୍ବାର୍ଥ ବିରୋଧୀ, ଓଡ଼ିଶାବାସୀଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରୁଥିବା ଏବଂ ଓଡ଼ିଶାର ପରିବେଶକୁ ବିପଦ ସୃଷ୍ଟି କରୁଥିବା ସବୁ ପ୍ରକଳ୍ପଗୁଡ଼ିକୁ ସଂପୂର୍ଣ୍ଣ ବିରୋଧ କରାଯିବ । ଛତିଶଗଡ଼ରେ ବିଜେପି ସରକାର, ଆନ୍ଧ୍ରପ୍ରଦେଶରେ ବିଜେପିର ମେଣ୍ଟ ସରକାର ଚାଲିଥିଲେ ବି ଓଡ଼ିଶା ସ୍ବାର୍ଥକୁ ବାଦ ଦିଆଯିବନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପୂର୍ବରୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମହାନଦୀ ଜଳବିବାଦ ପ୍ରସଙ୍ଗରେ କୋର୍ଟ ବାହାରେ ଆଲୋଚନା କରାଯିବା ନେଇ କହିଥିଲେ ହେଁ ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କିଛି କହିନାହାନ୍ତି । ଓଡିଶା ସ୍ୱାର୍ଥ ହାସଲ ଲାଗି ସହମତି ଭିତ୍ତିରେ ଛତିଶଗଡ଼ ସହ କିପରି ଓ କେଉଁଠି ଆଲୋଚନା ହେବ ସେନେଇ ବି କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।
ଜଳ ବିବାଦ ନେଇ ମୁଖ୍ୟମନ୍ତ୍ରୀଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ଅମର ଶତପଥୀ । ଅମର କହିଛନ୍ତି ଯେ, ଓଡିଶାର ଯେଉଁଠି ଜନ ଜୀବନ ଓ ଅର୍ଥନୈତିକ ପ୍ରଭାବିତ ହେବ । ଭବିଷ୍ୟତରେ ଜଳ ସଙ୍କଟ ଦେଖା ଦେବ । କୃଷିଗତ ଅର୍ଥନୀତି କାରଣରୁ ସବୁଠାରୁ ଅଧିକ ଚାଷୀ ପ୍ରଭାବିତ ହେବେ । ସେ ଦୃଷ୍ଟିରୁ ଯେଉଁ ପ୍ରକଳ୍ପ ଓଡିଶାର ସ୍ୱାର୍ଥ ବିରୋଧରେ ତାକୁ ପ୍ରତିରୋଧ କରିବାକୁ ସରକାରଙ୍କ ନିଷ୍ପତି ସ୍ୱାଗତଯୋଗ୍ୟ । ଅନେକ ଘୋଷଣା କରୁଛନ୍ତି, ହେଲେ ତାକୁ କାର୍ଯ୍ୟକାରୀ କରିବା ଉଚିତ । ଜଳ ବିବାଦ ଦୀର୍ଘ ବର୍ଷ ହେଲା ଲାଗି ରହିଛି । ଏହା ଏବେ କେବଳ ଆଉ ଦୁଇଟି ରାଜ୍ୟ ଭିତରେ ସୀମିତ ନାହିଁ ।