ଭଦ୍ରକ:ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି । ଅପରାହ୍ନରେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନ ମତୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନୀ ସଭା କରିଥିଲେ । ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ସମେତ ଭଦ୍ରକ ବିଜୁ ଜନତା ଦଳର ସଭାପତି ଜଗନ୍ନାଥ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ଵିତୀୟ ଥର ପାଇଁ ଭଦ୍ରକ ଜିଲ୍ଲାକୁ ଆସି ନିର୍ବାଚନ ପ୍ରଚାର କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ବାଚନୀ ପ୍ରଚାର ପାଇଁ ଚାନ୍ଦବାଲି ରାଜନୀତି ବେଶ ସରଗରମ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ବାଚନୀ ସଭାରେ 10 ହଜାରରୁ ଊର୍ଦ୍ଧ୍ଵ ଲୋକଙ୍କ ସମାବେଶ ହୋଇଥିଲା ବୋଲି କୁହାଯାଉଛି । ନିର୍ବାଚନ ମଣ୍ଡଳୀର ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ସମର୍ଥକଙ୍କ ସହିତ ବହୁ ସଂଖ୍ୟାରେ ମହିଳା ମଧ୍ୟ ଯୋଗ ଦେଇଥିଲେ ।
ଏହି ସଭାରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଦଳର ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଯୋଗ ଦେଇଥିଲେ । ତେବେ "ବିଜେଡି ପୁନର୍ବାର ସରକାର ଗଠନ କରିବ ଏବଂ ଜୁନ 9 ତାରିଖ ଦିନ ପୁନର୍ବାର ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ" ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ଦଳର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ । ଏହାପରେ ବିଜୁଳି ବିଲ୍ ଛାଡ, ସମସ୍ତଙ୍କୁ ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନା ପ୍ରଦାନ କରିବା ସହିତ ସମସ୍ତ ମିଶନ ଶକ୍ତି ମହିଳାଙ୍କୁ ପେନସନ ପ୍ରଦାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ମତୋ କଲେଜ ପଡିଆଠାରେ ଆୟୋଜିତ ଏହି ସଭାରେ ଭଦ୍ରକ ସାଂସଦ ପ୍ରାର୍ଥିନୀ ମଞ୍ଜୁଲତା ମଣ୍ଡଳ ଏବଂ ଚାନ୍ଦବାଲି ବିଧାୟକ ପ୍ରାର୍ଥୀ ଡାକ୍ତର ବ୍ୟୋମକେଶ ରାୟଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ।