ଭୁବନେଶ୍ବର:ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ରାଜ୍ୟରେ ଏକାକୀ ବାଜି ମରିଛି ବିଜେପି । ଏହାପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବ ବୋଲି ଆମେ କହିଥିଲୁ । ତାହା ସଫଳ ହୋଇଛି । ଓଡିଶା ଲୋକଙ୍କ ମତ ଓ ଭାବନା ଭୋଟରେ ରୂପାନ୍ତରିତ ହେଲା । ମୋଦି ଗ୍ୟାରେଣ୍ଟି ଉପରେ ଭରସା କରି ଓଡ଼ିଶାରେ ବିଜେପି ସରକାର ହୋଇଛି । ଏଥିପାଇଁ ସମଗ୍ର ରାଜ୍ୟବାସୀଙ୍କୁ ଅଭିନନ୍ଦନ ବୋଲି ସେ କହିଛନ୍ତି ।
ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ମୋଦି କହିଥିଲେ ଓଡ଼ିଶାରେ ବିଜେପି ସରକାର ଶପଥ ଗ୍ରହଣ କରିବ । ତେଣୁ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ମଧ୍ୟ ଘୋଷଣା ହେବ । ଓଡ଼ିଆ ଲୋକଙ୍କ ଭାବନାକୁ ଆଧାର କରି ସବୁ ନିଷ୍ପତି ନିଆଯିବ । ଓଡ଼ିଶାରେ ଏକ ନୂଆ ଇତିହାସ ଲେଖାଯାଇଛି । ଏହି ବିଜୟ କେବଳ ବିଜେପିର ନୁହେଁ ବରଂ ସାଢେ ୪ କୋଟି ଓଡ଼ିଆଙ୍କ ବିଜୟ । ଏହି ବିଜୟ ଓଡ଼ିଆ ଅସ୍ମିତା, ଭାଷା, ସଂସ୍କୃତି ଓ ପରିଚୟର ବଡ଼ ବିଜୟ । ଶୀର୍ଷ ନେତୃତ୍ୱଙ୍କ ଦୂରଦୃଷ୍ଟି, ମାର୍ଗଦର୍ଶନ ଏବଂ କାର୍ଯ୍ୟକର୍ତ୍ତାମାନଙ୍କ ଅକ୍ଳାନ୍ତ ପରିଶ୍ରମ ପାଇଁ ଏହା ସମ୍ଭବ ହୋଇପାରିଛି । ବିଜେପିର ବିଜୟ ସବୁ ଓଡ଼ିଆ ଲୋକଙ୍କର ବିଜୟ । ଓଡ଼ିଆ ଅପେକ୍ଷା ଓ ଆକାଂକ୍ଷାର ବିଜୟ । ଏହି ବିଜୟ ଓଡ଼ିଆ ଅସ୍ମିତାର ବିଜୟ, ପ୍ରଧାନମନ୍ତ୍ରୀଙ୍କ ଦୃଢ ନେତୃତ୍ୱ ଉପରେ ଲୋକଙ୍କ ବିଶ୍ୱାସ ଓ ଭରସାର ପ୍ରତିଫଳନ ।