ପୁରୀ: ସଂସଦୀୟ କ୍ଷେତ୍ର ପାଇଁ ଆସି ଶେଷ ହେଇଛି ନାମାଙ୍କନ ପତ୍ର ଦାଖଲ ସମୟ । ଶେଷ ଦିବସରେ ପୁରୀ ବିଧାନସଭା ଓ ଲୋକସଭା ପାଇଁ କଂଗ୍ରେସ ପ୍ରାର୍ଥୀ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପୁରୀ ସଦର ବିଧାନସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଉମା ବଲ୍ଲଭ ରଥ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଏବଂ ଲୋକସଭା ପାଇଁ ଜୟ ନାରାୟଣ ପଟ୍ଟନାୟକ ନାମାଙ୍କନ ଭରିଛନ୍ତି । ସେପଟେ ସ୍ବାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପୂର୍ବରୁ କଂଗ୍ରେସ ଟିକଟ ପାଇଥିବା ସୁଜିତ୍ କୁମାର ମହାପାତ୍ର ।
ଉମା ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ବଡ ଦାଣ୍ଡରେ ଏକ ଶୋଭାଯାତ୍ରାରେ ବାହାରି ପୁରୀ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଶହ ଶହ ସମର୍ଥକଙ୍କ ସହ ଆସି ଉମା ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ପରେ ପ୍ରତିକ୍ରିୟା ଦେଇ କହିଛନ୍ତି,‘ ଏଥର ଲୋକମାନେ ନିର୍ବାଚନ ଲଢ଼ୁଛନ୍ତି । ସେ ନିମିତ୍ତ ମାତ୍ର । ତେବେ ପୁରୀ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ସେ ନିର୍ବାଚନ ଲଢ଼ିବେ । ତେବେ ତାଙ୍କ ଉପରେ ଆକ୍ରମଣ ଘଟଣାରେ ସେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପୂର୍ବରୁ ପୁରୀରେ ଏଭଳି ସ୍ଥିତି କେବେ ଉପୁଜିନଥିଲା । ଏଭଳି କାର୍ଯ୍ୟ ନିନ୍ଦନୀୟ । ଏହାକୁ ଲୋକେ ଗ୍ରହଣ କରିବେ ନାହିଁ । ସେ ଲୋକଙ୍କ ସ୍ୱାର୍ଥ ପାଇଁ ଲଢେଇ କରିବେ ।’
ସେହିପରି ପୁରୀ ଲୋକସଭା ପାଇଁ କଂଗ୍ରେସ ପକ୍ଷରୁ ଜୟ ନାରାୟଣ ପଟ୍ଟନାୟକ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, କଂଗ୍ରେସ ଦଳର ଗ୍ୟାରେଣ୍ଟି ସହିତ ବିଜେଡି ଓ ବିଜେପି ସରକାର ଦୁର୍ନୀତି, ଅନ୍ୟାୟ, ଅନୀତିକୁ ପ୍ରସଙ୍ଗ କରି କଂଗ୍ରେସ ନିର୍ବାଚନ ଲଢିବ । ଲୋକମାନେ ବିଜେପି ଓ ବିଜେଡ଼ି ସରକାର କାର୍ଯ୍ୟକଳାପକୁ ଅସନ୍ତୁଷ୍ଟ ଅଛନ୍ତି । ଏହାର ଫାଇଦା କଂଗ୍ରେସ ପାଇବ ।