ଭୁବନେଶ୍ବର:ରାଜ୍ୟରେ ଶୁଖିଲା ରହିଛି ପାଗ । ବର୍ତ୍ତମାନ କୌଣସି ପାଣିପାଗର ନିୟାମକ ସକ୍ରିୟ ନଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ଆଜି ପାଗ ଶୁଖିଲା ଥିବାବେଳେ ଆସନ୍ତାକାଲି ୬ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ସ୍ଥାନେ ସ୍ଥାନେ ସାମାନ୍ୟ ବର୍ଷାର ସମ୍ଭାବନା ହୋଇପାରେ । ଏହାପରେ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଆଉ କୌଣସି ବର୍ଷା ପାଗ ନାହିଁ । କିଛି ଦିନର ବ୍ଯବଧାନ ପରେ ଅର୍ଥାତ୍ ୪ ତାରିଖ ବେଳକୁ ପୁଣି ବର୍ଷା ହେବାର ସମ୍ଭାବନା ଥିବା ଆକଳନ କରିଛି ବିଭାଗ ।
ଆଗାମୀ ୪ ଦିନ ଯାଏ ତାପମାତ୍ରାରେ କୌଣସି ବି ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୪ ଘଣ୍ଟାରେ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ନିମ୍ନ ଚାପରେଖା ଓ ଦୁର୍ବଳ ପଶ୍ଚିମା ଝଡର ପ୍ରଭାବରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ଜଣାପଡ଼ିଛି । ତେବେ ପାରଳାଖେମୁଣ୍ଡି ତାପମାତ୍ରା ୩୫. ୪ ଡିଗ୍ରୀ ସେଲ୍ସିୟସ ଥିଲା । ଅନ୍ୟ ସ୍ଥାନରେ ପାରଦ ୩୫ ଡିଗ୍ରୀ ତଳେ ରହିଥିଲା । ମାଲକାନଗିରି, ଟିଟିଲାଗଡ଼, ଭବାନୀପାଟଣା, ବଲାଙ୍ଗୀର, ବୌଦ୍ଧ, ରାୟଗଡ଼ା, ନବରଙ୍ଗପୁରରେ ଦିନ ତାପମାତ୍ରା ୩୪ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିଥିବା ଜଣାପଡ଼ିଛି ।