ଓଡିଶା

odisha

ETV Bharat / state

2024 ଲୋକସଭା ନିର୍ବାଚନ; ରାତି ପାହିଲେ ପଡ଼ିବ ଭୋଟ, 37 ସାଂସଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ - First Phase Voting in Odisha - FIRST PHASE VOTING IN ODISHA

First Phase Voting in Odisha: ରାତି ପାହିଲେ ପଡ଼ିବ ଭୋଟ । ସରିଛି ନେତାଙ୍କ ଝାଳବୁହା ପ୍ରଚାର । ଏବେ ନିସ୍ତବ୍ଦ ମୈଦାନ । ଆସନ୍ତାକାଲି (ସୋମବାର) ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଥିବା ବେଳେ ମୈଦାନରେ ଅଛନ୍ତି 37 ସାଂସଦ ପ୍ରାର୍ଥୀ । ଅଧିକ ପଢନ୍ତୁ

First Phase Voting in Odisha
First Phase Voting in Odisha (ETV Bharat Odisha)

By ETV Bharat Odisha Team

Published : May 12, 2024, 8:58 PM IST

ଭୁବନେଶ୍ବର:2024 ଲୋକସଭା ନିର୍ବାଚନ ଲାଗି ଓଡ଼ିଶାରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ମତଦାନ । ଦେଶରେ ଏହା ଚତୁର୍ଥ ପର୍ଯ୍ୟାୟ ଥିବା ବେଳେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ । ରବିବାର ସନ୍ଧ୍ୟାରୁ ସରିଛି ନେତାଙ୍କ ଝାଳବୁହା ପ୍ରଚାର । ଏବେ ନିସ୍ତବ୍ଦ ମୈଦାନ । ରାତି ପାହିଲେ ପଡ଼ିବ ଭୋଟ । ଆଗାମୀ 5 ବର୍ଷକୁ ଦୃଷ୍ଟିରେ ରଖି ନିଜ ନେତା ବାଛିବେ ଭୋଟର । ମେ 13 ଅର୍ଥାତ ଆସନ୍ତାକାଲି ରାଜ୍ୟର 4 ସଂସଦୀୟ କ୍ଷେତ୍ର ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଓ କଳାହାଣ୍ଡିରେ ମତଦାନ ହେବ । ପ୍ରଥମ ପର୍ଯ୍ୟାୟରେ ମୋଟ ୬୨,୮୭,୨୨୨ ଜଣ ମତଦାତା ମତାଧିକାର ସାବ୍ୟସ୍ତ କରିବେ ।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ (ETV Bharat Odisha)
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ (ETV Bharat Odisha)

4 ଲୋକସଭା ଆସନରେ 37 ପ୍ରାର୍ଥୀ:ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ବ୍ରହ୍ମପୁର ପାଇଁ ମୋଟ ୩୭ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି । କଳାହାଣ୍ଡି ଲୋକସଭା ଆସନ ପାଇଁ ୧୧ ଜଣ ପ୍ରାର୍ଥୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ପୁରୁଷ ପ୍ରାର୍ଥୀ ୯ ଓ ମହିଳା ପ୍ରାର୍ଥୀ ୨ ଜଣ ଅଛନ୍ତି । ନବରଙ୍ଗପୁର ଲୋକସଭାରେ ୪ ଜଣ ପ୍ରାର୍ଥୀ ରହିଛନ୍ତି । ସମସ୍ତ ପୁରୁଷ ପ୍ରାର୍ଥୀ ଥିବା ବେଳେ କେହି ମହିଳା ପ୍ରାର୍ଥୀ ନାହାନ୍ତି । ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ୧୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ପୁରୁଷ ପ୍ରାର୍ଥୀ ୧୦ ଓ ମହିଳା ପ୍ରାର୍ଥୀ ଜଣେ । ସେହିପରି କୋରାପୁଟ ସଂସଦୀୟ କ୍ଷେତ୍ରରେ ୧୧ ଜଣ ପ୍ରାର୍ଥୀ ଚୂଡାନ୍ତ ହୋଇଛନ୍ତି । ପୁରୁଷ ପ୍ରାର୍ଥୀ ୭ ଜଣ ଥିବାବେଳେ ମହିଳା ପ୍ରାର୍ଥୀ୪ ପ୍ରତିଦ୍ବନ୍ଦ୍ବିତା କରିବେ । ଉପରୋକ୍ତ ୪ ସଂସଦୀୟ କ୍ଷେତ୍ର ପାଇଁ ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ ହୋଇଥିବା ମୋଟ ୩୭ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୦ ଜଣ ପୁରୁଷ ପ୍ରାର୍ଥୀ ହୋଇଥିବାବେଳେ ୭ ଜଣ ମହିଳା ପ୍ରାର୍ଥୀ ଅଟନ୍ତି ।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ (ETV Bharat Odisha)
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ (ETV Bharat Odisha)

କୋଟିପତି ପ୍ରାର୍ଥୀ:ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନରେ ମୋଟ 10 ଜଣ କୋଟିପତି ସାଂସଦ ପ୍ରାର୍ଥୀ ରହିଛନ୍ତି । ବିଜେପିର କଳାହାଣ୍ଡି ଲୋକସଭା ପ୍ରାର୍ଥୀ ମାଳବିକା ଦେବୀ ହେଉଛନ୍ତି ସବୁଠାରୀ ଧନୀ ପ୍ରାର୍ଥୀ । ତାଙ୍କ ସମ୍ପତ୍ତିର ମୂଲ୍ୟ 41କୋଟି 89 ଲକ୍ଷ 1ହଜାର 50 ଟଙ୍କା । 28 କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ସମ୍ପତ୍ତି ସହ ଦ୍ବିତୀୟରେ ବ୍ରହ୍ମପୁର ସ୍ବାଧୀନ ପ୍ରାର୍ଥୀ ଭି ଚନ୍ଦ୍ରଶେଖର ନାଇଡୁ ରହିଛନ୍ତି । ତୃତୀୟରେ ବ୍ରହ୍ମପୁର ଭାରତୀୟ ବିକାଶ ପରିଷଦ ପ୍ରାର୍ଥୀ ରାଜେନ୍ଦ୍ର ଦଳବେହେରା, ଚତୁର୍ଥରେ ନବରଙ୍ଗପୁର ବିଜେପି ପ୍ରାର୍ଥୀ ବଳଭଦ୍ର ମାଝୀ ଓ ପଞ୍ଚମରେ କୋରାପୁଟ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକା ଅଛନ୍ତି ।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ (ETV Bharat Odisha)
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ (ETV Bharat Odisha)
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ (ETV Bharat Odisha)

ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀ:ପ୍ରଥମ ପର୍ଯ୍ୟାୟରେ ନିର୍ବାଚନୀ ମୈଦାନରେ ଥିବା 37ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 7ଜଣ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଛି । ବ୍ରହ୍ମପୁର ବିଜେପି ପ୍ରାର୍ଥୀ ଡଃ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ବିରୋଧରେ ସର୍ବାଧିକ ଅପରାଧିକ ମାମଲା ରହିଛି । ତାଙ୍କ ପଛକୁ ଅଛନ୍ତି ବ୍ରହ୍ମପୁର ବିଜେଡି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର । ତୃତୀୟରେ ନବରଙ୍ଗପୁର ବିଜେଡି ପ୍ରାର୍ଥୀ ପ୍ରଦୀପ କୁମାର ମାଝୀ, ଚତୁର୍ଥରେ ନବରଙ୍ଗପୁର କଂଗ୍ରେସ ପ୍ରାର୍ଥୀ ଭୁଜବଳ ମାଝୀ ଓ ପଞ୍ଚମରେ କୋରାପୁଟ ବିଜେପି ପ୍ରାର୍ଥୀ କାଳିରାମ ମାଝୀ ଅଛନ୍ତି ।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ (ETV Bharat Odisha)
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ (ETV Bharat Odisha)

ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା:-ମୈଦାନରେ ଥିବା 37 ସାଂସଦ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ସାକ୍ଷର (ପଞ୍ଚମ ଶ୍ରେଣୀ ଭିତରେ), ଜଣେ ପଞ୍ଚମ ପାସ୍‌, ଜଣେ ଅଷ୍ଟମ ପାସ୍‌, 7ଜଣ ଦଶମ ପାସ୍‌, 5ଜଣ ଦ୍ବାଦଶ ପାସ୍‌, 10ଜଣ ଡିଗ୍ରିଧାରୀ, 4ଜଣ ବୃତ୍ତିଗତ ସ୍ନାତକ, 6ଜଣ ସ୍ନାତକୋତ୍ତର ଓ ପିଏଚଡି ଡିଗ୍ରୀଧାରୀ 2 ଜଣ ରହିଛନ୍ତି ।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ (ETV Bharat Odisha)

ହେବିୱେଟ ପ୍ରାର୍ଥୀ ଓ ଆସନ:-ପ୍ରଥମ ପର୍ଯ୍ୟାୟରେ ହେବିୱେଟ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି କଳାହାଣ୍ଡି ସାଂସଦ ପ୍ରାର୍ଥୀ ମାଳବିକା ଦେବୀ । କଳାହାଣ୍ଡି ଲୋକସଭା ଆସନ ଲାଗି ବିଜେପି ମହିଳା କାର୍ଡ ଖେଳିଛି । ପୂର୍ବତନ ସାଂସଦ ବସନ୍ତ ପଣ୍ଡାଙ୍କ ବଦଳରେ ଦଳ ଏଠାରେ କଳାହାଣ୍ଡିର ପୂର୍ବତନ ସାଂସଦ ଅର୍କ କେଶରୀଙ୍କ ପତ୍ନୀ ମାଳବିକା କେଶରୀଙ୍କୁ ଭରସା କରିଛି । ସ୍ଵାମୀ ଅର୍କକେଶରୀଙ୍କ ସମେତ ରାଜ ପରିବାରର ଅନେକ ସଦସ୍ୟା କଳାହାଣ୍ଡି ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି । ଯାହାକୁ ଖୁବ ନିକଟରୁ ଦେଖିଆସୁଥିବା ରାଜ ପରିବାରର ବୋହୂ ମାଳବିକା ଏଥର ରାଜନୀତିରେ ଡେବ୍ୟୁ କରିଛନ୍ତି । ତାଙ୍କର ମଧ୍ୟ ବହୁ ସମର୍ଥକ ଅଛନ୍ତି । ଅନ୍ୟତମ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀ । ଗଞ୍ଜାମ ଜିଲ୍ଲାର ଗୋପାଳପୁର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଆସୁଥିବା ପ୍ରଦୀପ ଦଳରେ ମତଭେଦ କାରଣରୁ ପଦ୍ମ ଶିବିରରେ ସାମିଲ ହୋଇଥିଲେ । ଛାତ୍ର ରାଜନୀତିରୁ ସକ୍ରିୟ ଥିବା ଏହି ନେତା ନିଜ ଅଙ୍କ ବିଗାଡ଼ିପାରନ୍ତି ।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ (ETV Bharat Odisha)
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ (ETV Bharat Odisha)

ସେହିପରି କୋରାପୁଟ ଲୋକସଭା ଆସନର ହେବିୱେଟ ପ୍ରାର୍ଥୀ ହେଉଛନ୍ତି କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା । 5 ବର୍ଷର ରିପୋର୍ଟକୁ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଉଲାକା ରାଜ୍ୟ ସରକାରଙ୍କ ଦୁର୍ନୀତିକୁ ନେଇ ପ୍ରଚାର ବେଳେ ଖୁବ ବର୍ଷିଥିଲେ । ସ୍ଥାନୀୟ ଅଞ୍ଚଳରେ ତାଙ୍କ ଲୋକପ୍ରିୟତା ଥିବାରୁ ପୁଣି ଥରେ ସେ ବିଜୟୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅନ୍ୟତମ ହେବିୱେଟ ହେଉଛନ୍ତି ନବରଙ୍ଗପୁର ବିଜେପି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ । ବିଜେଡି ଟିକେଟରୁ ସେ 2014 ସାଧାରଣ ନିର୍ବାଚନରେ ବିଜୟୀ ହୋଇଥିଲେ । 2019ରେ ଟିକେଟ ନ ମିଳିବା ପରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ବିଜେପି ତାଙ୍କୁ ପୁଣି ଏଥର ରିପିଟ୍‌ କରିଛି ।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ (ETV Bharat Odisha)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details