ଢେଙ୍କାନାଳ:ପଞ୍ଚାୟତରେ ଚାଲିଛି ସରପଞ୍ଚଙ୍କ ସ୍ବାମୀଙ୍କ ଦାଦାଗିରି । ଲୋକଙ୍କୁ ମାରପିଟ୍ କରିବା ସହ ଆତଙ୍କ ସୃଷ୍ଟି କରୁଛନ୍ତି ସରପଞ୍ଚଙ୍କ ସ୍ୱାମୀ । ଏଭଳି କିଛି ଅଭିଯୋଗ ଆଣି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଜିଲ୍ଲାର ମଧୁସାହୁପାଟଣା ପଞ୍ଚାୟତବାସୀ । ଏହାସହ ସରପଞ୍ଚ ସ୍ୱାମୀଙ୍କ ଗିରଫ ଓ ସରପଞ୍ଚଙ୍କ ବହିଷ୍କାର ଦାବି କରିଛନ୍ତି ।
ତେବେ ପଞ୍ଚାୟତରାଜ ବ୍ୟବସ୍ଥାରେ ପଞ୍ଚାୟତର ଉନ୍ନତି ଓ ପଞ୍ଚାୟତବାସୀଙ୍କ କଲ୍ୟାଣ ପାଇଁ ସରପଞ୍ଚ ନିର୍ବାଚିତ ହୋଇଥାନ୍ତି । ମାତ୍ର ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମଧୁସାହୁପାଟଣା ପଞ୍ଚାୟତର ନିର୍ବାଚିତ ସରପଞ୍ଚଙ୍କ ସ୍ୱାମୀଙ୍କ ନାମରେ ଅସହ୍ୟ ଗୁଣ୍ଡାଗିରିର ଅଭିଯୋଗ ଉଠିଛି । ସ୍ଥାନୀୟ ପୋଲିସର ନିଷ୍କ୍ରିୟତା ନେଇ ଲୋକମାନଙ୍କୁ ବାରମ୍ବାର ମାରପିଟ କରିବା, କଥା କଥାକେ ଗୁଳି ଓ ବୋମାମାଡ଼ ଆଦି ଘଟଣାରେ ମଧୁସାହୁପାଟଣା ପଞ୍ଚାୟତ ଅଶାନ୍ତ ହୋଇପଡିଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତବାସୀ । ଏହାର ପ୍ରତିବାଦରେ ସୋମବାର ମଧୁସାହୁପାଟଣା ଗ୍ରାମପଞ୍ଚାୟତର ଶତାଧିକ ବାସିନ୍ଦା ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯାହାକୁ ନେଇ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।
ତେବେ ମଧୁସାହୁପାଟଣା ପଞ୍ଚାୟତ ସରପଞ୍ଚଙ୍କ ବହିଷ୍କାର ଓ ତାଙ୍କ ସ୍ୱାମୀ ପ୍ରିୟବ୍ରତ ନାୟକ ଓରଫ ଜାନକୀଙ୍କ ଗିରଫ ଦାବି କରିଛନ୍ତି ପଞ୍ଚାୟତବାସୀ । ନିର୍ବାଚିତ ସରପଞ୍ଚ ଲୋକଙ୍କ ସମସ୍ୟା ଶୁଣୁନଥିବା ବେଳେ ପଞ୍ଚାୟତକୁ ମଧ୍ୟ ଆସୁନଥିବା ଅଭିଯୋଗ ହୋଇଛି । ସରପଞ୍ଚଙ୍କ ବଦଳରେ ତାଙ୍କ ସମ୍ପର୍କୀୟ ଓ ସ୍ୱାମୀ ପଞ୍ଚାୟତରେ ରାଜ୍ କରୁଛନ୍ତି ବୋଲି ଅଭିଯୋଗ ଉଠାଇଛନ୍ତି ଲୋକେ । ତେବେ ଏନେଇ ଯଦି କେହି ଆପତ୍ତି ଉଠାନ୍ତି ତେବେ ତାଙ୍କୁ ମାରପିଟ କରିବା ସହ ପଞ୍ଚାୟତରେ ଫାଙ୍କା ଗୁଳି ଚାଳନା ଓ ବୋମାମାଡ଼ ଆଦି କରି ଆତଙ୍କ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି ।